କେନ୍ଦୁଝର: ଫୁଲିଛି ବୈତରଣୀ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁରଠାରେ ବୈତରଣୀ ବିପଦ ସଂକେତ ଅତିକ୍ରମ କରିଛି। ତଳିଆ ଅଞ୍ଚଳ କୁହାଯାଉଥିବା ହାଟଡିହି ବ୍ଲକ୍‌ର ୬ଟି ପଞ୍ଚାୟତ ବନ୍ୟାପାଣି ଘେରରେ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲ ଏବଂ ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲାର ସାହାରପଡ଼ା ବ୍ଲକ୍‌ରେ ସର୍ବାଧିକ ବର୍ଷା ହୋଇଛି। ଗତରାତିରୁ ଆଜି ସକାଳ ୮ଟା ମଧ୍ୟରେ ଏଠାରେ ୨୭୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲିଠାରୁ କେନ୍ଦୁଝର ଜିଲ୍ଲାରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଗତରାତିରୁ ଆଜି ସକାଳ ୮ଟା ମଧ୍ୟରେ ବର୍ଷାର ପରିମାଣ ଅଧିକ ରହିଛି। କେନ୍ଦୁଝରରେ ୧୩୮ମିମି ବର୍ଷା ହୋଇଥିବା ବେଳେ ବାଂଶପଳରେ ୧୪୫.୫ ମିମି, ତେଲକୋଇରେ ୧୮୬.୫ ମିମି, ପାଟଣାରେ ୨୨୦.୨ ମିମି, ସାହାରପଡ଼ାରେ ୨୭୬.୮ ମିମି, ଘଟଗାଁରେ ୧୨୧.୮ ମିମି, ହରିଚନ୍ଦନପୁରରେ ୮୮ ମିମି, ଆନନ୍ଦପୁରରେ ୭୬.୧ ମିମି, ଘସିପୁରାରେ ୧୦୬.୩ ମିମି, ହାଟଡିହିରେ ୧୧୫.୪ ମିମି, ଚମ୍ପୁଆରେ ୧୩୪.୧ ମିମି, ଯୋଡ଼ାରେ ୧୧୬.୭ ମିମି, ଝୁମ୍ପୁରାରେ ୧୦୧.୨ ମିମି ବର୍ଷା ରେକର୍ଡ କରାଯାଇଛି।

Advertisment

ଆନନ୍ଦପୁରରେ ବିପଦସଂକେତ ଉପରେ
ସାହରପଡ଼ାରେ ସର୍ବାଧିକ ୨୭୬.୮ ମିମି ବର୍ଷା
ପାଣି ଘେରରେ ହାଟଡିହିର ୬ ପଞ୍ଚାୟତ
ପୋଲ, ରାସ୍ତାରେ ପାଣି ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ
ଫକୀରପୁରରେ ଭାସିଗଲେ ମହିଳା
ଖୁଣ୍ଟାପଶିରେ କାନ୍ଥ ପଡ଼ି ବୃଦ୍ଧା ମୃତ

ଆଜି ସକାଳ ୧୦ଟାରେ ଆନନ୍ଦପୁରଠାରେ ବୈତରଣୀ ବିପଦ ସଂକେତ ପାର କରିଥିଲା। ଏଠାରେ ବିପଦ ସଂକେତ ୩୮.୩୬୦ ମିଟର ରହିଥିବା ବେଳେ ଜଳସ୍ତର ୩୮.୭୦୦ ମିଟର ରହିଥିଲା। ଅପରାହ୍‌ଣ ୫ଟା ବେଳେକୁ ଏହା ୪୦.୨୦ ମିଟରରେ ପହଞ୍ଚିଥିଲା। ଜଳସ୍ତର ବଢ଼ିବା ଯୋଗୁଁ ହାଟଡିହି ବ୍ଲକ୍‌ର ୬ଟି ପଞ୍ଚାୟତ ଜଳମଗ୍ନ ହୋଇଛି। ଆୟତପୁର ପଞ୍ଚାୟତର ରାଘବପୁର, ନୂଆଗାଁ, ଅମୃତପୁର, ସମଣା ପଞ୍ଚାୟତର ସମଣା, ବାହାରିପୁର, ଚାପୁଣ୍ଡିଆ, ଗୋବିନ୍ଦପୁର, ତେଲଶିଙ୍ଗା, ଗିରିଗାଁ, କରଗୋଳା, ଆଗିରିଆ, ହାବଳେଶ୍ବର ପଞ୍ଚାୟତର ହାବଳେଶ୍ବର, ଜମ୍ଭିରା, ମଝିଗାଁ, ଜାବିନପୁର, ଗେଡ଼ମା ପଞ୍ଚାୟତର ଜଳସରପୁର, ସାହାପୁର, ଆମ୍ବୋ ପଞ୍ଚାୟତର ଆମ୍ବୋ, ଲଇଛଣପୁର, ବଞ୍ଚୋ ପଞ୍ଚାୟତର ସିଂହଡୋବ, ବଞ୍ଚୋ ଗ୍ରାମର ଚାଷଜମି ଜଳମଗ୍ନ ହୋଇଯାଇଛି। ଆଜି ଆନନ୍ଦପୁରର ଫକୀରପୁର ନିଟକରେ ବାସନ୍ତୀ ରାଉଳ ନାମକ ଜଣେ ମହିଳା ବୈତରଣୀ ନଦୀରେ ଗାଧୋଉଥିବା ବେଳେ ବନ୍ୟାପାଣିରେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ସେହିପରି ଝୁମ୍ପୁରା ବ୍ଲକ୍‌ ନହବେଡ଼ା ପଞ୍ଚାୟତ ଘୁଣ୍ଟିପଶି ଗ୍ରାମରେ କାନ୍ଥ ପଡ଼ିଯିବାରୁ ଶ୍ରୀମତୀ ଲୋହାର (୭୦)ଙ୍କ ମୃତ୍ୟୁ ଘଟିଛି।

ସେହିପରି ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତର ତେନ୍ତଳାପଶି- ମିଶ୍ରମାଳ ରାସ୍ତା‌ରେ ବନ୍ୟାପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଛି। କାଣୀଝରି ପୋଲ ଉପରେ ପାଣି ଚାଲିବାରୁ ଏହି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ବୁଢ଼ାଖମଣଠାରେ ରାସ୍ତାରେ ଘାଇ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବାଂଶପାଳ ବ୍ଲକ୍‌ରେ ରାଇଗୋଡ଼ା-ଫୁଲଝର ରାସ୍ତାରେ ପାଣି ଚାଲିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସିଂପୁର-ବଇଙ୍ଗା ନାଳ ପୋଲ ଉପରେ ୫ଫୁଟ୍‌ର ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଦୁଧପଶି-ଛେଲିଆଗୋଠାରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଘସିପୁରା ବ୍ଲକ୍‌ କୋଳିମାଟି ପଞ୍ଚାୟତର କାଦବାହାଳି ରାସ୍ତାରେ ବୈତରଣୀ ନଦୀର ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଠାରେ ବୈତରଣୀ ପାୱାର ପ୍ରୋଜକ୍ଟରେ କାମ କରୁଥିବା ଏକ ପିକ୍ଅପ୍‌ ଭ୍ୟାନ ବୁଡ଼ିଯାଇଛି। ସେହିପରି ଚମ୍ପୁଆ ବ୍ଲକ୍‌ର ରଜିଆଠାରେ କାନପୁର ପ୍ରକଳ୍ପର କେନାଲ ବନ୍ଧ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସମାକୋଇ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ରାତି ୩ଟାରୁ ତେଲକୋଇ-ଭୁବନେଶ୍ବର ମଧ୍ୟରେ ଯାତାୟାତ ଠପ୍‌ ହୋଇଯାଇଥିଲା। ଅପରାହ୍‌ଣ ୪ଟା ବେଳେ ପୋଲ ଉପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।