ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ବାପାକୁ ଆଜୀବନ କାରାଦଣ୍ଡ

ପୀଡ଼ିତାକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

କଟକ: ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି ବାପ। କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ବନ୍ଦନା କର ଏ ସଂପର୍କିତ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଆଇପିସିର ଦଫା ୩୭୬(୨)(ଏମ), ୩୭୬(ଏନ୍), ୩୭୬(୩) ଓ ପୋ‌କ୍‌ସୋ ଆଇନର ଧାରା ୬ରେ ଅଦାଲତ ‌େଦାଷୀ ସାବ୍ୟସ୍ତ କରିଛନ୍ତି। ଆଇପିସିର ଦଫା ୩୭୬(୨)(ଏମ), ୩୭୬(ଏନ୍), ୩୭୬(୩)ରେ ଆସାମୀକୁ ଆଜୀବନ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଜୀବନର ଶେଷ ପର୍ଯ୍ୟନ୍ତ ଆସାମୀ ଜେଲରେ ରହିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏଥିସହିତ ପୀଡ଼ିତାକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପରିଚୟ ପ୍ରଘଟ ସମ୍ଭାବନାକୁ ଏଡ଼ାଇବା ପାଇଁ ଆଜି ମାମଲାର ରାୟ ପ୍ରକାଶ ସମୟରେ ଆସାମୀର ନାଁ, ଠିକଣା ଓ ଅନ୍ୟ ତଥ୍ୟ ମୁଦା ଲଫାପାରେ ପୃଥକ ଭାବେ ରାୟ ସହିତ ସଂଲଗ୍ନ କରାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୫ ବର୍ଷୀୟା ପୀଡ଼ିତା ନିଜ ପରିବାର ସହିତ କଟକ ସହରର ଏକ ଭଡ଼ାଘରେ ରହୁଥିଲେ। ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ନେଇ ତାଙ୍କ ମା’ ପୁଲିସ ନିକଟରେ ଏତଲା ଦେଇଥିଲେ।୨୦୧୮, ଡିସେମ୍ବର ୨୫ରେ ଏପରି ଅଭିଯୋଗ ନେଇ ମହିଳା ଥାନାରେ ଏତଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଦୁଷ୍କର୍ମକାରୀ ବାପକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୀଡ଼ିତା ଗର୍ଭବତୀ ଥିବା ଡାକ୍ତରୀ ମାଇନାରୁ ଜଣାପଡିଥିଲା। ମାମଲା ଅଦାଲତରେ ବିଚାରାଧୀନ ଥିବାବେଳେ ପୀଡିତା ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ନେଇଥିବା ପିଲା ସହିତ ଅଭିଯୁକ୍ତର ଡିଏନଏ ଟେଷ୍ଟ ପାଇଁ ତଦନ୍ତକାରୀ ଅଧିକାରୀ ପଦକ୍ଷେପ ନେଇଥିଲେ। ଡିଏନଏ ଟେଷ୍ଟ ରିପୋର୍ଟ ତଦନ୍ତକାରୀ ଅଧିକାରୀ ଅଦାଲତରେ ଦାଖଲ କରିଥିଲେ। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୨୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତଦନ୍ତ ସମୟରେ ଦେଇଥିବା ବୟାନରେ କହିଥିବା କଥା କିନ୍ତୁ ଅଦାଲତରେ ସାକ୍ଷ୍ୟ ଗ୍ରହଣ ସମୟରେ ପ୍ରମୁଖ ସାକ୍ଷୀମାନେ କହିନଥିଲେ। ଡିଏନଏ ଟେଷ୍ଟ ରିପୋର୍ଟରୁ ମିଳିଥିବା ତଥ୍ୟକୁ ଅଦାଲତ ବିଚାରକୁ ନେବାକୁ ପ୍ରସିକ୍ୟୁସନ ପକ୍ଷରୁ ନିବେଦନ କରାଯାଇଥିଲା। ତଥ୍ୟପ୍ରମାଣକୁ ବିଚାରକୁ ନେଇ ଅଦାଲତ ଅଭିଯୁକ୍ତକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମେଶଚନ୍ଦ୍ର ମହାନ୍ତି ଓ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ବିଜୟ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର