ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନାକୁ ପଶି ଜଣେ ମଦ୍ୟପ ଯୁବକ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ଯୁବକଙ୍କ ଉନ୍ମତ୍ତକାଣ୍ଡରେ ଥାନା କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା।

Advertisment

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ବରହମପୁରା ଗ୍ରାମର ସୁବ୍ରତ ଶବର (୨୬) ଚାରମାଳ ଦେଶୀ ମଦଭାଟିରେ ପ୍ରବଳ ମଦ୍ୟପାନ କରିଥିଲେ। ପରେ ନିଶାସକ୍ତ ଅବସ୍ଥାରେ ଚାରମାଳ ଥାନାକୁ ଯାଇଥିଲେ। ଥାନା ଭିତରକୁ ଯାଇ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଯୁବକର ଏଭଳି କାଣ୍ଡରେ ପୁଲିସ କର୍ମଚାରୀମାନେ ଅତିଷ୍ଠ ହୋଇପଡ଼ିଥିଲେ। ଏସ୍‌ଆଇ ବିପିନ ବିହାରୀ ପ୍ରଧାନ ଏହି ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମଦ୍ୟପ ଯୁବକ ଏସ୍‌ଆଇ ଶ୍ରୀ ପ୍ରଧାନଙ୍କୁ ଶକ୍ତ ଚାପୁଡା ମାରିଥିଲେ। ବହୁ କଷ୍ଟରେ ତାଙ୍କୁ ପୁଲିସ କର୍ମଚାରୀମାନେ କାବୁ କରିଥିଲେ। ଅଭିଯୁକ୍ତ ସୁବ୍ରତଙ୍କ ନାମରେ ଏକ ମାମଲା ରୁଜୁ କରି ପୁଲିସ ବୁଧବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।