ଭଞ୍ଜନଗର : ଜନ୍ମକଲା ସନ୍ତାନ ବିଦେଶରେ ବୁଢ଼ାବାପାଙ୍କୁ ହତାଦର କରି ଗାଁକୁ ତଡ଼ିଦେଲା। ଏଭଳି ଘଡ଼ିସନ୍ଧି ସମୟରେ ପତ୍ନୀଙ୍କ ମୃତ୍ୟୁ ପରେ ୮୦ ବର୍ଷର ଏହି ଅସହାୟ ବୃଦ୍ଧଙ୍କୁ ସଂପୂର୍ଣ୍ଣ ଏକାକୀ କରିଦେଇଛି। ନିରୁପାୟ ବୃଦ୍ଧଜଣକ ଥଇଥାନ ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅଧୀନ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଚ୍ଛା ଗ୍ରାମର ମୁରଲୀ ବେହେରା। ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଇଥିବା ବେଳେ ଆଶ୍ରା ସାଜିଥିବା ଝିଅଜ୍ବାଇଁ ମଧ୍ୟ ସମ୍ପତ୍ତି ଲୋଭରେ ତାଙ୍କୁ ତଡ଼ି ଦେଇଛନ୍ତି। ପତ୍ନୀଙ୍କ ମୃତ୍ୟୁ ପରେ ଗାଁରେ କେହି ସାହାଭରସା ନଥିବାରୁ ବଞ୍ଚିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଛି। ଫଳରେ ତାଙ୍କୁ ଥଇଥାନ୍ କରିବା ଦିଗରେ ପଦକ୍ଷେପ ନିଆଯାଉ ବୋଲି ମୁରଲୀ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଛନ୍ତି।

Advertisment

ଝାଲିଆଗୋଚ୍ଛା ଗ୍ରାମର ମୂଳବାସିନ୍ଦା ମୁରଲୀ କହିଛନ୍ତି, କାମ ଅନ୍ବେଷଣରେ ୫୦ ବର୍ଷ ତଳେ ସେ ନାଗାଲାଣ୍ଡ୍ ରାଜ୍ୟର କୋହିମା ସହରକୁ ପଳାଇଥିଲ। ସେଠାରେ ଜଣେ ବ୍ୟକ୍ତିଙ୍କ ଦୋକାନଘରକୁ ଭଡ଼ାସୂତ୍ରରେ ନେଇ ସେଲୁନ୍ କରିବାକୁ ଚୁକ୍ତି କରିଥିଲେ। ସେଠାରେ ପତ୍ନୀ, ତିନିଝିଅ ଓ ଗୋଟିଏ ପୁଅ ମଧ୍ୟ ପାଖରେ ରହୁଥିଲେ। ବେଳେବେଳେ ସେମାନେ ଗ୍ରାମକୁ ଆସୁଥିଲେ। ଏହାମଧ୍ୟରେ ମୁରଲୀ ରୋଜଗାର କରି ପୁଅଝିଅଙ୍କୁ ବଡ଼ କରିଥିଲେ। ଗୋଟିଏ ଝିଅର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଝିଅଙ୍କ ବାହାଘର ସାରିଥିଲେ। ଏକମାତ୍ର ପୁଅ ସମେତ ବଡ଼ଝିଅ ଓ ଜ୍ବାଇଁକୁ ମଧ୍ୟ ସାଙ୍ଗରେ ରଖି ନାତିନାତୁଣୀଙ୍କ ପାଠପଢ଼ା ଦାୟିତ୍ବ ନେଇଥିଲେ।

ବର୍ତ୍ତମାନ ପୁଅ ଅନ୍ୟ ରାଜ୍ୟରେ ରହୁଛନ୍ତି। କିନ୍ତୁ କାମ କରିବାକୁ ସକ୍ଷମ ନଥିବାରୁ ମୁରଲୀ ନିଜ ପତ୍ନୀଙ୍କ ସହ ଗ୍ରାମକୁ ଫେରିଥିଲେ। କରୋନା ମହାମାରୀର ପ୍ରାଦୁର୍ଭାବ ବେଳେ ପତ୍ନୀଙ୍କ ମୃତ୍ୟୁ ହେବାରୁ ସେ ପୁଣି ଝିଅଜ୍ବାଇଁଙ୍କ ପାଖକୁ କୋହିମା ପଳାଇଥିଲେ। ତେବେ ସେଲୁନ୍‌କୁ ସେମାନଙ୍କ ନାମରେ କରିବାକୁ ଝିଅଜ୍ବାଇଁ ବାଧ୍ୟ କରିଥିଲେ। ଏଥିରେ ରାଜି ନହେବାରୁ ସେମାନେ ମୁରଲୀଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲେ। ପଳାଇବାକୁ ବାଧ୍ୟ କରିବା ସହ ସମସ୍ତ ଆସବାବପତ୍ର ରଖିଦେଇଥିଲେ।

ଫଳରେ ସେଠାରୁ ମୁରଲୀ ୨ମାସ ହେଲା ଗାଁକୁ ଫେରିଆସି ଏକୁଟିଆ ଜୀବନ କାଟୁଛନ୍ତି। ଦୟା ଦେଖାଇ କେହି ମୁଠାଏ ଖାଇବାକୁ ଦେଲେ ସେଥିରେ ଭୋକ ମେଣ୍ଟୁଛି। ଫଳରେ ମୁରଲୀ ଆଜି ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ ଜଣାଇଛନ୍ତି। ଉପଜିଲ୍ଲାପାଳ କହିଛନ୍ତି, ମୁରଲୀଙ୍କୁ ଥଇଥାନ୍ ଦିଗରେ ପ୍ରାଥମିକତା ଦିଆଯିବ। ବିଡିଓଙ୍କୁ ‌ଏନେଇ ଅବଗତ କରାଯିବା ସହ ପୁରୁଷୋତ୍ତମପୁରରେ ଥିବା ଏକ ବୃଦ୍ଧାଶ୍ରମ ସହ ଯୋଗାଯୋଗ କରାଯାଇଛି। ଆସନ୍ତାକାଲି ଏକ ଟିମ୍‌ ଆସି ତାଙ୍କୁ ବ୍ଲକ୍ କାର୍ଯ୍ୟାଳୟରୁ ନେଇ ବୃଦ୍ଧାଶ୍ରମରେ ରଖିବ। ସେହିପରି ମୁରଲୀ ଆଣିଥିବା ଅଭିଯୋଗର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଶ୍ରୀ ରାୟ କହିଛନ୍ତି।