ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏନ୍‌ଏମ୍‌ଏ(ଜାତୀୟ ଐତିହ୍ୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ)ର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଏନ୍‌ଏମ୍‌ଏର ଅଧ୍ୟକ୍ଷ କିଶୋର କୁମାର ବାସାଙ୍କ ନେତୃତ୍ବରେ ଆସିଥିବା ଏହି ପ୍ରତିନିଧି ଦଳ ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିବ ସହ ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥାର ଅଧିକାରୀଙ୍କ ସହ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପାୱାର ପଏଣ୍ଟ ଜରିଆରେ ପ୍ରକଳ୍ପର ରୂପରେଖ ‌ବୁଝିଛନ୍ତି। ପ୍ରକଳ୍ପ ସମ୍ପର୍କରେ ଶ୍ରୀ ବାସା କହିଛନ୍ତି, ଆଜି ପ୍ରକଳ୍ପ କାମ ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛି। ପ୍ରକଳ୍ପ ନିଶ୍ଚିତପକ୍ଷେ ଏନ୍‌ଏମ୍‌ଏ ନିୟମ ଆଧାରରେ ହେବ। ଏନ୍‌ଏମ୍‌ଏ ନିୟମ ଓ ସୁପ୍ରମକୋର୍ଟଙ୍କ ଆଦେଶ ଅନୁପାଳନ ପୂର୍ବକ ପ୍ରକଳ୍ପ କାମ ଆଗେଇବ ବୋଲି ଶ୍ରୀ ବାସା କହିଛନ୍ତି।

Advertisment

ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ଶ୍ରୀ ବାସା ଓ ତାଙ୍କ ଟିମ୍‌ ଶ୍ରୀମନ୍ଦିରଠାରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ଉତ୍ତରଦ୍ବାରରୁ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସି ପ୍ରକଳ୍ପ ପ୍ରବନ୍ଧକ ପ୍ରଭାତ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ସହ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉତ୍ତରଦ୍ବାର, ପଶ୍ଚିମଦ୍ବାର, ସିଂହଦ୍ବାର ଓ ଦକ୍ଷିଣଦ୍ବାରରେ ନିର୍ମାଣାଧୀନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହି ଅବସରରେ ରଥଯାତ୍ରା ସମୟରେ ଦକ୍ଷିଣଦ୍ବାରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ ମଡେଲ୍‌ ଭାବେ ନିର୍ମାଣ ସରିଥିବା ପ୍ରକଳ୍ପ କିଛି ଅଂଶକୁ ବି ନିକଟରୁ ଅନୁଧ୍ୟାନ କରିଥିଲେ। ପରେ ଦକ୍ଷିଣପାର୍ଶ୍ବ ମଠକୁ ଯାଇ ସ୍ଥିତି ଦେଖିଥିଲେ। ୭୫ ମିଟର ପରିଧିରୁ ଉଚ୍ଛେଦ ମଠ କିଭଳି ସ୍ଥିତିରେ ରହିଛି, ସେ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସମାଧି ମଠ ପାଖକୁ ଦକ୍ଷିଣଦ୍ବାର ପେଜନଳା ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ସ୍ଥାନାନ୍ତର ହେଉଥିବାବେଳେ ଏହି ସ୍ଥାନ ବି ଏନ୍‌ଏମ୍‌ଏ ଅଧ୍ୟକ୍ଷ ଶ୍ରୀ ବାସା ଓ ଅନ୍ୟମାନେ ବୁଲି ଦେଖିଥିଲେ। ଏହି ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ପ୍ରତାପ କୁମାର ନାୟକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।