ପୁରୀ: ଶ୍ରୀମନ୍ଦିରର ସୁପରିଚାଳନା ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ନିଯୁକ୍ତି ଦିଅ। ଯିଏ କି କୌଣସି ଅତିରିକ୍ତ ଦାୟିତ୍ବ ନେଇନଥିବେ। କେବଳ ଶ୍ରୀମନ୍ଦିର ଦାୟିତ୍ବରେ ସେ ରହିବା ଦରକାର। ଯଦ୍ବାରା ଶ୍ରୀମନ୍ଦିର ସୁପରିଚାଳନା ଠିକ୍ ହେବା ସହ ଭକ୍ତମାନେ ବି ସକାରାତ୍ମକ ଅନୁଭୂତି ନେଇ ଫେରିବେ। ବରିଷ୍ଠ ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଜନସ୍ବାର୍ଥ ମାମଲା(୬୪୯/୨୦୧୮)ର ଶୁଣାଣି କରି ରାଜ୍ୟ ସରକାର ତଥା ଶ୍ରୀମନ୍ଦିର ପ୍ରଶାସନକୁ ଏହି ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଇତିମଧ୍ୟରେ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ୪ ବର୍ଷ ବିତିଗଲାଣି, କିନ୍ତୁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ହୋଇପାରିନାହାନ୍ତି। ସେପଟେ ରାଜ୍ୟ ସରକାର କେବଳ ସମୟ ପରେ ସମୟ ଗଡ଼ାଇ ଚାଲିଛନ୍ତି।
ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୋଷଣମୁକ୍ତ ପରିବେଶ ପାଇଁ ୨୦୧୮ ମସିହାରେ ଶ୍ରୀମତୀ ପାଢ଼ୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀମନ୍ଦିରରେ ଭକ୍ତମାନେ ଦାନଦକ୍ଷିଣା ନାଁରେ ମାତ୍ରାଧିକ ଶୋଷଣର ଶିକାର ହେଉଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ସେହିଭଳି ସେବାୟତ, ନୀତିକାନ୍ତି ଓ ଅନ୍ୟ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ନିବେଦନ କରିଥିଲେ। ପରେ ସୁପ୍ରିମକୋର୍ଟ ଦାନଦକ୍ଷିଣା ଆଦାୟରେ ରୋକ୍ ଲଗାଇବା ସହ ସ୍ବତନ୍ତ୍ର ଆମିକସ୍ କ୍ୟୁରିଙ୍କ ଜରିଆରେ ଶ୍ରୀମନ୍ଦିରର ସୁବିଧା ଅସୁବିଧା ସମ୍ପର୍କରେ ବ୍ୟାପକ ଅନୁଧ୍ୟାନ କରିଥିଲେ। ପରେ ଆମିକସ୍ କ୍ୟୁରି ଶ୍ରୀମନ୍ଦିର ସଂସ୍କାର ଉପରେ ଏକ ବିସ୍ତୃତ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ। ଏଥିରେ ସେ ଅତୀତର ବି ଡି ଶର୍ମାଙ୍କ ରିପୋର୍ଟକୁ ବି ଉତ୍ଥାପନ କରି ଅନେକ ସଂସ୍କାରମୂଳକ ପଦକ୍ଷେପ ଉପରେ ଟିପ୍ପଣୀ ଦେଇଥିଲେ। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଶ୍ରୀମନ୍ଦିର ସମ୍ପର୍କିତ ୨୩ଟି ଆଦେଶ କାର୍ଯ୍ୟକାରୀ କରିବାକୁ କହିଥିଲେ। ଆଦେଶରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସର୍ବଦା ବିଭିନ୍ନ ବିଭାଗର ଦାୟିତ୍ବ ନେଇଥିବା ଅଧିକାରୀମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ନେଉଥିବାରୁ ଏହି ବ୍ୟବସ୍ଥା ବନ୍ଦ କରିବାକୁ କହିଥିଲେ। ସୁପ୍ରିମକୋର୍ଟ ଏହି ଆଦେଶନାମାରେ ସ୍ପଷ୍ଟ କହିଥିଲେ ଯେ ଏମିତି ଜଣେ ଅଧିକାରୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦିଆଯାଉ, ଯିଏ ଅତିରିକ୍ତ ଦାୟିତ୍ବ ନେଇନଥିବେ। ଏ ଉପରେ କି ଅଗ୍ରଗତି ହୋଇଛି ୮ ସପ୍ତାହ ଭିତରେ ଜଣାଇବାକୁ କୋର୍ଟ କହିଥିଲେ। କିନ୍ତୁ, ପରିସ୍ଥିତିରେ ତିଳେ ମାତ୍ର ସୁଧୁରିନି। ୨୦୨୦ ମସିହାରେ ନିର୍ମାଣ ବିଭାଗର ସଚିବ କ୍ରିଷନ୍ କୁମାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ନେଇଥିଲେ। ଏବେ ନିର୍ମାଣ ବିଭାଗ ସଚିବ ବୀର ବିକ୍ରମ ଯାଦବଙ୍କୁ ବି ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଏ ସମ୍ପର୍କରେ ଆଇନଜୀବୀ ଶ୍ରୀମତୀ ପାଢ଼ୀ କହିଛନ୍ତି, ଜଣେ ଅଧିକାରୀ ଗୋଟିଏ ବିଭାଗର ଦାୟିତ୍ବ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବା ସମ୍ଭବପର ନୁହେଁ। ସେ କେବେ ବି ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ଦକ୍ଷ ହୋଇପାରିବେନି। କାରଣ ତାଙ୍କ ମୂଳ ବିଭାଗର ଚାପ ସବୁବେଳେ ମୁଣ୍ଡ ଉପରେ ରହୁଥିବ। ସେପରି ସେ ନିୟମିତ କାର୍ଯ୍ୟାଳୟ ବି ଆସିବା ସମ୍ଭବ ନୁହେଁ। ଏଣୁ ସୁପ୍ରିମକୋର୍ଟ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ କହିଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଗତ ଡିସେମ୍ବର ସୁଦ୍ଧା ସରକାର ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ଦେଇଦେବେ ବୋଲି ଜଣାଇଥିଲେ। ପରେ ଫେବ୍ରୁଆରି ପର୍ଯ୍ୟନ୍ତ ସମୟ ମାଗିଥିଲେ। ଏବେ ଫେବ୍ରୁଆରି ପୂରି ସାରିଥିବାବେଳେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ କାର୍ଯ୍ୟକାରୀ ନ ହୋଇପାରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।