ଭୁବନେଶ୍ବର: ଆଜି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ଗଦାରେ ପରିଣତ ହୋଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲେ ହେଁ ସୌଭାଗ୍ୟକୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ ବିଦ୍ୟୁତ୍ ତାର ଜଳିଯିବାରୁ ଜିଜିପି କଲୋନି ଓ ଜଗନ୍ନାଥନଗର ଆଦି ଅଞ୍ଚଳରେ ଲାଇନ୍ କଟିଯାଇଥିଲା। ଫଳରେ
ଲୋକେ ବହୁ ସମୟ ଧରି ବିନା ବିଦ୍ୟୁତ୍ରେ କଲବଲ ହୋଇଥିବା ଜଣାପଡ଼ିଛି। ଏହା ଭିତରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଜିଜିପି କଲୋନିରୁ ପାଣ୍ଡରା ଛକକୁ ସଂଯୋଗ କରୁଥିବା ରାସ୍ତାର ଶେଷମୁଣ୍ଡରେ ୩ଟି ଦୋକାନ ଥିଲା। ଫାଷ୍ଟଫୁଡ୍ ସେଣ୍ଟର ସାଙ୍ଗକୁ ଗୋଟିଏ ପରିବା ଦୋକାନ ଓ ଅନ୍ୟଟି ବଡ଼ ଫଳ ଦୋକାନ ଥିଲା। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ପ୍ରଥମେ ଫାଷ୍ଟଫୁଡ୍ ସେଣ୍ଟରରେ କୌଣସି କାରଣରୁ ନିଆଁ ଲାଗିଥିଲା। ଭିତରେ ତେଲ ଥିବାରୁ ଚାହୁଁଚାହୁଁ ନିଆଁର ପ୍ରକୋପ ବଢ଼ିଯାଇଥିଲା। ତେଣୁ ଭୟରେ କେହି ନିଆଁ ପାଖକୁ ଯାଇନଥିଲେ। ଫଳରେ ନିଆଁ ପାଖ ଦୁଇ ଦୋକାନକୁ ଡେଇଁଥିଲା। ଏତିକିବେଳେ ଫାଷ୍ଟଫୁଡ୍ ସେଣ୍ଟରର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଭୟଙ୍କର ଶବ୍ଦ ସାଙ୍ଗକୁ ନିଆଁ ବେଶ୍ କିଛି ଦୂର ଖେଳିଯାଇଥିଲା। ଏତିକିବେଳେ ଉପରକୁ ନିଆଁ ଉଠି ବିଦ୍ୟୁତ୍ ତାରକୁ ଛୁଇଁଥିଲା ଏବଂ ତାରକୁ ତାର ବାଜିବାରୁ ଲାଇନ୍ କଟିଯାଇଥିଲା। ଗ୍ୟାସ୍ ସିଲିଣ୍ଡର ଫାଟିବା ଦେଖି ପ୍ରାଣବିକଳରେ ସମସ୍ତେ ସେଠାରୁ ଧାଇଁଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ୩ଟିଯାକ ଦୋକାନ ପାଉଁଶ ହୋଇସାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/gdjgjggjgjgj.jpg)