ବ୍ରହ୍ମଗିରି: ଚିଲିକାରେ ଚିଙ୍ଗୁଡ଼ି ଜାଣ(ଘେରି)କୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ ୧୧ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନିଜଣ ମହିଳା ଅଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବ୍ରହ୍ମଗିରି ପୁଲିସ ଘଟଣାରେ ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଆଜି ଅପରାହ୍ନରେ ବ୍ରହ୍ମଗିରି ଥାନା କରିମପୁର ଗାଁ’ ନିକଟ ବାହାର ଚିଲିକାରେ ଚିଙ୍ଗୁଡ଼ି ଘେରି କରିବା ପାଇଁ ବଡ଼ବେଣାକୁଦି ଗାଁର କିଛି ଲୋକ ଯାଇଥିଲେ। ଘେରି ନିର୍ମାଣକୁ କରିମପୁର ଗାଁର କିଛି ଲୋକ ବିରୋଧ କରିବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା।
ବଚସାରୁ ହାତାହାତି ଓ ପରେ ଘେରି ନିର୍ମାଣ ପାଇଁ ନେଇଥିବା ଝାଉଁ କିଳା, ବାଉଁଶ ଠେଙ୍ଗାରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ସଂଘର୍ଷରେ ଧାଡ଼ୁ ଘଡ଼େଇ, ମୁନା ଘଡ଼େଇ, କୈଳାସ ଘଡ଼େଇ ଓ ସୂର୍ଯ୍ୟକାନ୍ତ ଘଡ଼େଇ ସମେତ ଉଭୟ ପକ୍ଷରୁ ୧୧ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ପୁରୀ ଓ ରେବଣାନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁଇଟି ଆମ୍ବୁଲାନ୍ସ ଯାଇ ଉଦ୍ଧାର କରିଥିଲା। ସୂର୍ଯ୍ୟକାନ୍ତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ବ୍ରହ୍ମଗିରି ଥାନା ପୁଲିସର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ବ୍ରହ୍ମଗିରି ଥାନା ଆଇଆଇସି ଦିଲୀପ କୁମାର ଧଳ କହିଛନ୍ତି କରିମପୁର ଗାଁ ନିକଟରେ ଚିଲିକାରେ ଚିଙ୍ଗୁଡ଼ି ଘେରି ନିର୍ମାଣକୁ ନେଇ ବଡ଼ବେଣାକୁଦି-କରିମପୁରର କିଛି ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସଂଘର୍ଷରେ ୧୧ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ଅପରପକ୍ଷେ ପୁଲିସ ଏହି ଘଟଣାରେ ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଖବର ମିଳିଛି।