ମାନସିକ ଭିନ୍ନକ୍ଷମ ଝିଅକୁ ମିଳୁନି ମୌଳିକ ଅଧିକାର

ସ୍ବାମୀ ବିରୋଧରେ ମାନବିକ ଅଧିକାର କମିଶନର ଦ୍ବାରସ୍ଥ ହେଲେ ମା’

ଜୟପୁର:  ମାନସିକ ଭିନ୍ନକ୍ଷମଝିଅକୁ ତାହାର ମୌଳିକ ଅଧିକାର ଓ ପିତୃତ୍ବ ଅଧିକାର ଦେବାକୁ ଦାବି କରି ଜଣେ ମା’ ନିଜ ସ୍ବାମୀଙ୍କ ବିରୋଧରେ ରାଜ୍ୟ ମାନବିକ ଅଧିକାର କମିଶନର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୭ବର୍ଷ ତଳେ ମାଲାକାନଗିରୀ ଜିଲ୍ଲାର ପଡିଆ ଅଂଚଳର କଲ୍ୟାଣ ବିଭାଗର ସେବାଶ୍ରମ ସ୍କୁଲରେ ଶ୍ରୀକାନ୍ତ ପ୍ରଧାନ ଶିକ୍ଷକ ଭାବେ କାମ କରୁଥିଲେ। ସେ ସମୟରେ ସେଠାରେ ମହିଳା ସ୍ବାସ୍ଥ୍ୟ କର୍ମୀ ଭାବେ ସୁପ୍ରିୟା ମଲ୍ଲୀକ କାମ କରୁଥିଲେ। ଉଭୟ ସେଠାରେ ବାହା ହୋଇଥିଲେ। ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା।

ତେବେ ଝିଅକୁ ୬ବର୍ଷ ହେବା ପର୍ଯ୍ୟନ୍ତ ସେ କଥା କହୁ ନଥିଲେ କି କିଛି ଶୁଣୁ ନଥିଲେ। ଡାକ୍ତରୀ ପରୀକ୍ଷା କରାଇବାରେ ସେ ମାନସିକ ଭିନ୍ନକ୍ଷମ (ମୁକ ଓବଧିର) ବୋଲି ଜଣା ପଡ଼ିଥିଲା। ଏହା ଜାଣିବା ପରେ ଝିଅକୁ ଏବଂ ପ୍ରଥମ ପତ୍ନୀ ସୁପ୍ରିୟାଙ୍କୁ ଛାଡ଼ି ଦେଇଥିଲେ ଶ୍ରୀକାନ୍ତ। ସେ ଏବେ ଦ୍ବିତୀୟ ବାହା ହୋଇଥିବା ଅଭିଯୋଗ କରିଛନ୍ତି ସୁପ୍ରିୟା।  ସଂପ୍ରତି ଶ୍ରୀକାନ୍ତ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଶ୍ରୀକାନ୍ତଙ୍କୁ ସୁପ୍ରିୟା ବ୍ୟକ୍ତିଗତ ଭାବେ ଭେଟି ଝିଅଟି ଏବେ ବଡ଼ ହୋଇ ୨୭ବର୍ଷ ହୋଇଥିବାରୁ ତାହାର ମୌଳିକ ଅଧିକାର ଏବଂ ପିତୃତ୍ବ ଅଧିକାରରୁ ବଂଚିତ ହୋଇ ରହିଛି ତାହା ଦେବାକୁ କହିଥିଲେ।

ତେବେ ଶ୍ରୀକାନ୍ତ କିଛି ଶୁଣି ନଥିବା ଅଭିଯୋଗ କରିଛନ୍ତି ସୁପ୍ରିୟା। ତେ‌ଣୁ ଝିଅର ଏହି ଅଧିକାର ମିଳୁ ବୋଲି ସୁପ୍ରିୟା ଅଭିଯୋଗ କରି ରାଜ୍ୟ ମାନବିକ ଅଧିକାର କମିଶନର ଦ୍ବାରସ୍ଥ ହୋଇଛନ୍ତି। ସେ ମାନସିକ ଭିନ୍ନକ୍ଷମ ହେଲେ ମଧ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଆବଶ୍ୟକ। ତେଣୁ ଝିଅକୁ ମୌଳିକ ଅଧିକାର ପାଇବାରୁ ବଂଚିତ କରାଯିବା ଠିକ୍ ନୁହେଁ ବୋଲି ସୁପ୍ରିୟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର