ଭୁବନେଶ୍ବର: ରାଜଧାନୀସ୍ଥିତ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜରୁ ବିଟେକ୍‌ (ମେକାନିକାଲ୍‌ ଇଂଜିନିୟରିଂ) କରିଥିଲା। ବିଟେକ୍‌ ପାସ୍‌ କରିବା ପରେ (ବାପାମା’ଙ୍କ ଜାଣିବାରେ) ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିଲା। କିନ୍ତୁ ଅସଲରେ ସେ ପଡ଼ିଥିଲା ବିବାହିତା ସହପାଠିନୀ ପଛରେ। ଏକତରଫା ପ୍ରେମରେ ବିଫଳ ହେବା ପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ସହପାଠିନୀଙ୍କୁ ହରକତ କରିବା ପାଇଁ ଲାଗିପଡ଼ିଥିଲା। ସେଥିପାଇଁ ସେ କମ୍ପ୍ୟୁଟର ସାଇନ୍‌ସ ବ୍ୟବହାର କରି ବିଭିନ୍ନ ପ୍ରକାରର ଅନ୍‌ଲାଇନ୍‌ ପ୍ରଣାଳୀ ପ୍ରୟୋଗ କରୁଥିଲା। ପରଦା ପଛରେ ଛପିରହି ସେ ସାମାଜିକ ଗଣମାଧ୍ୟମରେ ବହୁ ନକଲି ଆଇଡି କରି ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରିବା ସହ ତାଙ୍କ ସ୍ବାମୀଙ୍କୁ ଅସୁବିଧାରେ ପକାଉଥିଲା। କେତେବେଳେ ଇ-ମେଲ୍‌ ଜରିଆରେ ତ କେବେ ପୁଣି ଜାଲ୍‌ ଠିକଣାରେ ପାର୍ସଲ୍‌ ପଠାଇ ସହପାଠିନୀଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି କରିବାକୁ ପ୍ରୟାସ ଚଳାଇଥିଲା। ଏମିତି ପ୍ରାୟ ବର୍ଷେ ହେଲା ସେ ମହିଳାଙ୍କ ପରିବାରକୁ ନାକେଦମ୍‌ କରିଥିଲା। ମାତ୍ର ଏହି ଇଂଜିନିୟରିଂ ପଢ଼ୁଆ ଖଳନାୟକର ଖେଳ ସରିଯାଇଛି। ସାଇବର ଥାନା ପୁଲିସ ତା’ର ଅସଲ ଚେହେରାକୁ ପଦାକୁ ଆଣିଛି। ଆଜି ତାକୁ ପୁଲିସ କୋର୍ଟ ଚାଲାଣ କରିଛି। ସେ ହେଲା କଟକ ଚାଉଳିଆଗଞ୍ଜ ଥାନା ଅର୍ପଣନଗରର ପ୍ରତ୍ୟୁଷ ମହାନ୍ତି।

Advertisment

ପ୍ରତ୍ୟୁଷ ଇଂଜିନିୟରିଂ ପଢ଼ୁଥିବା ବେଳେ ତାଙ୍କ ସହପାଠିନୀ ଥିଲେ ତମୋଣ୍ଡା ଅଞ୍ଚଳର ଜଣେ ଯୁବତୀ। ସେବେଠୁ ପ୍ରତ୍ୟୁଷ ତାଙ୍କୁ ମନେମନେ ଭଲ ପାଇବସିଥିଲା। ଏମିତିକି ତାଙ୍କୁ ଥରେ ପ୍ରପୋଜ୍‌ କରିଥିଲା। କିନ୍ତୁ ସହପାଠିନୀ ରୋକ୍‌ଠୋକ ମନା କରି ପ୍ରତ୍ୟୁଷଠାରୁ ଦୂରେଇ ରହିଯାଇଥିଲେ। ଏମିତିରେ ସେମାନଙ୍କ ପାଠପଢ଼ା ସରିଗଲା ଏବଂ ଯୁବତୀଜଣକ ବିବାହ କରି ଉତ୍ତରାଖଣ୍ଡରେ ସ୍ବାମୀଙ୍କ ସହ ରହିଲେ। ପ୍ରତ୍ୟୁଷ ମଧ୍ୟ ବିଟେକ୍‌ ସାରିବା ପରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେବାରେ ଲାଗିଲା। କିନ୍ତୁ ତା’ ମନରୁ ହଟିନଥିଲେ ସହପାଠିନୀ। ସେ ବିବାହ କରିସାରିଥିବା ଜାଣିବା ପରେ ମଧ୍ୟ ପ୍ରତ୍ୟୁଷର ମନରୁ ଲିଭିପାରି ନଥିଲେ। ବରଂ ପ୍ରତ୍ୟୁଷ ଅଧିକ ପ୍ରତିଶୋଧପରାୟଣ ହୋଇପଡ଼ିଥିଲା। ତେଣୁ ସେ ସହପାଠିନୀଙ୍କୁ ହରକତ କରିବାକୁ ଅନ୍‌ଲାଇନ୍‌ ପ୍ରଣାଳୀର ଆଶ୍ରୟ ନେଲା। ମହିଳାଙ୍କ ସ୍ବାମୀଙ୍କ ନାଁ ଓ ଉତ୍ତରାଖଣ୍ଡର ଠିକଣା ସଂଗ୍ରହ କରିବା ପରେ ଖେଳ ଆରମ୍ଭ କଲା। ନକଲି ମେଲ୍‌ ଆଇଡି ଜରିଆରେ ସ୍ବାମୀଙ୍କୁ ଇ-ମେଲ୍ କରି ମହିଳାଙ୍କ ଚରିତ୍ର ସଂହାର କଲା। ଜାଲ ଫେସ୍‌ବୁକ୍‌ ଆଇଡି ବଳରେ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କଲା। ମହିଳାଙ୍କ ସ୍ବାମୀ ଡ୍ରଗ୍‌ସ କାରବାର କରୁଛନ୍ତି ବୋଲି ଇ-ମେଲ୍‌ କରି ଉତ୍ତରାଖଣ୍ଡ ପୁଲିସକୁ ଜଣାଇଲା। ତେଣୁ ପୁଲିସ ମହିଳାଙ୍କ ସ୍ବାମୀଙ୍କୁ ଥାନାକୁ ଉଠାଇନେବା ସହ ଘର ଯାଞ୍ଚ କଲା। ମାତ୍ର କିଛି ନ ପାଇବାରୁ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହେଲା। ଏତିକିରେ ପ୍ରତ୍ୟୁଷର ନାଟକ ସରିନଥିଲା। ସେ ସ୍ପିଡ୍‌ପୋଷ୍ଟରେ ସହପାଠିନୀଙ୍କ ପାଖକୁ ପାର୍ସଲ୍ ପଠାଇ ସେଥିରେ ଚରିତ୍ର ସଂହାର ହେଲା ଭଳି ଜିନିଷପତ୍ର ପଠାଇଲା। ଏତେସବୁ ଘଟଣା ପରେ ମହିଳାଙ୍କ ସ୍ବାମୀ ଉତ୍ତରାଖଣ୍ଡ ପୁଲିସର ଦ୍ବାରସ୍ଥ ହେଲେ। କିନ୍ତୁ ଇମେଲ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟା ଆଦି ସବୁ ଓଡ଼ିଶାରୁ ହେଉଥିବାରୁ ଉତ୍ତରାଖଣ୍ଡ ପୁଲିସ ସେମାନଙ୍କୁ ଓଡ଼ିଶାରେ ମାମଲା କରିବାକୁ ପରାମର୍ଶ ଦେଇଥିଲା। ତେଣୁ ୨ ଦିନ ପୂର୍ବେ ସେମାନେ ଭୁବନେଶ୍ବର ଆସି ସାଇବର ଥାନାରେ ଜଣାଇଥିଲେ। ମହିଳା ଓ ତାଙ୍କ ସ୍ବାମୀଙ୍କଠାରୁ ମାମଲାର ସମସ୍ତ ବିବରଣୀ ଶୁଣିବା ପରେ ପୁଲିସ ସ୍ପିଡ୍‌ପୋଷ୍ଟ କରିଥିବା ବ୍ୟକ୍ତିକୁ ଠାବ କରିବାକୁ ଲାଗିପଡ଼ିଲା।

ଧରାଇଦେଲା ସ୍ପିଡ୍‌ପୋଷ୍ଟ୍‌
ପୁଲିସ କୁହେ, ଅପରାଧୀ ଯେତେ ଚତୁର ହେଲେ ବି ଅପରାଧ ଘଟାଇବା ବେଳେ ସେ କିଛି ନା କିଛି ସୁରାକ ଛାଡ଼ିଯାଏ। ସେୟା ହେଲା ପ୍ରତ୍ୟୁଷ ମାମଲାରେ। ସେ କମ୍ପ୍ୟୁଟର ସାଇନ୍‌ସ ଜ୍ଞାନ ବଳରେ ସୁନ୍ଦର କୌଶଳ ଅବଲମ୍ବନ କରିଥ‌ିଲେ ବି ସ୍ପିଡ୍‌ପୋଷ୍ଟ ବେଳେ ସୁରାକ ଛାଡ଼ିଦେଇଥିଲା। ନିଜେ ପାର୍ସଲ ପଠାଇ ସିସିଟିଭିରେ କଏଦ ହୋଇଯାଇଥିଲା। ତଦନ୍ତରୁ ପୁଲିସ ସ୍ପିଡ୍‌ପୋଷ୍ଟଟି କଟକ ପୋଷ୍ଟଅଫିସ୍‌ରୁ ହୋଇଥିବା ଜାଣିବାକୁ ପାଇଥିଲା। ତେଣୁ ସାଇବର ପୁଲିସ ଟିମ୍ କଟକ ପୋଷ୍ଟଅଫିସ୍‌କୁ ଯାଇ ସିସିଟିଭି ଫୁଟେଜ୍‌ ଖେଳାଇଲା। ସ୍ପିଡ୍‌ପୋଷ୍ଟ୍‌ ହୋଇଥିବା ତାରିଖ ଓ ସମୟର ଫୁଟେଜ୍‌ ଯାଞ୍ଚ କଲାବେଳେ ପୁଲିସ ଜଣେ ସନ୍ଦିଗ୍ଧ ଯୁବକକୁ ଚିହ୍ନଟ କରିଥିଲେ। ମହିଳାଙ୍କୁ ସେହି ଭିଡିଓ ଫୁଟେଜ୍‌ ଦେଖାଇବା ପରେ ପ୍ରତ୍ୟୁଷ ନାଟକର ଯବନିକା ପଡ଼ିଥିଲା। ସେ ପ୍ରତ୍ୟୁଷକୁ ଚିହ୍ନଟ କରିବା ସହ କଲେଜ ସମୟର କଥା କହିଥିଲେ।