ଶତ୍ରୁଘ୍ନ ସାହୁ

Advertisment

ଆନନ୍ଦପୁର: ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି। ହେଲେ ବାତ୍ୟା କଥା ପଡ଼ିଲେ, ପୁରୁଣାବାନ୍ଧଗୋଡ଼ାବାସୀଙ୍କ ଦେହ ଭୟରେ ଶୀତେଇ ଯାଏ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ପୁରୁଣାବାନ୍ଧଗୋଡ଼ାବାସୀଙ୍କ ମନେ ପଡ଼ିଯାଏ ଦୀର୍ଘ ୪୬ ବର୍ଷ ତଳର ସେହି ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ କଥା। ଧନେଇ ପାହାଡ଼ ତଳେ ଜଳିଥିବା ୧୭୮ଜଣଙ୍କ ସମୂହ ଜୁଇ କଥା ମନେପଡ଼ିଲେ ଛାତି ଥରି ଉଠେ ବୋଲି ଗାଁର କିଛି ପୁରୁଖା ଲୋକ କହିଛନ୍ତି।  ୧୯୭୮ ଏପ୍ରିଲ ୧୬ ତାରିଖ। ସମୟ ଅପରାହ୍‌ଣ ୪ଟା। ଆକାଶରେ ଘୋଟି ଆସିଲା କଳା ବାଦଲ। ପରେ ଏକ ଘୂର୍ଣ୍ଣିଝଡ଼ ନିମିଷକ ମଧ୍ୟରେ ପ୍ରଳୟ ରଚିଲା। କେହି କିଛି ବୁଝିବା ପୂର୍ବରୁ ଗଛଲତା, ଗାଈଗୋରୁ, ମଣିଷ ସମେତ ଶଗଡ଼କୁ ମଧ୍ୟ ଉଡ଼ାଇ ନେଲା। ପୋଖରୀର ପଙ୍କ ଆସି ରାସ୍ତାରେ ପଡ଼ିଲା। ଗାଁର ୧୨୦ଟି ଘର ମାଟିରେ ମିଶିଗଲା। ମାତ୍ର କେଇ ମିନିଟର ଏହି ଘୂର୍ଣ୍ଣିଝଡ଼ ୧୭୮ଜଣକ ଜୀବନ ନେଇଗଲା। ସାତଶହ ଗୃହପାଳିତ ପଶୁ ପ୍ରାଣ ହରାଇଲେ। ଗାଁ ଶ୍ମଶାନରେ ପରିଣତ ହୋଇଗଲା। କେବଳ ପୁରୁଣାବାନ୍ଧଗୋଡ଼ା ନୁହେଁ, ନିକଟସ୍ଥ କରଡ଼ାମାଳି, ନର୍ଦା, ତିଗିରିଆ, ବିଲାବନ୍ଧ ଗାଁରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ‌େସତେବେଳେ ଏହି ଘଟଣା ଦେଶବିଦେଶରେ ଚହଳ ସୃଷ୍ଟି କରିଥିଲା। ଲୋକଙ୍କ ଶବକୁ ଧନେଇ ପାହାଡ଼ ପାଦଦେଶରେ ସମୂହ ସଂସ୍କାର କରାଯାଇଥିଲା। ଏହି ଘୂର୍ଣ୍ଣିଝଡ଼ରେ ନିଜ ପୁଅକୁ ହରାଇଥିବା ଗ୍ରାମର ସେବତୀ ନାୟକ କହିଛନ୍ତି, ଘଟଣା ଦିନ ସବୁକିଛି ସ୍ବାଭାବିକ ଥିଲା। ଅପରାହ୍‌ଣରେ ଲୋକେ ନିଜନିଜ କାମରେ ବ୍ୟସ୍ତ ଥିଲେ। ହଠାତ୍‌ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଲା। ଝଡ଼ ଥମିବା ପରେ ଗାଁରେ କାନ୍ଦବୋବାଳି ପଡ଼ିବା ସହ ସମସ୍ତେ ନିଜ ନିଜ ପରିବାର ସଦସ୍ୟଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଅନେକ ଖୋଜାଖୋଜି ପରେ ମାଟି ତଳୁ ପୁଅର ମୃତଦେହ ମିଳିଥିଲା ବୋଲି ସେବତୀ କହିଛନ୍ତି। 

ବାତ୍ୟା କଥା ପଡ଼ିଲେ ଶୀତେଇ ଯାଏ ପୁରୁଣାବାନ୍ଧଗୋଡ଼ାବାସୀଙ୍କ ଦେହ

ସେହିପରି ଘୂର୍ଣ୍ଣିଝଡ଼ କଥା ମନେପଡ଼ିଲେ ଏବେ ବି ଦେହ ଶୀତେଇ ଉଠୁଛି ବୋଲି ତାରିଣୀ ପ୍ରସାଦ ପଟ୍ଟନାୟକ କହିଛନ୍ତି।  ଏହି ଘଟଣା ପରେ ଦେଶବିଦେଶରୁ ପୁରୁଣାବାନ୍ଧଗୋଡ଼ା‌କୁ ସହାୟତାର ସୁଅ ଛୁଟିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଗଲା। ହେଲେ ଆଜି ବି ଗ୍ରାମବାସୀଙ୍କ ମନରୁ ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖ ଲିଭିପାରିନି। ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସ୍ମୃତି ଫଳକଟିଏ ଆଜିଯାଏଁ ନିର୍ମାଣ ହୋଇପାରି ନାହିଁ। ସେହି ସମୟରେ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଆବାସ ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ମରାମତି କରାଯାଉନି। ଘୂର୍ଣ୍ଣିଝଡ଼ର ସ୍ମୃତିବହନ କରୁଥିବା ଏହି ଗାଁକୁ ଐତିହ୍ୟସ୍ଥଳ ମାନ୍ୟତା ପ୍ରଦାନ କରିବାକୁ ପୁରୁଣାବାନ୍ଧଗୋଡ଼ା ଗ୍ରାମବାସୀ ସରକାରଙ୍କ ଠାରେ ଦାବି କରିଛନ୍ତି।