ନୂଆଁଖାଇରେ ନୂଆଁ ଅନ୍ନ ନିଜେ ଖାଇବା ପୂର୍ବରୁ ବିଭିନ୍ନ ଦେବାଦେବୀଙ୍କୁ ଅର୍ପଣ କରିବାର ପରଂପରା ପ୍ରାୟ ସର୍ବତ୍ର ରହିଛି। ବିଶେଷତଃ ଇଷ୍ଟଦେବୀ ଓ ଗ୍ରାମଦେବୀଙ୍କ ପାଖରେ ଆନୁଷ୍ଠାନିକ ଭାବରେ ନୂଆଁ ଅନ୍ନର ଭୋଗ ଲାଗି ହୋଇଥାଏ। ମାତ୍ର ବରଗଡ ଜିଲ୍ଲା ରେମଣ୍ଡା ଗ୍ରାମରେ ଏ ପରଂପରା ପାଳିତ ହୁଏ ଟିକିଏ ନିଆରା ଢଙ୍ଗରେ। ନବାନ୍ନ ପୂର୍ବରୁ ଏକ ପୁଣ୍ୟତିଥି ଦେଖି ସେହିଦିନ ଗ୍ରାମ ଚତୁଃପାର୍ଶ୍ବରେ ଥିବା ଭୀମା ଦେବୀ, ଉମଲାବେଢିଏନ୍, ଜଲ୍ ମଡିଏନ୍, ଚେରବହଲିଏନ୍ ଆଦି ଦେବୀଙ୍କୁ ନିଉତା ଦିଆଯାଇଥାଏ। ଉକ୍ତ ରାତିରେ ଏ ସମସ୍ତ ଦେବୀ ଗ୍ରାମର ମଧ୍ୟସ୍ଥଳରେ ଥିବା ସମଲେଇ ମନ୍ଦିରକୁ ନୂଆଁ ଖାଇବା ପାଇଁ ଆସନ୍ତି।
ସେହିଦିନ ରାତିରେ ବିଜୁଳି ଆଳୁଅ ବନ୍ଦ କରି ଗାଁକୁ ଅନ୍ଧକାରଚ୍ଛନ୍ନ ରଖାଯାଏ। କେହି ଏ ସମୟରେ ପଦାକୁ ମଧ୍ୟ ବାହାରନ୍ତି ନାହିଁ। ଜଲ୍ ମଡିଏନ୍ ଧଳାଘୋଡ଼ାରେ ଚଢ଼ି ଆସୁଥିବାବେଳେ ଉମଲାବେଢିଏନ୍ ନିଆଁପରି ଜଳି ଜଳି ଆସି ଥାଆନ୍ତି ବୋଲି ଲୋକଙ୍କର ଗଭୀର ବିଶ୍ବାସ ରହିଛି। ରାତ୍ରିର ନିର୍ଜନତା ଓ ଅନ୍ଧକାର ସ୍ବତଃ ଏକ ଭୌତିକ ପରିବେଶ ସୃଷ୍ଟି କରିଥାଏ।
ସମଲେଶ୍ବରୀ ମନ୍ଦିରରେ ଗୋଟିଏ ନୂଆ ତେଲେନ୍ (ମାଟି ପାତ୍ର)ରେ ପୂର୍ବରୁ ସଂଗୃହିତ କ୍ଷୀର ପୂର୍ଣ୍ଣ କରି ରଖା ହୋଇଥାଏ। ମନ୍ଦିର ପଛପାଖ ଭୋଗ ଘର ଭିତରେ ଏହି ସମୟରେ ମନ୍ଦିରର ସେବକ ମାନେ ଚୁପ୍ ଚାପ୍ ବସିଥାନ୍ତି। ଦେବୀ ମାନେ ଆସିବା, କ୍ଷୀର ପିଇବା ଓ ଯିବାର ସୂଚନା ସେମାନେ ଜାଣି ପାରନ୍ତି। ତେଲେନ୍ର ସବୁ କ୍ଷୀର ଯଦି ସରିଯାଇଥାଏ ତା’ହେଲେ ଭଲ ଭାବରେ ନୂଆଁ ଲାଗିଛି ବୋଲି ଧରାଯାଏ। ଭଲ ଭାବରେ ନୂଆଁ ନ ଲାଗିଲେ ତାହା ଗ୍ରାମର ଭବିଷ୍ୟତ ପ୍ରତି ଅମଙ୍ଗଳ ସୂଚକ ବୋଲି ବିଶ୍ବାସ ରହିଛି। ଏଥିପ୍ରତି ଲୋକଙ୍କ ଅତୁଟ ବିଶ୍ବାସ ମଧ୍ୟ ରହିଛି। ଆପାତତଃ ସମସ୍ତଙ୍କ ମନରେ ଭକ୍ତି ସହିତ ପ୍ରଚ୍ଛନ୍ନ ଭୟଭାବ ବି ରହିଛି।
-ହେମନ୍ତ କୁମାର ନାୟକ