ଭୁବନେଶ୍ବର: ଓଡ଼ିଶାରେ ପ୍ରଥମଥର ଲାଗି ବିଜେପି ସରକାର ଗଠନ କରିଛି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଥିପାଇଁ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ସହ ଓଡ଼ିଶାରେ ଏକ ଐତିହାସିକ ଦିନ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଭାଇ ଓ ଭଉଣୀଙ୍କ ଆଶୀର୍ବାଦରୁ ରାଜ୍ୟରେ ବିଜେପି ପ୍ରଥମଥର ଲାଗି ସରକାର ଗଠନ କରୁଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ବିଜେପି ରାଜ୍ୟରେ ବିକାଶର ନୂଆ ରେକର୍ଡ କରିବ। ଅଗଣିତ ଜନସାଧାରଣଙ୍କ ଜୀବନରେ ସୁଧାର ଆଣିବ ବୋଲି ବିଶ୍ବାସ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଉପରେ ବିଶ୍ବାସ ଜନ୍ମାଇ ଥିବାରୁ ଓଡ଼ିଶାବାସୀଙ୍କୁ ଅଶେଷ ଧନ୍ୟବାଦ। କେବଳ ମୋଦୀଜୀଙ୍କ ପରି ଏକ ସମ୍ବେଦନଶୀଳ ତଥା ସଚେତନ ନେତୃତ୍ବ ଓଡ଼ିଶାବାସୀଙ୍କ ସାଂସ୍କୃତି, ଅର୍ଥନୈତିକ ଓ ସାମାଜିକ ଆକାଂକ୍ଷା ପୂରଣ କରିପାରିବ। ରାଜ୍ୟବାସୀଙ୍କ ପ୍ରତ୍ୟେକ ସ୍ବପ୍ନକୁ ପୂରଣ କରିବା ଓ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ଭିତରେ ଓଡ଼ିଶାକୁ ଆଣିବା ପାଇଁ ବିଜେପିର କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ତଥା ନିଷ୍ଟା ସହାକାରେ କାର୍ଯ୍ୟ କରିବେ ବୋଲି ଶ୍ରୀ ଶାହ ମତବ୍ୟକ୍ତ କରିଛନ୍ତି।
ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ‘ଏକ୍ସ’ରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ ସମ୍ବଳିତ ଫଟୋକୁ ପୋଷ୍ଟ କରିଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜି ଓଡ଼ିଆ ଅସ୍ମିତାର ବିଜୟ ହୋଇଛନ୍ତି। ଭୁବନେଶ୍ବରରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟମାନଙ୍କ ଗହଣରେ ଯୋଗ ଦେବାର ଫଟୋ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।