ଭୁବନେଶ୍ବର: ଅଭିନେତାର ଲୋକପ୍ରିୟତା ପାଇଁ ତା’ ଅଭିନୀତ ଚଳଚ୍ଚିତ୍ର କିଛି ଦିନ ପ୍ରେକ୍ଷାଳୟରେ ଚାଲିପାରେ। ହେଲେ ମୌଳିକ ବିଷୟବସ୍ତୁ, ଭଲ କାହାଣୀ, ସାଧୁତା, କଠିନ ପରିଶ୍ରମ ଓ ଚଳଚ୍ଚିତ୍ର ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କ ମିଳିତ ସହଯୋଗ ଚଳଚ୍ଚିତ୍ରକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ। କପି-ପେଷ୍ଟ ସିନେମା କେବେ ହେଲେ ଆଶାନୁରୂପ ଦର୍ଶକୀୟ ଆଦୃତି ପାଇ ପାରିବ ନାହିଁ। ଆମ ବାସ୍ତବ କଥାବସ୍ତୁ ହିଁ ଦର୍ଶକୀୟ ଆଦୃତି ପାଇବାକୁ ସକ୍ଷମ ହେବ। ସପ୍ତମ ଅଧିବେଶନର ଶୀର୍ଷକ‘ଦିଶା ଦେଖାଇଲେ ଦମନ’ରେ ଅତିଥି ଭାବେ ଯୋଗଦେଇ ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ଆଜି ଏହା କହିଛନ୍ତି।
ଦମନ ସଫଳ ହେବାର କାରଣ ସଂପର୍କରେ ବାବୁସାନ୍ କହିଲେ, ଏଥିରେ ଯେଉଁମାନେ କାମ କରୁଥିଲେ ସମସ୍ତେ ସାଧୁତାର ସହ ନିଷ୍ଠାପର ଭାବେ ନିଜର ଦାୟିତ୍ବ ତୁଲାଇଥିଲେ। ଏହାସହ ଏକ ଭଲ ଦୃଷ୍ଟିଭଙ୍ଗୀ ନେଇ ସିନେମାଟି ପ୍ରସ୍ତୁତ କରାଯାଇଥିଲା। ଏଥିରେ ଚିରାଚରିତ ଧାରାରୁ ଊର୍ଦ୍ଧ୍ବକୁ ଯାଇ ମୁଁ ଭିନ୍ନ ଏକ ରୂପରେ ଦର୍ଶକଙ୍କୁ ସାମ୍ନା କରିଛି। ଏମିତି ନିଚ୍ଛକ କାହାଣୀ ଆଗକୁ ଆସିଲେ ଆମ ଚଳଚ୍ଚିତ୍ର ଶିଳ୍ପର ସୁବର୍ଣ୍ଣ ଯୁଗ ଫେରିବ। ବର୍ତ୍ତମାନ ସମୟରେ ଲୋକମାନେ ଆଉ ବୋକା ହୋଇନାହାନ୍ତି। ଓଟିଟି ମାଧ୍ୟମରେ ଅନେକ ଭଲ ବିଷୟବସ୍ତୁ ଦେଖୁଛନ୍ତି।
ତେଣୁ କୌଣସି ଭାଷାରୁ କପି କରି ଆଣି ସିନେମା ପ୍ରସ୍ତୁତ କରିଦେଲେ, ତାହା ଆଉ ଓଡ଼ିଶା ବଜାରରେ ଆଦୌ ଦର୍ଶକ ପସନ୍ଦ କରିବେନି। ତେଣୁ ଆମକୁ ଏ ସବୁ ଦିଗ ଉପରେ ବିଶେଷ ଗୁରୁତ୍ବ ଦେଇ କାମ କରିବାକୁ ପଡ଼ିବ। ଏବେ ଅନେକ ନୂଆ ନୂଆ ପିଲା ଆସିଲେଣି, ସେମାନେ ଭିନ୍ନ କିଛି କରିବା ପାଇଁ ପ୍ରୟାସ କରୁଛନ୍ତି। ରିସ୍କ ନେବାକୁ ମଧ୍ୟ ଡରୁନାହାନ୍ତି। ଏ ସବୁ ଦିଗକୁ ଦୃଷ୍ଟି ଦେଲେ ଆମେ ନିଶ୍ଚିତ ଆଗାମୀ ଦିନରେ ଆନ୍ତର୍ଜାତିକ ମାନର ଚଳଚ୍ଚିତ୍ର ନିର୍ମାଣ କରିବାରେ ସକ୍ଷମ ହୋଇପାରିବା। ଏହି ଅବସରରେ ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଅଭିନେତା ଶ୍ରୀ ମହାନ୍ତି ଏବଂ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ‘ଦମନ’ ଟିମ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ଅଧିବେଶନକୁ ଉପସ୍ଥାପକ ମାନସ ଦାଶ ପରିଚାଳନା କରିଥିଲେ।