ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସ୍ବପ୍ନର ଘରଟିଏ ପାଇବା ବେଶ୍ ମହଙ୍ଗା ହୋଇଗଲାଣି। ଆଉ ଲକ୍ଷରେ କିଛି ହେଉନି। ପକେଟ୍ରେ କୋଟିଏ ଟଙ୍କାରୁ ଅଧିକ ନଥିଲେ ସ୍ବପ୍ନର ଘର କିଣିହେବନାହିଁ। ଦ୍ରୁତ ଅଭିବୃଦ୍ଧିଶୀଳ ଦ୍ବିତୀୟ ଶ୍ରେଣୀର ସହର ଭାବେ ଗଣା ହେଉଥିବା ଭୁବନେଶ୍ବରରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଘର ଅଧିକ ବିକ୍ରି ହେଉଛି। ଲାଏସେସ୍ ଫୋରାସ୍-କ୍ରେଡାଇ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଭୁବନେଶ୍ବରରେ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଘର ବିପୁଳ ସଂଖ୍ୟାରେ ବିକ୍ରି ହେଉଛି। ସହରରେ ୧୮୯୧ଟି ଏଭଳି ଘର ବିକ୍ରି ହୋଇଛି ଯାହାର ଦାମ୍ ୧-୨ କୋଟି ଟଙ୍କା ମଧ୍ୟରେ ରହିଛି। ସେଥିରୁ ୧୪୬୦ଟି ଘର ୩ ବିଏଚ୍କେ (୩ ଶଯ୍ୟା ବିଶିଷ୍ଟ, ହଲ୍ ଓ ରୋଷେଇଘର) ହୋଇଥିବା ବେଳେ ୪୩୧ଟି ଘର ହେଉଛି ୪ବିଏଚ୍କେ (୪ ଶଯ୍ୟା ବିଶିଷ୍ଟ, ହଲ୍ ଓ ରୋଷେଇଘର)। ଏହି ଦୁଇ ବର୍ଗରେ ଅଧିକ ଘର ବିକ୍ରି ହେଉଛି। ଭାରତୀୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ୬୦ଟି ସହର ମଧ୍ୟରେ ଭୁବନେଶ୍ବର ନାମ ରହିଛି।
ରିପୋର୍ଟ ଅନୁଯାୟୀ, ଭୁବନେଶ୍ବରରେ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ୬୦୯ଟି ୩ବିଏଚ୍କେ ଫ୍ଲାଟ୍ ବିକ୍ରି ହୋଇଛି। ଏହି ଦାମ୍ରେ କିନ୍ତୁ ଗୋଟିଏ ବି ୪ବିଏଚ୍କେ ଫ୍ଲାଟ୍ ବିକ୍ରି ହୋଇଛି। ୪ବିଏଚ୍କେ କିଣୁଥିବା ଗ୍ରାହକମାନେ ୧ କୋଟି ଟଙ୍କାରୁ ଆରମ୍ଭ କରି ୫ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତର ଘରକୁ ପସନ୍ଦ କରୁଛନ୍ତି। ୨-୫ କୋଟି ଟଙ୍କା ପର୍ଯ୍ୟନ୍ତ ଦାମ୍ର ୫୯୯ଟି ଘର ଭୁବନେଶ୍ବରରେ ବିକ୍ରି ହୋଇଛି। ସେହିପରି ୨-୫ କୋଟି ଟଙ୍କା ମୂଲ୍ୟର ୪୦୨ଟି ୩ ବିଏଚ୍କେ ଫ୍ଲାଟ୍ ମଧ୍ୟ ଭୁବନେଶ୍ବରରେ ବିକ୍ରି କରାଯାଇଛି।
୬୦ ଶ୍ରେଷ୍ଠ ରିଅଲ୍ ଇଷ୍ଟେଟ୍ ବଜାର ମଧ୍ୟରେ ଭୁବନେଶ୍ବର
୨ ବିଏଚ୍କେ ବର୍ଗରେ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ୫୪୦ଟି ଘର ବିକ୍ରି ହୋଇଥିବା ବେଳେ ୧ କୋଟି ଟଙ୍କାରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମାତ୍ର ୪୭ଟି ୨ବିଏଚ୍କେ ବିକ୍ରି ହୋଇଛି। ମୋଟାମୋଟି ଭାବେ ଦେଖିଲେ, ଭୁବନେଶ୍ବରରେ ଅଳ୍ପ କିଛି ୨ବିଏଚ୍କେ ଏବଂ ଅଧିକାଂଶ ୩ ଓ ୪ ବିଏଚ୍କେ ଫ୍ଲାଟ୍ ବିକ୍ରି ହେଉଛି। ସହରରେ ମାତ୍ର ୧୦ଟି ୧ବିଏଚ୍କେ ବିକ୍ରି ହୋଇଛି ଯାହାର ଦାମ୍ ୩୦ ଲକ୍ଷ ଟଙ୍କାରୁ କମ୍ ହୋଇଛି। କେବଳ ଫ୍ଲାଟ୍ ନୁହେଁ, ପ୍ଲଟ୍ ଓ ଭିଲ୍ଲା କାରବାର ମଧ୍ୟ ବେଶ୍ ଉତ୍ସାହଜନକ ରହିଛି। ଭୁବନେଶ୍ବରରେ ୩୦-୫୦ ଲକ୍ଷ ଟଙ୍କାର ୬ଟି, ୫୦ ଲକ୍ଷରୁ ୧ କୋଟି ଟଙ୍କାର ୭୩ଟି ଓ ୧-୨ କୋଟି ଟଙ୍କାର ୩୯ଟି ପ୍ଲଟ୍ ଓ ଭିଲ୍ଲା କାରବାର ହୋଇଛି।
ଯେଉଁ ବର୍ଗରେ ଅଧିକ ଘର ବିକ୍ରି ହେଉଛି, ସେହି କ୍ଷେତ୍ରରେ ବିକ୍ରି ହୋଇପାରୁନଥିବା ଘର ସଂଖ୍ୟା ମଧ୍ୟ ଅଧିକ ରହିଛି। ୧୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ୬୧୧ଟି, ୧୦-୩୦ ଲକ୍ଷ ଟଙ୍କାର ୩୯ଟି, ୩୦-୪୦ ଲକ୍ଷ ଟଙ୍କାର ୩୮ଟି, ୪୦-୫୦ ଲକ୍ଷ ଟଙ୍କାର ୩୫ଟି, ୫୦ରୁ ୭୫ ଲକ୍ଷ ଟଙ୍କାର ୩୦୮ଟି, ୭୫ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାର ୮୬୩ଟି, ୧-୧.୫ କୋଟି ଟଙ୍କାର ୧୬୬୯ଟି, ୧.୫-୨ କୋଟି ଟଙ୍କାର ୪୯୬ଟି, ୨-୫ କୋଟି ଟଙ୍କାର ୧୦୦୬ଟି ଘର ବିକ୍ରି ହୋଇପାରିନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି।
କେଉଁ ବର୍ଗରେ କେତେ ବିକ୍ରି
ଦାମ୍ (ଟଙ୍କାରେ) ଘର ସଂଖ୍ୟା
୫୦-୭୫ ଲକ୍ଷ ୩୯୨
୭୫ ଲକ୍ଷ-୧ କୋଟି ୬୯୫
୧-୧.୫ କୋଟି ୧୦୫୬
୧.୫-୨ କୋଟି ୮୬୦
୨-୫ କୋଟି ୯୪୨
୫-୧୦ କୋଟି ୩
୧୦ କୋଟିରୁ ଅଧିକ ୦