ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶକ ୰ ଡାକ୍ତର ଯତୀସ ଚନ୍ଦ୍ର ଦାସ। ୧୯୩୫ ମସିହାରେ ଡକ୍ଟର ଦାସଙ୍କ ଜନ୍ମ ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ନୂଆଶାସନ ଗ୍ରାମରେ ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ। ତାଙ୍କ ପରିବାର ସମ୍ପର୍କରେ ଯାହା ଶୁଣାଯାଏ, ସେମାନେ ଶ୍ରୀଚୈତନ୍ୟଙ୍କ ପ୍ରେମରେ ଉଦ୍ବୁଦ୍ଧ ହୋଇ ତାଙ୍କ ସାଙ୍ଗରେ ଆସି ଏହି ଗ୍ରାମରେ ଅଟକି ଯାଇଥିଲେ। ଚୈତନ୍ୟଦେବଙ୍କ ‘ଦାସ’ ହୋଇଥିବାରୁ ସେମାନଙ୍କର ସାଙ୍ଗିଆ ପଟ୍ଟନାୟକରୁ ଦାସ ପାଲଟି ଯାଇଥିଲା। ଡକ୍ଟର ଦାସଙ୍କ ଜେଜେ ଜାନକୀବଲ୍ଲଭ ଦାସ ଇଂରେଜ ଶାସନ ଅମଳରେ ମୟୂରଭଞ୍ଜ ରାଜ୍ୟର ପୁଲିସ୍ ଏସ୍.ପି. ଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବରେ ତାଙ୍କୁ ‘ରାୟସାହେବ’ ଉପାଧି ମିଳିଥିଲା। ତାଙ୍କ ବାପା ଜଗବନ୍ଧୁ ଦାସଙ୍କର ସମାଜସେବା ପ୍ରତି ଅଧିକ ଆଗ୍ରହ ଥିଲା ଓ ଲୋକପ୍ରିୟତା ଯୋଗୁଁ ସେ ଷଷ୍ଠ ଦଶନ୍ଧିରେ ପିପିଲି ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଡକ୍ଟର ଦାସ ଜଣେ ମେଧାବୀ ଛାତ୍ର ବି ଥିଲେ।
ସେଦିନ ନର୍ସିଂହୋମରେ ସାକ୍ଷାତ ସମୟରେ ସେ ତାଙ୍କ ମନର କେତେକ କଥା ମତେ କହିଥିଲେ। ସେଥିସହିତ ତାଙ୍କ ପରିବାରର ଇଷ୍ଟଦେବତା ଶ୍ରୀ ଦାମୋଦରଜୀଉଙ୍କ ମନ୍ଦିରର ରକ୍ଷଣାବେକ୍ଷଣ ଓ ସେବା ପୂଜା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ମୁଁ ଯେତେବେଳେ କହିଲି ଜ୍ବାଇଁ ଭାବରେ ମୋର ସୀମା ନିର୍ଦ୍ଦିଷ୍ଟ, ତାଙ୍କର ଉତ୍ତର ଥିଲା, ‘ତମେ ଆମ ପରିବାରର ଜ୍ବାଇଁ ନୁହେଁ, ପୁଅ, ସେଇ ଅଧିକାର ନେଇ ତୁମକୁ ଅନୁରୋଧ କରୁଛି।’ ତାଙ୍କ କଥାରେ ମୁଁ ଭାବବିହ୍ବଳ ହୋଇଯାଇଥିଲି ଓ ମୋ ଆଖିରୁ ଝର ଝର ହୋଇ ଲୁହ ବୋହିଯାଇଥିଲା। ପରିବାର କଲ୍ୟାଣ ନିର୍ଦ୍ଦେଶକ ହେବା ପୂର୍ବରୁ ତାଙ୍କ ଚାକିରି ଜୀବନ ଘଟଣାବହୁଳ ଥିଲା। ପିପିଲି ମଙ୍ଗଳପୁରରୁ ଚାକିରୀ ଆରମ୍ଭ କରି ସେ କିଛିବର୍ଷ ପାଇଁ ରାଜଭବନର ରାଜ୍ୟପାଳ ଇଂ ଅଯୋଧ୍ୟା ନାଥ ଖୋସଲାଙ୍କ ଚିକିତ୍ସକ ଭାବରେ କାର୍ଯ୍ୟ କରିବାର ସୁଯୋଗ ଲାଭ କରିଥିଲେ। ନିଜର କର୍ତ୍ତବ୍ୟନିଷ୍ଠା ଯୋଗୁଁ ସେ ଖୋସଲା ଦମ୍ପତ୍ତିଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ। ଜଣେ ଦକ୍ଷ ପାଥଲୋଜିଷ୍ଟ ଭାବରେ ତାଙ୍କର ସୁନାମ ଥିଲା। କଟକ ସହରର ବହୁ ଭେଷଜ ବିଶାରଦ ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ତାଙ୍କ ଉପରେ ନିର୍ଭର କରୁଥିଲେ। ସେ ଏକାଧାରରେ ଜଣେ ନିର୍ଭରଯୋଗ୍ୟ ଡାକ୍ତର, ଦାୟିତ୍ବାନ ଅଭିଭାବକ ଓ ସର୍ବୋପରି ଜଣେ ଭଲ ମଣିଷ। ତାଙ୍କୁ ହରାଇ ତାଙ୍କ ପରିବାର ଆଜି ଅସହାୟ ହୋଇପଡ଼ିଛି। ଆଜି ତାଙ୍କ ଏକାଦଶାହ ତିଥିରେ ମୁଁ ସ୍ବର୍ଗତଃ ଦାସଙ୍କ ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରୁଛି।