ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଫୁଲବାଣୀ ରୋଡ୍ ବନବିହାର ନିକଟରେ ଆଜି ଅପରାହ୍ଣରେ ଜଣେ ଯୁବକ ବିଦ୍ୟୁତ ଖୁଣ୍ଟ ଉପରକୁ ହଠାତ୍ ଚଢ଼ି ପଡ଼ିଯିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଉଛନ୍ତି, ବ୍ରହ୍ମପୁର ହରିଡ଼ାଖଣ୍ଡିର ଅଶୋକ ମହାରଣା। ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଶୋକଙ୍କ ସହ ସାଙ୍ଗରେ ଆସିଥିବା ବୁଲୁ ସାହୁ କହିଛନ୍ତି, ସେମାନେ ୪ ଜଣ ମିଶି ବ୍ରହ୍ମପୁରରୁ ଆଚାର ନେଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ହେଉଥିବା ଗଜଲକ୍ଷ୍ମୀ ପୂଜା ମେଳାରେ ବିକ୍ରି କରିବାକୁ ଯାଇଥିଲେ। ଆଜି ସମସ୍ତେ ମିଶି ବ୍ରହ୍ମପୁର ଫେରୁଥିବା ବେଳେ ଅପରାହ୍ନରେ ଭଞ୍ଜନଗର ବନବିହାର ନିକଟ ଏକ ହୋଟେଲ୍ରେ ଖାଇଥିଲେ। ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇ ଏହା ବଢ଼ିଥିଲା। ଅଶୋକ ହଠାତ୍ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ପଡ଼ିଥିଲେ। ବିପଜ୍ଜନକ ଭାବେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଓହ୍ଲାଇପଡ଼ିବାକୁ ଜନସାଧାରଣ ନେହୁରା ହୋଇଥିଲେ। କିଛି ସମୟ ଛିଡ଼ା ହେବା ପରେ ତାରକୁ ଧରିଦେବାରୁ ସେ ଆଘାତ ପାଇ ଗୁରୁତର ହୋଇଥିଲେ। ତୁରନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା ସହ ଅଗ୍ନିଶମବାହିନୀ କର୍ମଚାରୀମାନେ ପୁଲିସ ଉପସ୍ଥିତିରେ ତାଙ୍କ ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଅଶୋକଙ୍କ ଶରୀରର ବହୁଭାଗ ପୋଡ଼ିଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/electric-wire.jpg)