ଗୁହାଳ ଘରେ ଜୀବନ ବିତାଉଛନ୍ତି ଭିନ୍ନକ୍ଷମ

ଭତ୍ତା ଓ ଆବାସରୁ ବଞ୍ଚିତ, ଶୁଣୁନାହାନ୍ତି ନେତା କି ପ୍ରଶାସକ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ମାଇଛେଳି ପଞ୍ଚାୟତ ଗୋହିରିବାଦୁ ଗ୍ରାମରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଗୁହାଳରେ ରହୁଥିବା ଦେଖିବାକୁ ମିଳିଛି। ଚାରି ବର୍ଷ ହେଲା ନା ସେ କୌଣସି କାମ କରିପାରୁଛନ୍ତି ନା ବସିବା ଜାଗାରୁ ଉଠିକି ଅନ୍ୟତ୍ର ଯାଇପାରୁଛନ୍ତି। କହିବାକୁ ଗଲେ ସରକାରଙ୍କ ସମସ୍ତ ମୌଳିକ ସୁବିଧା ପାଇବା ପାଇଁ ହିଁ ଏ ପ୍ରକୃତରେ ଯୋଗ୍ୟ ହିତାଧିକାରୀ। ହେଲେ ଭତ୍ତା ଏବଂ ଆବାସ ଯୋଜନା ଭଳି ସୁବିଧା ତାଙ୍କ ପାଖରେ ପହଞ୍ଚି ପାରିନାହିଁ। ଏ ନେଇ ସେ ପ୍ରଶାସନ ଏବଂ ନେତାଙ୍କୁ ଜଣାଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ତାହା କୌଣସି ଫାଇଦା ହୋଇନାହିଁ।

ସୂଚନା ମୁତାବକ, ମାଇଛେଳି ଗ୍ରାମପଞ୍ଚାୟତ ଗୋହିରିବାଦୁ ଗ୍ରାମରେ ଫକୀର ନାଏକ (୪୬) ରୁହନ୍ତି। ପରିବାର କହିଲେ ସେ ନିଜେ। ବାପା-ମା’ ୧୫ ବର୍ଷ ହେଲା ଆରପାରିକୁ ଚାଲିଗଲେଣି। ଦୁଃଖ କେବେ ତାଙ୍କ ପିଛା ଛାଡ଼ିବା ନାଁ ଧରୁନି। ଆଜକୁ ପ୍ରାୟ ୪ ବର୍ଷ ତଳେ ଫକୀରଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟକ୍ଷେତ୍ରରେ ଏଭଳି ଅବନତି ଘଟିଲା ଯେ, ଆଜି ପର୍ଯ୍ୟନ୍ତ ସେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁନାହାନ୍ତି। ଯଦିଓ ଆଗରୁ ମୂଲ ଲାଗି ଚଳୁଥିଲେ ବର୍ତ୍ତମାନ ସେତିକ ମଧ୍ୟ ନାହିଁ। ରୋଜଗାର କହିଲେ ଟଙ୍କାଟିଏ ବି ନାହିଁ। ଏଭଳି ପରିସ୍ଥିତିରେ ତାଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ଅଛି ହେଲେ ଆଜି ପର୍ଯ୍ୟନ୍ତ ଭତ୍ତା ପାଇପାରୁନାହାନ୍ତି। ଆଶାବାଡିକୁ ସାହାରା କରି ଟିକେ ଚଲାବୁଲା କରିବାକୁ ଯଦିଓ ଇଚ୍ଛା ଅଛି ସେତିକି ମଧ୍ୟ ସେ କରିପାରୁନାହାନ୍ତି। ତେବେ ଫକୀରଙ୍କର ବଡ଼ ଦୁଃଖ ହେଲା କି ଚଳିବା ପାଇଁ ଘର ଖଣ୍ଡେ ନଥିବା କାରଣରୁ ସେ ବାଧ୍ୟ ହୋଇ ଏକ ଗୁହାଳ ଘରେ ଆଶ୍ରୟ ନେଇଛନ୍ତି। ଅଯୋଗ୍ୟ ବ୍ୟକ୍ତିମାନେ ଆବାସ ଯୋଜନାରେ ଘର ହାତେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଫକୀରଙ୍କ ଭଳି ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତାହା ମିଳିନପାରିବା ଆଶ୍ଚର୍ଯ୍ୟ କରୁଛି। ରାସନ ଭାବେ ୫ କିଲୋ ଚାଉଳକୁ ଛାଡ଼ିଦେଲେ ବାକି କୌଣସି ଯୋଜନା ତାଙ୍କ ପାଖରେ ପହଞ୍ଚି ପାରିନାହିଁ।

ବିଭିନ୍ନ ସମୟରେ ଅଧିକାରୀମାନେ ଏହି ଗ୍ରାମକୁ ଆବାସ ଯୋଜନାରେ ଘର ପାଇବାକୁ ଥିବା ହିତାଧିକାରୀଙ୍କୁ ଯୋଗ୍ୟ କିମ୍ବା ଅଯୋଗ୍ୟ ବୋଲି ଚିହ୍ନଟ କରିବାକୁ ଯାଉଥିଲେ ସୁଦ୍ଧା କେହି ଫକୀରଙ୍କୁ ଆଡ଼ ଆଖିରେ ବି ଦେଖନ୍ତି ନାହିଁ। ଅନ୍ୟ ଏକ ଦିଗରେ ଦେଖିବାକୁ ଗଲେ, ଶରୀର କଷ୍ଟ ଲାଘବ ପାଇଁ ସବୁଦିନ ଔଷଧ ଆବଶ୍ୟକ ପଡ଼ୁଥିଲେ ବି ସେତକ ମଧ୍ୟ କିଣିବା ପାଇଁ ପାଖରେ ପଇସା ନାହିଁ। ଫକୀରଙ୍କର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ କେତେବେଳେ କେମିତି କିଞ୍ଚିତ୍‌ ସାହାଯ୍ୟ କରୁଥିବା ବେଳେ ସେ ସେହି ଟଙ୍କାରେ ଔଷଧ ଆଣିଥାନ୍ତି। କିନ୍ତୁ ଯେତେବେଳେ ଔଷଧ ସରିଯାଏ ସେତେବେଳେ ଶରୀରର କଷ୍ଟକୁ ସହିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ଏନେଇ ନୂଆଗାଁ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁଙ୍କୁ ପଚାରିବାରୁ, ଭିନ୍ନକ୍ଷମ ସାର୍ଟିଫିକେଟ ଆମ ପାଖରେ ପହଞ୍ଚାଇ ଦେଲେ ଆମେ ସହଯୋଗ କରିବୁ ବୋଲି କହିଛନ୍ତି। ତେବେ ଆବାସ ଯୋଜନାରେ ତାଙ୍କୁ କେବେ ଘର ଓ ଭତ୍ତା ଯୋଗାଇ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା।

 

ସମ୍ବନ୍ଧିତ ଖବର