କଟକ, (କୃଷ୍ଣପ୍ରସାଦ ଦାସ): ୨୦୧୨ରୁ ୨୦୨୨ ଭିତରେ କଟକ ସହରର ବିକାଶ ପାଇଁ ଆସିଛି ୧୦ ହଜାର କୋଟିରୁ ଅଧିକ ଟଙ୍କା। ୧୦ ବର୍ଷରେ ୧୦ ହଜାର କୋଟି ହିସାବରେ ବର୍ଷକୁ ହାରାହାରି ଭାବେ ୧ ହଜାର କୋଟି ଟଙ୍କା ବ୍ୟୟ ହେଉଛି କଟକ ସହରରେ। ମହାନଦୀରୁ କାଠଯୋଡ଼ି ଭିତରେ ରହିଥିବା କଟକ ସହରର ପରିସୀମା ଭିତରେ ଏହି ଟଙ୍କା ବ୍ୟୟ ହେଉଛି। ଆଖି ଖୋସି ଦେଲା ଭଳି ପରିମାଣର ଟଙ୍କା ଖର୍ଚ୍ଚ ହେଉଥିଲେ ବି କଟକର କଳେବରରେ ଏଯାଏ କି ପରିବର୍ତ୍ତନ ଆସିଛି, ତାହାକୁ ନେଇ ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେତେସବୁ ପ୍ରକଳ୍ପ ଏହି ବିପୁଳ ପରିମାଣର ଅର୍ଥ ବିନିମୟରେ ଚାଲିଛି, ସବୁ ପ୍ରକଳ୍ପ ୨୦୨୩ ଭିତରେ ସରିଯିବ ବୋଲି ସମୟସୀମା ଧାର୍ଯ୍ୟ ହୋଇଛି। ଅର୍ଥାତ୍‌ ଖୁବ୍‌ବେଶୀରେ ଦେଢ ବର୍ଷ ଭିତରେ ସବୁ ପ୍ରକଳ୍ପ ଶେଷ ହେବାକୁ ଥିବାବେଳେ କଟକ ସହରର ଚିତ୍ର ରଂଗିନ ହେବା ବଦଳରେ ବିପର୍ଯ୍ୟସ୍ତ ହୋଇ ଚାଲିଛି କାହିଁକି? କଟକର ବିକାଶ ପାଇଁ ଚାଲିଥିବା ଏସବୁ ଯୋଜନା ବାସ୍ତବରେ କଟକବାସୀଙ୍କ ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ଉପଯୋଗୀ ହୋଇ ପାରୁ ନାହିଁ ନା ଆସୁଥିବା ଅର୍ଥ ବିନିଯୋଗ ବଦଳରେ ବାଟମାରଣା ହେଉଛି? ଏ ପ୍ରଶ୍ନ ଏବେ ସହରବାସୀଙ୍କୁ ଆନ୍ଦୋଳିତ କରୁଛି।

Advertisment

publive-image

କଟକର ବିକାଶ ପାଇଁ ଘୋଷଣା ହୋଇଥିବା ସବୁଠୁ ପୁରୁଣା ପ୍ରକଳ୍ପ ହେଉଛି ଜାଇକା। ୨୦୧୨ରୁ ଚାଲିଥିବା ଏହି ପ୍ରକଳ୍ପ ପାଇଁ ବ୍ୟୟ ହେଉଛି ୩ ହଜାର ୬୧ କୋଟି ଟଙ୍କା। ସହରର ଡ୍ରେନେଜ୍ ଓ ସ୍ବେରେଜ୍ ବ୍ୟବସ୍ଥା ସୁଧାରିବାକୁ ଏହି ପ୍ରକଳ୍ପର ବ୍ୟୟ ବର୍ଷକୁ ବର୍ଷ ବଢି ଚାଲିଥିବା ବେଳେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ଏହା ସରିବାର ସମୟସୀମା ବି ଗଡ଼ି ଚାଲିଛି। ୨୦୨୩ ଜାନୁଆରି ସୁଦ୍ଧା ଏହା ସରିବ ବୋଲି କୁହାଯାଉଥିଲେ ବି ଏହା ସଂପୂର୍ଣ୍ଣ ଅବାସ୍ତବ ମନେ ହେଉଛି।

କଟକର ଦ୍ବିତୀୟ ବଡ଼ ପ୍ରକଳ୍ପ ହେଉଛି ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ବିକାଶ ଯୋଜନା। ୨୦୧୯ରେ ଏହି ଯୋଜନା ଘୋଷଣା ହୋଇଥିବା ବେଳେ ଏଥିପାଇଁ ରହିଛି ୩ ହଜାର ୫୨୪ କୋଟି ୭୦ ଲକ୍ଷ ଟଙ୍କା। ଏଲ୍‌ ଆଣ୍ଡ ଟି ସଂସ୍ଥାକୁ ୨୬୩୬ କୋଟି ୨୦ ଲକ୍ଷ ଟଙ୍କାର କାମ ଦିଆଯାଇଥିବା ବେଳେ ଏନ୍‌ସିସିକୁ
୮୮୮ କୋଟି ୫୦ ଲକ୍ଷ ଟଙ୍କାର କାମ ଦିଆଯାଇଛି। ଏ ପ୍ରକଳ୍ପ ବି ୨୦୨୩ରେ ସରିବ ବୋଲି କୁହାଯାଉଥିବା ବେଳେ ଏଯାଏ ୨୫ ପ୍ରତିଶତ କାମ ବି ହୋଇ ପାରି ନାହିଁ।
କଟକର ତୃତୀୟ ବଡ଼ ପ୍ରକଳ୍ପ ହେଉଛି ସହରର ସମସ୍ତ ଘରକୁ ଦିନର ୨୪ ଘଣ୍ଟା ଟ୍ୟାପ୍ ପାଣି ଯୋଗାଣ। ଏଯାଏ କଟକର ଭୂତଳ ଜଳ ବ୍ୟବହାର ହୋଇ ଆସୁଥିବା ବେଳେ ଏହି ଯୋଜନାରେ ମହାନଦୀ ଓ କାଠଯୋଡ଼ି ପାଣି ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଛି। ୱାଟର ଟ୍ରିଟମେଣ୍ଟ୍ ପ୍ଲାଣ୍ଟ ପାଇଁ ୪୩୦ କୋଟି ଓ ପାଣି ପାଇପ୍ ସଂଯୋଗ ପାଇଁ ୩୬୦ କୋଟି, ଏଭଳି ୭୯୦ କୋଟି ଟଙ୍କା ବ୍ୟୟ ହେଉଛି ଏହି ପ୍ରକଳ୍ପରେ। ୨୦୧୩ରୁ ଚାଲିଥିବା ଏହି ଯୋଜନା ଏବେ ସରିଯିବା କଥା, କିନ୍ତୁ ଏଯାଏ ତାହା ସମ୍ଭବ ହୋଇପାରି ନାହିଁ।

publive-image Telegraph India

ସିଡିଏ ପେଟାନାଳ ବିକାଶ ପାଇଁ ହୋଇଛି ୧୦୨ ‌କୋଟି ୪୬ ଲକ୍ଷ ଟଙ୍କାର ଯୋଜନା। ୨୦୨୦ରୁ ଏଥିପାଇଁ ଯୋଜନା ଚାଲିଛି। ତାଳଦଣ୍ଡା କେନାଲର ବିକାଶ ଓ ଉଭୟପଟ ସଂପ୍ରସାରଣ ପାଇଁ ହୋଇଛି ୬୪ କୋଟି ୪୯ ଲକ୍ଷ ଟଙ୍କାର ଯୋଜନା। ଏହାର ଗୋଟିଏ ପର୍ଯ୍ୟାୟ କାମ ଶେଷ ହୋଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟ କାମ ଚାଲିଛି ଏବଂ ତୃତୀୟ ପର୍ଯ୍ୟାୟ କାମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୦ରୁ ଏହି କାମ ଚାଲିଛି। ୨୦୨୨ରେ ମା କଟକ ଚଣ୍ଡୀ ମନ୍ଦିର ବିକାଶ ପାଇଁ ଘୋଷଣା ହୋଇଛି ୭୦ କୋଟି ଟଙ୍କାର ଯୋଜନା। ୨୦୨୧ରେ ଖାନନଗରରେ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ୬୫ କୋଟି ଟଙ୍କାର‌ ଯୋଜନା ସହ କାମ ଚାଲିଛି। ଏହି ସବୁ ପ୍ରକଳ୍ପର ବଜେଟ ଅଟକଳକୁ ମିଶାଇ ଦେଲେ ମୋଟ ପରିମାଣ ହେଉଛି ୭ ହଜାର ୬୭୭ କୋଟି ୬୫ ଲକ୍ଷ ଟଙ୍କା।

ଅନ୍ୟପଟେ ମହାନଦୀ ହାଡ଼ିଆ ପଠାରୁ ଗଡ଼ଗଡ଼ିଆ ଘାଟ ଯାଏ ୪୨୪ ଏକର ଅଞ୍ଚଳକୁ ଅତ୍ୟାଧୁନିକ ରୂପ ଦେଇ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ ପାଇଁ ୧୫ଶହ କୋଟି ଟଙ୍କାର ଯୋଜନା ଘୋଷଣା ହୋଇଥିଲା। ୨୦୨୦ରେ ଏହି ଯୋଜନା ଘୋଷଣା ହୋଇଥିଲେ ବି ଏନ୍‌ଜିଟିରେ ମାମଲା ଯୋଗୁଁ ଏହି କାମ ଏବେ ଅଟକି ରହିଛି।

publive-image Wikimedia Commons

କଟକ ସହରର ରାସ୍ତାଘାଟ ବିକାଶ ପାଇଁ ଦେଢ ବର୍ଷ ଭିତରେ ୩ଶହ କୋଟି ଟଙ୍କା ବ୍ୟୟ ହେବ ବୋଲି କଟକ ପୌର ନିଗମ କମିସନର ବି ‌ଏବେ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସିଡିଏ ରିଂ ବନ୍ଧ ସଂପ୍ରସାରଣ, ଅନ୍ୟ ଭିତ୍ତିଭୂମି ନିର୍ମାଣ ଓ ଛୋଟବଡ଼ ପ୍ରକଳ୍ପକୁ ହିସାବକୁ ନେଲେ କଟକ ସହରକୁ ୧୦ ବର୍ଷରେ ୧୦ ହଜାର କୋଟିର ପ୍ରକଳ୍ପ ଆସିସାରିଲାଣି। ରାଜକୋଷରୁ କଟକ ପାଇଁ ଆସୁଥିବା ଏହି ଅର୍ଥ ଠିକ୍ ଢଙ୍ଗରେ ବିନିଯୋଗ ହେଉଛି ତ? ୨୦୨୩ ସୁଦ୍ଧା କଟକର ଚିତ୍ର ବଦଳି ଯିବାର ଯେଉଁ ସ୍ବପ୍ନ ଦେଖାଯାଉଛି, ତାହା ବାସ୍ତବ ରୂପ ‌ନେବ ନା କେବଳ ସ୍ବପ୍ନରେ ରହିଯିବ, ବର୍ତ୍ତମାନ କଟକ ସହରର ବିପର୍ଯ୍ୟସ୍ତ ସ୍ଥିତିକୁ ଦେଖି ସାଧାରଣ ଜନତା ଏ ପ୍ରଶ୍ନ କରୁଛନ୍ତି।