ଭୁବନେଶ୍ବର: ଏମ୍ସର ନୂତନ ଟ୍ରମା କେନ୍ଦ୍ର କୋଠା ନଭେମ୍ବର ସୁଦ୍ଧା ହସ୍ତାନ୍ତରିତ ହେବ। ଏଥିରେ ୩ଟି ସ୍ବତନ୍ତ୍ର ଓଟି ସହିତ ୧୦୦ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା ରହିଥିବା କହିଛନ୍ତି ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା। ଅନ୍ୟପକ୍ଷରେ ଭିତ୍ତିଭୂମି ଅଭାବ ଯୋଗୁଁ ବିଭିନ୍ନ ଯେତେ ସଂଖ୍ୟକ ରୋଗୀ ନିରାଶ ହୋଇ ଫେରୁଛନ୍ତି ସେଥିରେ ଲଗାମ ଲାଗିବ ସତ, ହେଲେ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ନାହିଁ। ଏଥିପାଇଁ ଚାପକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ଆହୁରି ବଢ଼ାଇବାକୁ ପଡ଼ିବ ବୋଲି ସାମାଜିକ କର୍ମକର୍ତ୍ତାମାନେ ମତ ଦେଇଛନ୍ତି।
ଅତି ଗୁରୁତର ସ୍ଥିତିରେ ଦୈନିକ ପ୍ରାୟ ୨୫୦ରୁ ଅଧିକ ରୋଗୀ ଏମ୍ସର ଆଘାତ ଏବଂ ଜରୁରୀକାଳୀନ ବିଭାଗ (ଟ୍ରମା ଆଣ୍ଡ ଏମର୍ଜେନ୍ସି)କୁ ଆସିଥାନ୍ତି। ମାତ୍ର ୫୦ ପ୍ରତିଶତରୁ ଅଧିକ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦିଆଯାଏ। ଏମ୍ସ ଭଳି ଡାକ୍ତରଖାନାରେ ଯେଉଁଠିକୁ ପ୍ରତିଦିନ ୧୦ ହଜାରରୁ ଊର୍ଧ୍ବ ରୋଗୀ ଆସନ୍ତି ସେଠାରେ ଆଜି ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରମା ୟୁନିଟ୍ ନ ଥିବା କାରଣରୁ ଏଭଳି ଅବସ୍ଥା ହୋଇଛି। କେବଳ ସେତିକି ନୁହେଁ, ସ୍ଥାନାଭାବରୁ ୫୦ ଶଯ୍ୟା ବିଶିଷ୍ଟ ଟ୍ରମା ଏବଂ ଜରୁରୀକାଳୀନ ଚିକିତ୍ସା ପିଏମ୍ଆର ବିଭାଗରେ ଚାଲିଛି। ଏଥିଯୋଗୁଁ ୩ଟି ବିଭାଗକୁ ଯେତେ ସଂଖ୍ୟାରେ ରୋଗୀ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ସିଂହଭାଗଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା ସମ୍ଭବ ହେଉନାହିଁ।
ଏମ୍ସରୁ ମିଳିଥିବା ସୂଚନା ଅନୁସାରେ, ଜରୁରୀକାଳୀନ ବିଭାଗରେ ୩ ପ୍ରକାର ଜୋନ୍ ରହିଛି। ପ୍ରଥମଟି ଟ୍ରାଏଜ୍ ଏରିଆ ବା ସବୁଜ ଜୋନ୍। ଏଠାରେ ୪ଟି ଶଯ୍ୟା ରହିଛି। ସଙ୍କଟାପନ୍ନ ଅବସ୍ଥାରେ ରୋଗୀ ଏଠାକୁ ଆସିଥାନ୍ତି। ଏହାପରେ ୨୦ ଶଯ୍ୟା ବିଶିଷ୍ଟ ହଳଦିଆ ଜୋନ୍ ରହିଛି। ଏଠାରେ ୨୪ରୁ ସର୍ବାଧିକ ୪୮ ଘଣ୍ଟା ପର୍ଯ୍ୟନ୍ତ ରୋଗୀଙ୍କୁ ରଖାଯାଇ ପାରେ। ତୃତୀୟଟି ୫ ଶଯ୍ୟା ବିଶିଷ୍ଟ ଲାଲ୍ ଜୋନ୍। ଏଠାରେ ଭେଣ୍ଟିଲେଟର ଥିବା ରୋଗୀ ରହିଥାନ୍ତି। ଏମ୍ସରେ ୱାର୍ଡରେ ରୋଗୀଙ୍କୁ ତୁରନ୍ତ ଭର୍ତ୍ତି କରାଯାଇ ପାରୁନଥିବାରୁ ଜରୁରୀକାଳୀନ ବିଭାଗରେ ଅତିରିକ୍ତ ୨୦ ଶଯ୍ୟା ରହିଛି। ଏପଟେ ୱାର୍ଡରେ ଶଯ୍ୟା ମିଳୁନଥିବାରୁ ଜରୁରୀକାଳୀନ ରୋଗୀ ୱାର୍ଡକୁ ସ୍ଥାନାନ୍ତରିତ ହୋଇପାରୁ ନାହାନ୍ତି। ଏଣୁ ନୂଆ ରୋଗୀଙ୍କୁ ଭର୍ତ୍ତି କ୍ଷେତ୍ରରେ ଅସୁବିଧା ହେଉଛି। ଏସବୁକୁ ଦୃଷ୍ଟିରେ ରଖି ୨୦୨୦ ମସିହାରେ ସ୍ବତନ୍ତ୍ର ଟ୍ରମା କେନ୍ଦ୍ରର ନିର୍ମାଣ ଆରମ୍ଭ ହୋଇ ୨ ବର୍ଷରେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କୋଭିଡ୍ ଯୋଗୁଁ ପ୍ରାୟ ଗୋଟିଏ ବର୍ଷରୁ ଊର୍ଧ୍ବ ସମୟ ଧରି ନିର୍ମାଣ ବନ୍ଦ ରହିଲା। ୨୦୨୧ ମସିହାର ଶେଷ ବେଳକୁ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଏହା ମନ୍ଥର ଗତିରେ ଚାଲିଛି। ସିପିଡବ୍ଲୁ ପକ୍ଷରୁ ଚଳିତ ବର୍ଷ କୋଠା ହସ୍ତାନ୍ତରଣର ବିଭିନ୍ନ ତାରିଖ ଦିଆଯାଇଥିଲେ ହେଁ ତାହା ସରୁନାହିଁ।