ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଜଣେ ଦିବ୍ୟାଙ୍ଗ ଆଇନଜୀବୀ ସାଙ୍କେତିକ ଭାଷାରେ ଅଦାଲତରେ ଯୁକ୍ତି ବାଢ଼ିଛନ୍ତି। ଜଣେ ଭାଷ୍ୟକାରଙ୍କ ସହଯୋଗରେ ଆଇନଜୀବୀ ଜଣକ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ଆଇନଜୀବୀ ଜଣକ ହେଉଛନ୍ତି ସାରା ସନ୍ନି। ସେ ଜଣେ ମହିଳା। ଭର୍ଚୁଆଲ ମୋଡ୍ରେ ମାମଲାର ଶୁଣାଣି ବେଳେ ନିୟନ୍ତ୍ରଣ କକ୍ଷ ପ୍ରଥମେ ସାରା ସନ୍ନିଙ୍କୁ ସ୍କ୍ରିନ ବା ପରଦାରେ ସ୍ଥାନ ଦେବାକୁ ମନା କରିଥିଲା। ସାରାଙ୍କ ଭାଷ୍ୟକାର ସୌରଭ ରୟ ଚୌଧାରୀ ସ୍କ୍ରିନରେ ଆସିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି କରୁଥିଲେ। ସନ୍ନି ସାଙ୍କେତିକ ଭାଷାରେ ପ୍ରଦାନ କରୁଥିବା ଯୁକ୍ତିକୁ ଭାଷ୍ୟକାର ଚୌଧାରୀ ଉପସ୍ଥାପନ କରୁଥିଲେ। ଏହି ସମୟରେ ସ୍କ୍ରିନରେ ଆଇନଜୀବୀ ସନ୍ନିଙ୍କୁ ସ୍ଥାନ ଦେବାଲାଗି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ନିୟନ୍ତ୍ରଣ କକ୍ଷକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଭୟ ଆଇନଜୀବୀ ସନ୍ନି ଓ ତାଙ୍କ ଭାଷ୍ୟକାର ସ୍କ୍ରିନରେ ଆସି ଅଦାଲତରେ ଯୁକ୍ତି ବାଢ଼ିଥିଲେ। ଆଇନଜୀବୀ ସନ୍ନି ପରଦାରେ ଦେଖାଯିବାର ବ୍ୟବସ୍ଥା ଆଡଭୋକେଟ-ଅନ-ରେକର୍ଡ ସଂଚିତା ଆନ୍ଙ୍କ ଦ୍ବାରା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ନ୍ୟାୟ ପ୍ରତି ସମସ୍ତଙ୍କର ଯେଭଳି ସମାନ ପହଞ୍ଚ ରହିବ ସେଥିପାଇଁ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଆସୁଛନ୍ତି। ଦିବ୍ୟାଙ୍ଗମାନେ ଅଦାଲତରେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଅବଗତ ହେବା ପାଇଁ ଅତୀତରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ସୁପ୍ରିମ କୋର୍ଟ କମ୍ପ୍ଲେକ୍ସର ପହଞ୍ଚ ସଂପର୍କରେ ବିସ୍ତୃତ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଦୁଇ ଜଣ ଦିବ୍ୟାଙ୍ଗ ପିଲାଙ୍କୁ ପୋଷ୍ୟ ସନ୍ତାନଭାବେ ରଖିଛନ୍ତି। ଚଳିତବର୍ଷ ସେ ତାଙ୍କର ସେହି ଦୁଇ ଝିଅକୁ ସୁପ୍ରିମକୋର୍ଟଙ୍କୁ ତାଙ୍କ କାର୍ଯ୍ୟସ୍ଥଳ ବୁଲାଇବା ପାଇଁ ଆଣିଥିଲେ। ଅଦାଲତ କାର୍ଯ୍ୟ କିଭଳି ପରିଚାଳିତ ହେଉଛି ଏବଂ ସେ ସେଠାରେ କ’ଣ କରନ୍ତି ତାହା ସେମାନଙ୍କୁ ବୁଝାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ରବିବାର ଶିଶୁ ସୁରକ୍ଷା ଉପରେ ହୋଇଥିବା ଦୁଇ ଦିନିଆ ଜାତୀୟ ସ୍ତରର ବିଚାରବିମର୍ଶରେ ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ସାଙ୍କେତିକ ଭାଷା ଭାଷ୍ୟକାର ବ୍ୟବସ୍ଥାର ଉପଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/564654gjdgjdgjd.jpg)