ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାସ୍ନାନ, ଭୋର ୪ଟା ଶେଷ ହେଲା ସଂଧ୍ୟାଧୂପ

ଅନିଦ୍ରା ରହିଲେ ମହାପ୍ରଭୁ, ଭୋଗ ଲାଗିବା ବେଳେ ଦେଖିଦେଲେ ଅମାନିଆ ସେବକ

ପୁରୀ: ଜନୈକ ଅମାନିଆ ସେବକଙ୍କ ପାଇଁ ଗତକାଲି ଶ୍ରୀମନ୍ଦିରରେ ମହାବିଭ୍ରାଟ ଦେଖାଦେଇଥିଲା। ଯାହାଫଳରେ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିଛି। ବିନା ପହୁଡ଼ରେ ଆଜିର ନୀତିକାନ୍ତି ଆରମ୍ଭ ହୋଇଛି। ସଂପୃକ୍ତ ସେବକଙ୍କ ପାଇଁ ଶ୍ରୀମନ୍ଦିରରେ ମହାସ୍ନାନ ସହ ବିଳମ୍ବରେ ନୀତିକାନ୍ତି ଶେଷ ହୋଇଛି। ସଂଧ୍ୟାଧୂପ‌ ବେଳେ ମହାପ୍ରଭୁଙ୍କୁ ଲାଗି ହୋଇଥିବା ଭୋଗ ମାରା ହୋଇଯିବାରୁ ଏହାକୁ କୋଇଲି ବୈକୁଣ୍ଠରେ ପୋତାଯାଇଛି। ସଂପୃକ୍ତ ସେବକ ଜଣକ ବାରମ୍ବାର ଏଭଳି ଘଟଣା ଘଟାଉଥିଲେ ବି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଚୁପ୍‌ ରହୁଥିବାରୁ ଦିନକୁ ଦିନ ଏଭଳି ଦୁଃସାହସ ବଢ଼ିବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମହଲରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଅନ୍ୟପଟେ ସଂପୃକ୍ତ ବ୍ୟକ୍ତିଙ୍କ ଶ୍ରୀମନ୍ଦିରରେ କୌଣସି ସେବା ନଥିବା ଭଳି ସଂଗୀନ୍‌ ଅଭିଯୋଗ ଆସିଛି। ଅନ୍ୟ ଜଣକ ସେବା ସଂପୃକ୍ତ ବ୍ୟକ୍ତି ତୁଲାଉଥିବା ଅଭିଯୋଗ ହୋଇଛି।

କୋଇଲି ବୈକୁଣ୍ଠରେ ପୋତା ହେଲା ମାରା ଭୋଗ

ସୂଚନା ମୁତାବକ, ଆସନ୍ତାକାଲି ରାତି ପ୍ରାୟ ୧୦ଟା ୩୫ରେ ସଂଧ୍ୟାଧୂପ ବଢ଼ି ମହାପ୍ରଭୁଙ୍କୁ ଭୋଗ ଲାଗିଥିଲା। ଏଥିପାଇଁ ମହାପ୍ରଭୁଙ୍କ ଆଗରେ ଟେରା ପଡ଼ିଥିଲା ଓ ଦୁଆର ବି ବନ୍ଦ ଥିଲା। ନାନାଦି ଶୁଖିଲା ଭୋଗ ସହ ମହାପ୍ରସାଦ ମହାପ୍ରଭୁଙ୍କୁ ଲାଗି ହୋଇଥିଲା। ସଂଧ୍ୟାଧୂପ ଭୋଗ ୧୧ଟାରେ ଭିତରେ ଶେଷ ହୋଇଯାଇଥାନ୍ତା। କିନ୍ତୁ ପୂଜାପଣ୍ଡା ସେବକମାନେ ଟେରା ବାନ୍ଧି ପୂଜା କରୁଥିବାବେଳେ ସଂପୃକ୍ତ ସେବକ ଜଣକ ନିଜର ଭୋଗ ମହାପ୍ରଭୁଙ୍କ ଠାରେ ଲାଗି କରିବା ପାଇଁ ବନ୍ଦ ଦୁଆର ଖୋଲି ଦେଇଥିଲେ। ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କଠାରେ ଭୋଗ ଲାଗିବା ସମୟରେ କେହି ଦେଖିବେନି। କିନ୍ତୁ ସଂପୃକ୍ତ ସେବକ ଜଣକ ଭୋଗ ଲାଗିବା ବେଳେ ଦେଖିଦେବାରୁ ସମସ୍ତ ଭୋଗ ମାରା ହୋଇଯାଇଥିଲା।

ଏହାକୁ ନେଇ ଶ୍ରୀମନ୍ଦିରରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା। କଥା ମୁହାଁମୁହିଁ ପର୍ଯ୍ୟନ୍ତ ଯାଇଥିଲା। ପରେ ଭିତରଚ୍ଛୁ ଓ ଅନ୍ୟ ସେବକମାନେ ଏଠାରେ ପହଞ୍ଚି ଆଲୋଚନା ପରେ ସମସ୍ତ ମାରା ଭୋଗ ‌ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ପୋତାଯାଇଥିଲା। ରାତି ପ୍ରାୟ ୨ଟା ୩୫ରେ ଶ୍ରୀମନ୍ଦିରରେ ମହାସ୍ନାନ ହୋଇଥିଲା। ଗର୍ଭଗୃରେ ଚୂନ ପାଣି ପଡ଼ି ଧୁଆଯିବା ପରେ ପୁଣିଥରେ ସଂଧ୍ୟାଧୂପ ଓ ଭୋଗ ଲାଗିଥିଲା। ସଂଧ୍ୟାଧୂପ ପୂଜା ବସିଲା ବେଳକୁ ରାତି ୩ଟା ୨୫ ହୋଇଯାଇଥିଲା। ସଂଧ୍ୟାଧୂପ‌ ଶେଷ ହେଲା ବେଳକୁ ଭୋର ୪ଟା ହୋଇଯାଇଥିଲା। ଭୋର ୪ଟା ହୋଇଯାଇଥିବାରୁ ମହାପ୍ରଭୁଙ୍କ ପହୁଡ଼ ନୀତି ବନ୍ଦ କରି ଦିଆଯାଇଥିଲା। ମହାପ୍ରଭୁ ଅନିଦ୍ରା ରହିଥିଲେ। ବିନା ପହୁଡ଼ରେ ଆଜିର ନୀତିକାନ୍ତି ଆରମ୍ଭ ହୋଇଥିଲା। ଶୁଣିବାକୁ ମିଳିଛି, ସଂପୃକ୍ତ ସେବକଙ୍କ ଶ୍ରୀମନ୍ଦିରରେ କୌଣସି ସେବା ନାହିଁ। ତଥାପି ସେ ଭୋଗ ଲଗାଉଛନ୍ତି। ଯେଉଁଥି ପାଇଁ ଶ୍ରୀମନ୍ଦିର ଭିତରେ ଅସନ୍ତୋଷ ବି ରହିଛି। ଗତକାଲିର ଏହି ଘଟଣା ପରେ ଅସ‌ନ୍ତୋଷ ଆହୁରି ବଢ଼ିଯାଇଛି। ସେବାୟତ ମହଲ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର

Comments are closed.