ରାଉରକେଲା: ନଅ ଦିନ ପରେ ସହରରେ ହେବାକୁ ଯାଉଛି ହକି ବିଶ୍ବକପ୍ର ପ୍ରଥମ ମ୍ୟାଚ୍। ଚାଲିଥିବା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାରତ ସମେତ ୧୬ଟି ଦେଶର ଖେଳାଳୀଙ୍କ ରହିବା ପାଇଁ ବିପିୟୁଟି ପରିସରସ୍ଥ ଷ୍ଟାଡିୟମ ପାର୍ଶ୍ବରେ ପଞ୍ଚତାରକା କକ୍ଷ ନିର୍ମାଣ ହୋଇଛି। ଏଥିସହ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ସୁଇମିଂ ପୁଲ୍। ଷ୍ଟାଡିୟମ, ପଞ୍ଚତାରକା କକ୍ଷ, ସୁଇମିଂ ପୁଲ୍ ଓ ଷ୍ଟାଡିୟମରେ ଅନ୍ୟାନ୍ୟ ସ୍ଥାନକୁ ୨୪ ଘଣ୍ଟିଆ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ମାସ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ନିରନ୍ତର ପାଣି ଯୋଗାଣକୁ ପ୍ରାଥମିକତା ଦେବାକୁ ସରକାର ଜନ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସହରକୁ ଦୈନିକ ଯେତିକି ପାଣି ଯୋଗାଣ ହେଉଛି ତା’ର ଏକ ପ୍ରତିଶତ କେବଳ ହକି ଷ୍ଟାଡିୟମକୁ ଯୋଗାଣ କରାଯାଉଛି।
ରାଉରକେଲା ସହରକୁ ଦୈନିକ ୬୦୦ ଲକ୍ଷ ଲିଟର ପାଣି ଯୋଗାଣ ହେଉଛି। ହକି ଷ୍ଟାଡିୟମକୁ ଦୈନିକ ୬ ଲକ୍ଷ ୧୦ ହଜାର ଲିଟର ପାଣି ଯୋଗାଣ ହେଉଛି। ଷ୍ଟାଡିୟମ ଆଷ୍ଟ୍ରୋଟର୍ଫ ସମେତ ଏହାର ଚତୁଃପାର୍ଶ୍ବରେ ପାଣି ସିଞ୍ଚନରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଆବଶ୍ୟକ ପଡୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।ଏଥିପାଇଁ ହକି ଷ୍ଟାଡିୟମ ପାର୍ଶ୍ବରେ ଦୁଇଟି ପାଣି ଟାଙ୍କି ନିର୍ମାଣ ହୋଇଛି। ଗ୍ରାଉଣ୍ଡ ଟାଙ୍କିର କ୍ଷମତା ରହିଛି ୨ ଲକ୍ଷ ୩୦ ହଜାର ଲିଟର। ଓଭରହେଡ୍ ଟାଙ୍କିର ଧାରଣା କ୍ଷମତା ରହିଛି ପ୍ରାୟ ୧ ଲକ୍ଷ ୧୫ ହଜାର ଲିଟର। ପାଣି ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍କୁ ନିୟୋଜିତ କରାଯାଇଛି। ପାଣି ଯୋଗାଣରେ ଯେମିତି କୌଣସି ସମସ୍ୟା ନ ଉପୁଜେ ସେଥିପାଇଁ ଡିଜି ସେଟ୍ର ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ରାଉରକେଲାକୁ ୨୪ ଘଣ୍ଟିଆ ପାଇପ ପାଣି ଯୋଗାଣ ସେବାର ଶୁଭାରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜଗଦା, ବେଦବ୍ୟାସ ଓ ଝାଡତରଙ୍ଗକୁ ୨୪ ଘଣ୍ଟିଆ ପାଇପ ପାଣି ଯୋଗାଇ ଦିଆଯାଉଛି। ଦ୍ବିତୀୟ ପର୍ଯ୍ୟାୟରେ ଟିସ୍କୋ, ହମିରପୁର, ସିଭିଲଟାଉନସିପ୍କୁ ଯୋଗାଇ ଦିଆଯିବ। ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ସହରର ସମସ୍ତ ୪୬ ହଜାର ୬୪୬ ଘରକୁ ପାଇପ ଯୋଗାଣ କରିବାକୁ ଟାର୍ଗେଟ ରଖାଯାଇଛି ବୋଲି ୱାଟ୍କୋର ଜେନେରାଲ ମ୍ୟାନେଜ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/19-2.jpg)