ଚାନ୍ଦିପୁର: ଚାନ୍ଦିପୁର ବେଳାଭୂମି ପାର୍ଶ୍ବରେ ଥିବା ଅସ୍ଥାୟୀ ମାର୍କେଟ୍ କମ୍ପ୍ଲେକ୍ସରେ ଦ୍ବିପ୍ରହର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନୀଙ୍କର ବ୍ୟାପକ କ୍ଷତି ଘଟିଥିବା ବେଳେ ଖବର ପାଇ ବାଲେଶ୍ବର ଓ ଚାନ୍ଦିପୁର ପ୍ରତିରକ୍ଷା ଘାଟିରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ପୂର୍ବତନ ସରପଞ୍ଚ ତପନ ଜେନା ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି। ମିଳିଥିବା ଖବର ଅନୁଯାୟୀ, ଗତକାଲି ଠାରୁ ଚାନ୍ଦିପୁର ବେଳାଭୂମି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।
ବିଦ୍ୟୁତ୍ ବିଭାଗ ପକ୍ଷରୁ ଏନେଇ କାମ ଚାଲିଥିବା ଜଣାଯାଇଥିବା ବେଳେ ଆଜି ଦିନ ୨ଟା ସମୟରେ ହଠାତ୍ ସପ୍ଲାଇ ଦିଆଯାଇଥିଲା। ଏହାପରେ ବେଳାଭୂମି ପାର୍ଶ୍ବରେ ଥିବା ଦୋକାନଗୃହ ଗୁଡ଼ିକରେ ସଟ୍ସର୍କିଟ ହୋଇ କାହାର ପଙ୍ଖା ତ କାହାର ଟିଭି ପୋଡ଼ିଯାଇଥିଲା। ଏହାପରେ ୨/୩ଟି ଦୋକାନଗୃହରେ ନିଆଁ ଲାଗିଯାଇଥିବା ଦେଖି ସମସ୍ତେ ବାହାରକୁ ପଳାଇ ଆସିଥିଲେ। ଏହାପରେ ଦଳକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାକୁ କେନ୍ଦ୍ର କରି ଦୋକାନୀମାନେ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିବାକୁ ଯାଉଥିବା ବେଳେ ନିଜନିଜ ଭିତରେ ପିଟାମରା ହୋଇ ଆହତ ହୋଇଥିଲେ। ଏହି ଘଟଣାକୁ ସମାଧାନ କରିବାକୁ ଯାଇ ପୂର୍ବତନ ସରପଞ୍ଚ ଶ୍ରୀ ଜେନା(ବର୍ତ୍ତମାନ ସରପଞ୍ଚଙ୍କ ସ୍ବାମୀ) ସ୍ଥାନୀୟ ଦୋକାନୀ ସଞ୍ଜୀବ ସାମନ୍ତରାୟଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏ ବାବଦରେ ଶ୍ରୀ ଜେନା ଏବଂ ଚାନ୍ଦିପୁର ପଞ୍ଚାୟତର ୱାର୍ଡସଭ୍ୟମାନେ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସମାଧାନ ନହେବା ଯାଏ ସବୁ ଦୋକାନ ବନ୍ଦ ରଖିବାକୁ ଥାନାକୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/14-7.jpg)
