ଭୁବନେଶ୍ବର: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ନିଜକୁ ପରିଚୟ ଦେଉଥିଲେ। ବିମାନରେ ଆସି ସହରର ତାରକା ହୋଟେଲ୍ରେ ରହୁଥିଲେ। କେବଳ ପରିଚୟ ଦେଉ ନଥିଲେ, ଯେଉଁ ରାଜ୍ୟକୁ ଯାଉଥିଲେ ସେଠାରେ ପହଞ୍ଚିବା ପୂର୍ବରୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ମୁଖ୍ୟଶାସନ ସଚିବଙ୍କଠାରୁ ଆରମ୍ଭ କରି ବିମାନବନ୍ଦର ନିର୍ଦ୍ଦେଶକ, ପୁଲିସ କମିସନର ସମସ୍ତଙ୍କୁ ଚିଠି କରାଉଥିଲେ। ଏମିତି ଗୃହ ବିଭାଗର ଚିଠିରେ ଜାଲିଆତି କରି ରାଜ୍ୟରୁ ରାଜ୍ୟ ବୁଲୁଥିଲେ। ଆଉ ବଡ଼ବଡ଼ିଆଙ୍କୁ ଫସାଇ ଲୁଟୁଥିଲେ। ଭୁବନେଶ୍ବର ମୈତ୍ରୀବିହାର ଥାନା ପୁଲିସ ଏଭଳି ଦୁଇ ହାଇପ୍ରୋଫାଇଲ୍ ଠକଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଛି। ସେମାନେ ହେଲେ ହରିୟାଣା କମଳ ଜିଲ୍ଲାର ରିଙ୍କୁ ସାଇନି (୩୬) ଓ ସହଯୋଗୀ ସୋନିପତ ଅଞ୍ଚଳର ମନିନ୍ଦର ସିଂହ (୩୯)। ପୁଲିସ ସେମାନଙ୍କ ନିକଟରୁ ଜାଲ ପରିଚୟପତ୍ର, ଚିଠି ଓ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଆଉ ପରବର୍ତ୍ତୀ ସମୟରେ ଧରାପଡ଼ିଲେ। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏହି ଠକ ରୢାକେଟ୍ର ଗୁମର ଖୋଲିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୨ ତାରିଖ ଦିନ କମିସନରେଟ୍ ପୁଲିସକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଆସିଥିଲା। ଅକ୍ଟୋବର ୩ ତାରିଖ ସକାଳ ୯ଟା ସମୟରେ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତୀକରଣ ଜାତୀୟ କମିସନର ରିଙ୍କୁ ସାଇନି ଓ ତାଙ୍କ ପିଏସ୍ ମନିନ୍ଦର ସିଂହ ଭୁବନେଶ୍ବରରେ ପହଞ୍ଚିବେ।
ଗୃହ ମନ୍ତ୍ରଣାଳୟର ଜାଲ୍ ଚିଠି କରି ଡରାଉଥିଲେ
ପୁଲିସ ପ୍ରୋଟୋକଲ୍ ମହଙ୍ଗା ପଡ଼ିଲା
ନକଲି କମିସନର ଓ ସହଯୋଗୀ ଗିରଫ
ଆର୍ଥିକ କାରବାର ସଂପର୍କରେ ଖୋଳତାଡ଼
ପୁଲିସ ପ୍ରୋଟୋକଲ୍ ମହଙ୍ଗା ପଡ଼ିଲା
ନକଲି କମିସନର ଓ ସହଯୋଗୀ ଗିରଫ
ଆର୍ଥିକ କାରବାର ସଂପର୍କରେ ଖୋଳତାଡ଼
ସେମାନେ ପହଞ୍ଚିବା ପରେ ପୁଲିସ ପାଇଲଟିଂ କରି ହୋଟେଲ୍ ମେ’ ଫେୟାରକୁ ନେବ। ସେଠାରୁ ସେମାନେ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ରାଜାରାଣୀ ମନ୍ଦିର, ପୁରୀ ଆଦି ସ୍ଥାନ ବୁଲାବୁଲି କରିବେ। ୪ ତାରିଖ ଅପରାହ୍ଣ ସାଢ଼େ ୧ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ। ହେଲେ ଚିଠିକୁ ନେଇ ପୁଲିସର ସନ୍ଦେହ ଉପୁଜିଥିଲା। ସେଥିରେ ଦିଆଯାଇଥିବା ଏକ ନମ୍ବରକୁ ଯାଞ୍ଚ ବେଳେ ପୁଲିସ ଦୁଇ ଠକଙ୍କ ସମ୍ପର୍କରେ କିଛିଟା ସୁରାକ ପାଇଥିଲା। ଖୋଳତାଡ଼ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ଦୁଇ ଜଣ ଏଭଳି ଜାଲ୍ ଚିଠି କରି ବିଭିନ୍ନ ରାଜ୍ୟକୁ ଯାଆନ୍ତି। ଆଉ ସେଠାକାର ପୁଲିସକୁ ବ୍ୟବହାର କରି ବୁଲାବୁଲି କରନ୍ତି। ଏହାଛଡ଼ା ଏହାର ସୁଯୋଗ ନେଇ ସେମାନେ ଲୋକଙ୍କୁ ଭୁଆଁ ବୁଲାଇ କାହାକୁ ଚାକିରି ତ କାହାକୁ ବ୍ୟବସାୟ କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟନ୍ତି। ସେମାନେ ୩ ତାରିଖ ଦିନ ରାଜଧାନୀରେ ପହଞ୍ଚି ହେଟେଲ୍ ମେ’ ଫେୟାରରେ ରହିବା ପରେ ମୈତ୍ରୀବିହାର ଥାନା ପୁଲିସ ସେଠାକୁ ଯାଇ ପଚରାଉଚରା କରିଥିଲା। ସେମାନଙ୍କ ଆଇକାର୍ଡ ଯାଞ୍ଚ ବେଳେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ସେମାନଙ୍କୁ ଥାନାକୁ ନେଇ ଜେରା ବେଳେ ଉଭୟ ସତ ମାନିଥିଲେ।
ସେମାନେ ଅନ୍ୟ ରାଜ୍ୟରୁ ଠକେଇ କରିଥିବା ପୁଲିସ ଆଶଙ୍କା କରିଛି। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଠକଙ୍କ ସମ୍ପର୍କରେ ଅବଗତ କରାଇଛି। ହରିୟାଣା ପୁଲିସ ସହ ଯୋଗାଯୋଗ କରି ପୂର୍ବ ଆପରାଧିକ ଇତିହାସ ସମ୍ପର୍କରେ ତଥ୍ୟ ମାଗିଛି। ଜେରା ପରେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଯେଉଁମାନେ ଏହି ଦୁଇ ଠକଙ୍କ ଦ୍ବାରା ଠକେଇର ଶିକାର ହୋଇଥିବେ ସେମାନେ କମିସନରେଟ୍ ପୁଲିସରେ ଅଭିଯୋଗ କରିବାକୁ କୁହାଯାଇଛି। ଯେଉଁମାନେ ଅଭିଯୋଗ କରିବେ ସେମାନଙ୍କ ପରିଚୟ ଗୋପନ ରଖାଯିବ।