ବାହାର ଫେରନ୍ତାଙ୍କ ପାଇଁ ସଙ୍ଗରୋଧ ଗୃହ ପ୍ରସ୍ତୁତ, କନ୍ଧମାଳକୁ ଫେରିବେ ୧୬ହଜାର ୮୮୨

ଜି.ଉଦୟଗିରି ଓ ଦାରିଙ୍ଗବାଡିରେ ସର୍ବାଧିକ, ପଞ୍ଜିକରଣ କଲେଣି ୧ହଜାର ୫୦୦ ଜଣ

ଫୁଲବାଣୀ: କରୋନା ଲକ୍ ଡାଉନ ଆସନ୍ତା ମେ ୩ ତାରିଖରେ ଅବଧି ଶେଷ ହେବାକୁ ଯାଉଛି। ଲକ୍ ଡାଉନ ବୃଦ୍ଧି ହେବାର ସମ୍ଭାବନା ରହିଛି। ହେଲେ ଏହା ମଧ୍ୟରେ  ବାହା‌ର ରାଜ୍ୟରେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କୁ ନିଜ ଗାଁକୁ ଆଣିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଜିଲ୍ଲାର ସରପଞ୍ଚ ତଥା ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚମାନଙ୍କ ତଥ୍ୟ ଅନୁଯାୟୀ କନ୍ଧମାଳ ଜିଲ୍ଲାକୁ ବାହାର ରାଜ୍ୟରୁ ୧୬ହଜାର ୮୮୨ ଜଣ ଫେରିବେ। ଏମାନେ ଫେରିବା ପରେ ପ୍ରତି ପଞ୍ଚାୟତରେ ଖୋଲା ଯାଇଥିବା ସଙ୍ଗରୋଧ ଗୃହରେ ୧୪ ଦିନ ରହିବେ। ଏଥି ନିମନ୍ତେ ଜିଲ୍ଲାର ସମୁଦାୟ ୧୭୧ଟି ପଞ୍ଚାୟତରେ ଖୋଲିଥିବା ସଙ୍ଗରୋଧ ଗୃହରେ ଆନୁସଙ୍ଗିକ ପ୍ରସ୍ତୁତି ଚାଲିଛି। ରହିବା,ଖାଇବାଠାରୁ ଆରମ୍ଭ କରି ଅନ୍ୟ ସବୁ ସୁବିଧା ବୁଝିବେ ସରପଞ୍ଚ। ସଙ୍ଗରୋଧ ଗୃହ ପ୍ରସ୍ତୁତି ନେଇ ବିଡିଓ ଓ ତହସିଲଦାରମାନେ ବୁଲି ତଦାରଖ କରୁଛନ୍ତି। ଖୋଦ ଜିଲ୍ଲାପାଳ ଡା.ବୃନ୍ଦା ଡି,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବନାଥ ବାରିକ ପ୍ରମୁଖ ବିଭିନ୍ନ ପଞ୍ଚାୟତର ସଙ୍ଗରୋଧ ଗୃହକୁ ଯାଇ ଅନୁଧ୍ୟାନ ଚଳାଇଛନ୍ତି।

ସବୁ ବାହାର ଫେରନ୍ତା ସଙ୍ଗରୋଧ ଗୃହରେ ୧୪ ଦିନ ରହିବେ। ଯଦି କେହି ବାହାରକୁ ନ ଯିବେ ସେଥି ନିମନ୍ତେ ସରପଞ୍ଚମାନେ ନଜର ରଖିବେ। ସେମାନଙ୍କୁ ପୁଲିସ ଓ ସରକାରୀ ବାବୁ ବି ସାହାଯ୍ୟ କରିବେ। କାହାର ଲକ୍ଷଣ ବାହାରିଲେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାରେ ଖୋଲାଯାଇଥିବା କୋଭିଡ ହସପିଟାଲକୁ ଅଣାଯିବ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କଠାରୁ ସ୍ବାବ ସଂଗ୍ରହ କରାଯାଇ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯିବ। ବସ ହେଉ କି ଟ୍ରେନ। ବାହାର ଫେରନ୍ତା ନିଜ ଖର୍ଚ୍ଚରେ ସେଠାରୁ ଫେରିବେ। ବ୍ରହ୍ମପୁର କି ଭୁବନେଶ୍ବର ପହଞ୍ଚିବା ପରେ ସେଠାରୁ ଜିଲ୍ଲାକୁ ଆସିବା ନିମନ୍ତେ ଗାଡିର ଖର୍ଚ୍ଚ ବହନ କରିବ ଜିଲ୍ଲା ପ୍ରଶାସନ। ଆଜି ସୁଦ୍ଧା ବାହାର ଫେରନ୍ତାଙ୍କ ମଧ୍ୟରୁ ୧ହଜାର ୫୦୦ ଜଣ ନାମ ପଞ୍ଜିକରଣ କରି ସାରିଲେଣି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସିବାକୁ ଥିବା ବାହାର ଫେରନ୍ତାଙ୍କ ୧୬ହଜାର ୮୮୨ ମଧ୍ୟରୁ  ଜି.ଉଦୟଗିରି ଓ ଦାରିଙ୍ଗବାଡି‌ ବ୍ଳକରେ ରେ ସର୍ବାଧିକ ୬ରୁ ୭ ହଜାର ଜଣ ଥିବା ଜଣା ପଡିଛି। ତେଣୁ ଏହି ଦୁଇ ବ୍ଲକର ସବୁ ପଞ୍ଚାୟତର ସଙ୍ଗରୋଧ ଗୃହ ପ୍ରସ୍ତୁତିକୁ ବେଶୀ ଗୁରୁତ୍ବ ଦିଆଯାଉଛି। ସବୁ କିଛି ଠିକଠାକ ପ୍ରସ୍ତୁତି ଚାଲିଛି ବୋଲି ପ୍ରଶାସନ କହୁଥିଲେ ବି ଅଧିକାଂଶ ପଞ୍ଚାୟତରେ ଅବ୍ୟବସ୍ଥା ହେବାର ଆଶଙ୍କା ରହିଛି। କାରଣ ଅଧିକାଂଶ ପଞ୍ଚାୟତରେ  ସରପଞ୍ଚ ଅଛନ୍ତି ଅନଭିଜ୍ଞ ମହିଳା। କରୋନା ଭଳି ଏକ ମହାମାରୀର ମୁକାବିଲା କରିବା‌ ସେମା‌ନଙ୍କ ପକ୍ଷେ ଏତେଟା ସହଜ ନୁହେଁ ବୋଲି କୁହାଯାଉଛି। ତେଣୁ ସେସବୁ ପଞ୍ଚାୟତ ପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ନ ହେଲେ ସବୁ ପରିଶ୍ରମ ବୃଥା ହେବା ସାର ହେବ।

ସମ୍ବନ୍ଧିତ ଖବର