ମାନବ ମୁକ୍ତିର ପଥ ପ୍ରଦର୍ଶକ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

୧୮୮୮ ମସିହା ଡିସେମ୍ବର ୨୫ ତାରିଖରେ ଅବିଭକ୍ତ ଭାରତବର୍ଷର ପାବନା ଜିଲ୍ଲାର ହିମାଇତପୁର ଗ୍ରାମ (ବର୍ତ୍ତମାନର ବାଂଲାଦେଶ)ରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଓ ମାତା ମନମୋହିନୀ ଦେବୀଙ୍କ ଔରସରୁ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ତାଙ୍କର ଶ୍ରୀମୁଖ ନିସୃତ ବାଣୀ- ‘‘ମୁଁ! ମୁଁ! ମୁଁ! ସମଗ୍ର ଜଗତଟାକୁ ପ୍ରେମସୂତ୍ରରେ ବାନ୍ଧିବା ପାଇଁ ପୁଣି ମୁଁ। ନୂତନ, ପୁରାତନ ନୁହେଁ, କେତେଥର ଆସିଥିଲି, ପୁଣି ଆସିଛି, ମହାଶାନ୍ତି ରାଜ୍ୟର ସେହି ବିରାଟ ଚାବି ମୋ ପାଖରେ ଅଛି… ସେ ଚାବି ହେଉଛି ପ୍ରେମ। ଅନନ୍ତ କୋଟି ଦେବତା, ଇନ୍ଦ୍ର, ଚନ୍ଦ୍ର, ବାୟୁ, ବରୁଣ, ବ୍ରହ୍ମଜ୍ୟୋତି, ସେହି ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ସତ୍ତା, ସତ୍ତ୍ବ ମୁଁ ହିଁ ସବୁ। ଯେତେବେଳେ ତୁମେମାନେ ସେଇ ବ୍ରଜଲୀଳାର ନିତ୍ୟ ରସରେ ମାତିଛ, ସେତେବେଳେ ମୁଁ ଘଟେ ଘଟେ ଶ୍ରୀକୃଷ୍ଣ। ପୁଣି ଯେତେବେଳେ ତୁମେମାନେ ନଦୀୟା ପଥର ଘାଟେ-ବାଟେ ହରିବୋଲ ବୋଲି ପ୍ରେମରେ ଉନ୍ମାଦିତ ହୋଇ ନୃତ୍ୟ କରିଛ, ସେତେବେଳେ ସର୍ବଘଟରେ ମୁଁ ଶ୍ରୀଚୈତନ୍ୟ, ଚୈତନ୍ୟ ଦାନ କରେ। ମୋ ଭିତରେ ସବୁ ଅଛି। ଅନନ୍ତ ଶକ୍ତିର ଆଧାର ମୁଁ। ମୋତେ ଜାଣିପାରିଲେ ସବୁ ହେବ। ଥରେ ମାତ୍ର ମୋତେ ସ୍ପର୍ଶ କରିପାରିଲେ ପ୍ରାଣେ ମନେ ଅଜ୍ଞାତସାରରେ ମୁଁ ତାକୁ ସ୍ବର୍ଗରାଜ୍ୟରେ ପହଞ୍ଚାଇ ଦିଏ। କି ଭୀଷଣ ଆର୍ତ୍ତନାଦ, କିଏ ଡାକେରେ- ଭୟ ନାହିଁ, ଭୟ ନାହିଁ, ମୁଁ ଅଛି ତୁମ ସମ୍ମୁଖରେ, ପ୍ରାଣ ଖୋଲି ଡାକ ହରି ହରି, ପ୍ରାଣ ଖୋଲି କୀର୍ତ୍ତନ କର, ମୋର ଅସ୍ତିତ୍ବ ଜଗତରେ ଥାଉଁ ଥାଉଁ ଗୋଟିଏ ପ୍ରାଣୀ ମଧ୍ୟ ଯାଇପାରିବେ ନାହିଁ। ଅନନ୍ତ ପାପର ବୋଝ ମୋ ମଥାରେ ଚପାଇ ଦିଅ, ମୋତେ ବିଶ୍ବାସ କର, ଥରେ ମାତ୍ର ଯଦି ପ୍ରାଣଖୋଲି ହରି ଡାକିବ, ଯଦି ତୁମ ସମ୍ମୁଖରେ କାଳ ଆସେ, ମହାକାଳ ଆସେ, ମୁଁ ମହାକାଳର ମହାକାଳତ୍ବ ନଷ୍ଟ କରିଦେବି, ମୋତେ ଟିକେ ସ୍ଥାନ ଦିଅ ତୁମ ହୃଦୟରେ। ମୁଁ ସେଇ ଦୟାଲ ଦେଶ, ବ୍ରହ୍ମଦେଶ, ପିଣ୍ତଦେଶ, ମୁଁ ସେଇ ବୃନ୍ଦାବନ, ମୁଁ କୃଷ୍ଣ, ରାଧା, ଗୋପ, ଗୋପୀ, ମୋର ଆରତି କରେ ଚନ୍ଦ୍ର, ସୂର୍ଯ୍ୟ, ତାରକା, କୋଟି କୋଟି ଗଗନ, ସବୁ ମୋର ଲୀଳା, ମୋରି ପ୍ରକଟ। ଯେ ଯାହା ଭାବେ, ମୁଁ ହୁଅଇ ତାହା, ପ୍ରାଣର କୋଣେ କେବଳ ଗୋଟିଏ ଅମଳ ଧବଳ ବିଶ୍ବାସ ଲୋଡ଼ା। ଭକ୍ତ ନିକଟେ ଶାଳଗ୍ରାମ ଶିଳା, ଜ୍ଞାନୀ ନିକଟେ ମୁଁ ବ୍ରହ୍ମଭେଳା, ପତ୍ର ଦେଇ ପୂଜିଲେ ମୋତେ, ଛେଳି ହୋଇ ମୁଁ ଖାଏ ତାହା। ଚୋରକୁ ଦିଏ ମୁଁ ଚୋରୀର ସୁଯୋଗ, ସାଧୁଜନଙ୍କୁ କରଇ ଆଲିଙ୍ଗନ, ମଦର ବୋତଲ ହାତରେ ଧରି ମାତାଲ ଭାଇ ପଛେ କରେ ଗମନ। ନାସ୍ତିକ ନିକଟେ ନୁହେଁ ମୁଁ କିଛି, ଜ୍ଞାନୀ ନିକଟେ ମୁଁ ବ୍ରହ୍ମ ହୋଇ, ଡାକେ ମୋତେ ଯେ ଯେଉଁ ନାମରେ ତା ପାଶେ ଯାଏ ମୁଁ ସେଭଳି ହୋଇ।” ୧୩୩ତମ ଆବିର୍ଭାବ ଉତ୍ସବ ଉପଲକ୍ଷେ ସେହି ମହାନୁଭବ ବିଶ୍ବଗୁରୁଙ୍କ ପଦପ୍ରାନ୍ତରେ ପ୍ରଣାମ।

ସହ-ପ୍ରତି ଋତ୍ବିକ,
ବିଭାଗୀୟ ମୁଖ୍ୟ ହେପାଟୋଲୋଜି ବିଭାଗ,
କଟକ ବଡ଼ ମେଡ଼ିକାଲ,
ମୋ: ୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର