ସୁବ୍ରତ ସାମଲ

Advertisment

କେନ୍ଦ୍ରାପଡ଼ା: ଶିଳ୍ପଶୂନ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୯ଟି ବୃହତ୍‌ ପ୍ରକଳ୍ପ ମଞ୍ଜୁର ହୋଇଛି। ସିଙ୍ଗଲ୍‌ ଵିଣ୍ଡୋ ଜରିଆରେ ମଞ୍ଜୁର ହୋଇଥିବା ଏହି ଶିଳ୍ପ ପ୍ରକଳ୍ପ ଜରିଆରେ ପାଖାପାଖି ୧ଲକ୍ଷ ୨୦ହଜାର କୋଟି ଟଙ୍କା କେନ୍ଦ୍ରାପଡ଼ାରେ ବିନିଯୋଗ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଆଧାରରେ ଯଦି ପ୍ରସ୍ତାବିତ ଶିଳ୍ପଗୁଡ଼ିକ ବାସ୍ତବ ରୂପ ନିଏ, ତେବେ ସାରା ଜିଲ୍ଲାର ମାନଚିତ୍ର ବଦଳିଯିବ। କିନ୍ତୁ ବିଗତ ଦୁଇ ଦଶନ୍ଧି କାଳ କେନ୍ଦ୍ରାପଡ଼ାବାସୀ କେବଳ ନୂଆ ଶିଳ୍ପ ଘୋଷଣା କଥା ଶୁଣି ଆସୁଛନ୍ତି। କମ୍ପାନି ସହିତ ଚୁକ୍ତିନାମା ଖବର ପାଉଛନ୍ତି। କିନ୍ତୁ ଏଯାଏଁ ଗୋଟିଏ ବି ଶିଳ୍ପ ସାକାର ହୋଇପାରି ନାହିଁ।

ନିର୍ବାଚନ ଆସିଲେ କେନ୍ଦ୍ରାପଡ଼ାବାସୀଙ୍କୁ ନୂଆ ନୂଆ ଶିଳ୍ପ ଥୋପ ଦିଆଯାଉଛି। ୨୦୨୩ ଫେବ୍ରୁଆରି ୩ରେ ବିଜେଡି ସରକାରରେ ତତ୍କାଳୀନ ଶିଳ୍ପମନ୍ତ୍ରୀ ପ୍ରତାପକେଶରୀ ଦେବ କେନ୍ଦ୍ରାପଡ଼ା ଗସ୍ତରେ ଆସି ବର୍ଷ ଶେଷସୁଦ୍ଧା ଜିଲ୍ଲାକୁ ଶିଳ୍ପ ଆସିବାର ସ୍ବପ୍ନ ଦେଖାଇବା ସହିତ ୧୭ଟି ଶିଳ୍ପ ପ୍ରସ୍ତାବ ସରକାରଙ୍କ ପାଖେ ବିଚାରାଧୀନ ଥିବା ସୂଚନା ଦେଇଥିଲେ। ମନ୍ତ୍ରୀ ପ୍ରତାପ ଦେବ କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଦୃଷ୍ଟିରୁ ତାଙ୍କର ଏହି ମନ୍ତବ୍ୟ ଜିଲ୍ଲାବାସୀଙ୍କ ଶିଳ୍ପ ଆଶାକୁ ଉଜ୍ଜୀବିତ କରିଥିଲା। ୨୦୨୩ ଯାଇ ୨୦୨୪ ସରିଗଲା, ରାଜ୍ୟରେ ସରକାର ବଦଳିଲା; ଅଥଚ ପ୍ରସ୍ତାବିତ ଶିଳ୍ପଗୁଡ଼ିକ ଆଗକୁ ବଢ଼ିପାରି ନାହିଁ। ବର୍ତ୍ତମାନର ଶିଳ୍ପମନ୍ତ୍ରୀ କେନ୍ଦ୍ରାପଡ଼ା ପାଇଁ  ୯ଟି ଶିଳ୍ପ ମଞ୍ଜୁର ହୋଇଥିବାର ତଥ୍ୟ ବିଧାନସଭାରେ ଦେଇଛନ୍ତି। ସେଥିରୁ ଗୋଟିଏ ଶିଳ୍ପକୁ ଛାଡ଼ିଦେଲେ ଅନ୍ୟ ୮ଟିର ଚିହ୍ନବର୍ଣ୍ଣ ଏଯାଏଁ ଦେଖିବାକୁ ମିଳିନାହିଁ। ମହାକାଳପଡ଼ାରେ ୧ ଲକ୍ଷ ୧୯ ହଜାର ୭୯୯ କୋଟି ଟଙ୍କା ବ୍ୟୟରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ବୃହତ୍‌ ଇସ୍ପାତ କାରଖାନା ଓ ସିମେଣ୍ଟ କାରଖାନା ବସାଇବା ନିମନ୍ତେ ରାସ୍ତା, ଜମି ଅଧିଗ୍ରହଣ ଭଳି ପ୍ରାରମ୍ଭିକ କାର୍ଯ୍ୟ ଚାଲିଛି। କିନ୍ତୁ ଏହି ବୃହତ୍‌ ଶିଳ୍ପ କେବେ ବାସ୍ତବ ରୂପ ନେବ ତାହାକୁ ନେଇ ଅନିଶ୍ଚିତତା ବଢ଼ିଚାଲିଛି।

୨୦୨୧ ଡିସେମ୍ବର ୧୭ରେ ଏହି ପ୍ରକଳ୍ପ ବୈଷୟିକ ମଞ୍ଜୁରି ପାଇବା ସହିତ ଏହାଦ୍ବାରା ୧୬ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେବା ସହିତ ସାତବର୍ଷ ଭିତରେ ଏହା ଶେଷ ହେବ ବୋଲି କହିଥିଲେ। ଏହା ଭିତରେ ତିନିବର୍ଷ ପୂରି ଯାଇଛି। ଇତିମଧ୍ୟରେ କେବଳ ମାର୍ଶାଘାଇ-ଜମ୍ବୁ କେନାଲ୍‌ ବ୍ରିଜ୍‌ ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ଓ ୧୦୦ ଏକର ଜମି ଇଡ୍‌କୋକୁ ଦିଆଯିବା ଘଟଣାକୁ ବାଦ୍‌ ଦେଲେ ଅନ୍ୟ କୌଣସି କାର୍ଯ୍ୟର ଆଖିଦୃଶିଆ ଅଗ୍ରଗତି ହୋଇନାହିଁ। ରାମନଗର, ଖରିନାସୀ, ବତୀଘର ପଞ୍ଚାୟତରେ ପ୍ରକଳ୍ପ ପାଇଁ ୧୦ହଜାର ୪୪୧ଏକର ଜମି ଚିହ୍ନଟ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ହଜାର ୪୪୧ଏକର ଜମି ଅଧିଗ୍ରହଣ ପାଇଁ ନୋଟିସ୍‌ ପ୍ରକ୍ରିୟା ସରିଛି। ନିକଟରେ ବଡ଼ଟୁବି ଅଞ୍ଚଳରେ ଜମି କିଣାବିକା ଉପରେ ପ୍ରଶାସନ ରୋକ୍‌ ଲଗାଇଛି। ହେଲେ ଯେଉଁଠି ପ୍ରକଳ୍ପ ମଞ୍ଜୁରିର ତିନିବର୍ଷ ଭିତରେ ସର୍ବନିମ୍ନ ମୌଳିକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇପାରି ନାହିଁ, ସେଠି ୨୦୨୮ମସିହା ସୁଦ୍ଧା ପୂରା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ନେଇ ଆଶଙ୍କା ରହୁଛି।

ଏହାବାଦ୍‌ ଆଉ ଆଠଟି ପ୍ରକଳ୍ପ ମଞ୍ଜୁର ହେଇଥିବା କଥା ଯାହା କୁହାଯାଇଛି, ତାହା କେବଳ ଘୋଷଣାରେ ହିଁ ସୀମିତ ରହିଛି। ୱେଲ୍‌ସ୍ପୁନ୍‌ ନିଉ ଏନର୍ଜି ୧୩ ହଜାର ୮୬୦କୋଟି ଟଙ୍କା ନିବେଶରେ ଗ୍ରିନ୍‌ ଆମୋନିଆ ଓ ଗ୍ରିନ୍‌ ହାଇଡ୍ରୋଜେନ୍‌ କାରଖାନା ସ୍ଥାପନ କରିବାକୁ ଥିବା ବେଳେ ମାର୍ଶାଘାଇର କଳାଗଡ଼ରେ ଓଡ଼ିଶା ପାଵାର‌୍‌ କନ୍‌ସୋର୍‌ଟିୟମ୍‌ ଲିମିଟେଡ୍‌ ୨୮୭୬କୋଟି ଟଙ୍କା ବ୍ୟୟରେ ଗ୍ୟାସ୍‌ଭିତ୍ତିକ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଯୋଜନା ରଖିଛି। ସେହିପରି ମହାକାଳପଡ଼ାରେ କୈବଲ୍ୟ ଲଜିଷ୍ଟିକ୍‌ସ ୧୧୦କୋଟି ଟଙ୍କାର ପ୍ରକଳ୍ପ କରିବାକୁ ଥିବା ବେଳେ ଯଦୁପୁରରେ ଶ୍ରବଣ ସିପିଂ ସର୍ଭିସେସ୍‌ ୧୦୦କୋଟି ଟଙ୍କାର ଗୋଦାମ ଓ ଶୀତଳଭଣ୍ଡାର, ବ୍ରହ୍ମପୁର ବାୟୋକେମ୍‌ କେନ୍ଦ୍ରାପଡ଼ାରେ ୨୧୫କୋଟି ଟଙ୍କାର ଡିଷ୍ଟିଲାରି, ପାଟକୁରାରେ ଅଏଲ୍‌ ଇଣ୍ଡିଆର ୧୦୮କୋଟି ଟଙ୍କାର ପ୍ରକଳ୍ପ, ମାର୍ଶାଘାଇରେ ୱେଲ୍‌ସ୍ପୁନ୍‌ ଲିଭି˚ର ୨୦୦କୋଟିର ଟେରି ଟାୱେଲ୍‌ ପ୍ରକଳ୍ପ, ଗ୍ରୋ ମ୍ୟାକ୍ସ ଇଣ୍ଡିଆର ମାର୍ଶାଘାଇରେ ୫୪.୫୫କୋଟି ଟଙ୍କାର ପ୍ଲାଷ୍ଟିକ୍‌ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି। ୨୦୧୧-୧୨ରୁ ୨୦୨୧-୨୨ମସିହା ଭିତରେ ଏହି ପ୍ରକଳ୍ପଗୁଡ଼ିକ ଘୋଷଣା ହୋଇ ସିଙ୍ଗଲ ଵିଣ୍ଡୋରେ ମଞ୍ଜୁରି ଲାଭ କରିସାରିଛି। ମାତ୍ର ଏତେବର୍ଷ ବିତିଯିବା ପରେ ମଧୢ ଉକ୍ତ ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ିପାରି ନ ଥିବାରୁ ଅଳାଇଲୋରେ ପ୍ରସ୍ତାବିତ ୬୬୧୦କୋଟିର ମେଗା ପାଵାର‌୍‌ ପ୍ଲାଣ୍ଟ୍‌ ଭଳି ଏସବୁ ହୁଏତ ଧୂଆଁବାଣରେ ପରିଣତ ହେଇଯିବ ବୋଲି ଅନେକ ମତ ଦେଉଛନ୍ତି।