ଯାଜପୁରସଦର: ପବିତ୍ର ମହାଳୟା ପାଇଁ ଚଳଚଞ୍ଚଳ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ପୀଠ। ଏହିଦିନ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ ହୋଇଥିବାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆକଳନ କରାଯାଇଛି। ଅନ୍ୟପକ୍ଷରେ ନବଦିନାତ୍ମକ ରଥଯାତ୍ରା ପାଇଁ ମଧ୍ୟ ‌ପ୍ରସ୍ତୁତି ଶେଷ ହୋଇଛି। ୧୫ ଦିନ ଧରି ବିରଜା ପୀଠ ନାଭିଗୟାରେ ଚାଲିଥିବା ପିତୃପକ୍ଷ ପିଣ୍ଡଦାନ ମହାଳୟା ତିଥିରେ ଶେଷ ହେବ। ପିତୃପକ୍ଷରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶହଶହ ଶ୍ରଦ୍ଧାଳୁ ଏଠାରେ ପିଣ୍ଡଦାନ କରିବେ। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମହାଳୟା ପରଦିନ ସକାଳେ ମା’ ବିରଜାଙ୍କ ରଥ ପ୍ରତିଷ୍ଠା ହେବ। ମହାଳୟା ଅବସରରେ ମା’ ବିରଜାଙ୍କ ରଥାଧିବାସ ହେବାକୁ ଥିବାବେଳେ ପ୍ରତିପଦଠାରୁ ୯ଦିନ ବ୍ୟାପୀ ରଥଯାତ୍ରା ଅନୁଷ୍ଠିତ ହେବ। ମା’ ବିରଜାଙ୍କ ରଥଯାତ୍ରା ସମଗ୍ର ଭାରତୀୟ ଶକ୍ତି ସଂସ୍କୃତିରେ ଏକ ବିରଳ ପରମ୍ପରା। କାରଣ ଅନ୍ୟ କୌଣସି ଶକ୍ତିପୀଠରେ ଏପରି ରଥଯାତ୍ରା ଦେଖାଯାଏ ନାହିଁ। ଅମାବାସ୍ୟା ପରଦିନ ଅର୍ଥାତ୍‌ ପ୍ରତିପଦ ତିଥିରେ ମା’ଙ୍କ ରଥ ପ୍ରତିଷ୍ଠା ହୋଇ ଅପରାହ୍ଣରେ ମନ୍ଦିର ଚାରିପଟେ ପରିକ୍ରମା କରିବ। ମା’ଙ୍କ ବିଜେ ପ୍ରତିମା ସିଂହଧ୍ବଜ ରଥରେ ବିରାଜମାନ କରିବେ। ମହାନବମୀ ତିଥି ହେଉଛି ରଥଯାତ୍ରାର ଅନ୍ତିମ ଦିନ।

Advertisment

ଏହିରଥ ବ୍ରହ୍ମାଙ୍କ ଦ୍ବାରା ନିର୍ମିତ ବୋଲି ପୌରାଣିକ ଆଖ୍ୟାନ ରହିଛି। ବ୍ରହ୍ମା ଏହି ରଥକୁ ଦେବୀଙ୍କୁ ଅର୍ପଣ କରିଥିଲେ। ରଥ‌ରେ ନିଜେ ପିତାମହ ବ୍ରହ୍ମା ସାରଥି ସାଜିଥାନ୍ତି। ନବ ଦୁର୍ଗାଙ୍କଠାରୁ ଆରମ୍ଭ କରି ନବଗ୍ରହ, ସିଦ୍ଧ, ଗନ୍ଧର୍ବ, କିନ୍ନର ସମସ୍ତେ ମା’ଙ୍କ ରଥଯାତ୍ରାରେ ସହାୟତା କରିବା ପାଇଁ ଅପେକ୍ଷା କରିଥାନ୍ତି। ସୁନିଆଁଠାରୁ ବନଜାଗ ଯାତ୍ରା କରି ରଥ ପାଇଁ କାଠ ସଂଗ୍ରହ ପରେ ରଥ ନିର୍ମାଣ କରାଯାଇଥାଏ। ରଥ ନିର୍ମାଣ ପାଇଁ ୮୯୮ ଖଣ୍ଡ କାଠ ଲାଗୁଥିବାବେଳେ ୧୨ଟି ଚକ ରହିଥାଏ। ଏହି ରଥ ଦେଖିବାକୁ ମା’ ସୁଭଦ୍ରାଙ୍କ ରଥ ପରି ହୋଇଥିବାବେଳେ ଏହାର ଦୈର୍ଘ୍ୟ ୧୪ ହାତ ୪ ଆଙ୍ଗୁଳି, ପ୍ରସ୍ଥ ୧୧ ହାତ ୯ ଆଙ୍ଗୁଳି ଓ ଉଚ୍ଚତା ୪୩ ହାତ ୧୬ ଆଙ୍ଗୁଳି ରହିଛି। ରଥରେ ୧୩ଟି ଥାକ ରହିଥିବାବେଳେ ୬ଟି ଅଖ, ୨୪ଟି ଧାରଣା ଓ ୬୪ ଖୁଣ୍ଟି ରହିଥାଏ। ରଥଯାତ୍ରାର ଶେଷଦିନ ମା’ ବିରଜାଙ୍କ ବିଜେ ପ୍ରତିମାକୁ ରଥରୁ ଅବତରଣ କରାଯାଇ ଲାଖବିନ୍ଧା ପଡ଼ିଆକୁ ନିଆଯାଏ। ସେଠାରେ ଡାକେଶ୍ବରୀଙ୍କ ପାଖରେ ୪ ଦିଗକୁ ୪ଟି ଲକ୍ଷ୍ୟଭେଦ କରାଯାଇ ବିଜୟା ଉତ୍ସବ ପାଳନ କରାଯାଏ। ଏହି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ମନ୍ଦିର ଟ୍ରଷ୍ଟି, ସେବାୟତ ଓ ପୁଲିସ ପକ୍ଷରୁ ମିଳିତ ବୈଠକ କରାଯାଇସାରିଛି।