ସିଏଜି ସ୍ୱତନ୍ତ୍ର: ନିର୍ମାଣ ନିଗମର ଠିକାଦାରଙ୍କୁ ଅହେତୁକ ଅନୁକମ୍ପା

ଭୁବନେଶ୍ବର : ଓଡ଼ିଶା ନିର୍ମାଣ ନିଗମ ଦେଓ ଜଳସେଚନ କରଞ୍ଜିଆ ପ୍ରକଳ୍ପର ସ୍ପିଲ୍‌ୱେ ଲେଫ୍ଟ ହେଡ୍‌ ରେଗୁଲେଟର ଓ ଆର୍ଥ ଡ୍ୟାମ୍ ଅଂଶର ନିର୍ମାଣ ପାଇଁ ଠିକାଦାର ଡିଡି ବିଲ୍‌ଡର୍ସକୁ ୨୦୧୫ରେ ୨୭.୯୪ କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଚୁକ୍ତି ସର୍ତ୍ତ ଅନୁଯାୟୀ ଏହି କାମ ପାଇଁ କଂପାନି ଆବଶ୍ୟକ ସିମେଣ୍ଟ୍‌ ଓ ରଡ୍‌ ଯୋଗାଇବାର ଥିଲା। ୨୦୧୭ ନଭେମ୍ବରରୁ ୨୦୧୮ ଜୁଲାଇ ମଧ୍ୟରେ ଠିକାଦାର ଚାରି ଯୋଗାଣକାରୀଙ୍କ ଠାରୁ ୮୮,୭୦୦ ବ୍ୟାଗ୍‌ ସିମେଣ୍ଟ୍ କିଣିଥିଲେ ଏବଂ ସେଥିପାଇଁ ୩.୧୪ କୋଟି ଟଙ୍କା ପାଇଥିଲା ଯେଉଁଥିରେ ୦.୬୯ କୋଟି ଟଙ୍କାର ଜିଏସ୍‌ଟି ଅନ୍ତର୍ଭୁକ୍ତ ଥିଲା। ଜିଏସ୍‌ଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ଅନୁସନ୍ଧାନର ଜଣାପଡ଼ିଥିଲା ଯେ ଠିକାଦାର ସଂସ୍ଥା ଦ୍ରବ୍ୟ ନଯୋଗାଇ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହାସଲ କରିଥିଲା। ଯଦିଓ ପରିଚାଳନା କର୍ତ୍ତୃପକ୍ଷ ଏକଥା ଜାଣିଥିଲେ, କିନ୍ତୁ ସିମେଣ୍ଟ୍ ଯୋଗାଣ ସତ୍ୟତା ଉପରେ କୌଣସି ଅନୁସନ୍ଧାନ କରାଯାଇନଥିଲା। ଏବିଷୟ ଜଣାପଡ଼ିବା ପରେ ଦୁନୀତି ନିବାରଣ ତଦନ୍ତ ଲାଗି ନିର୍ଦେଶ ଦିଆଯାଇଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ ୧୦ଟି ମାମଲାରେ ୩,୯୨୦ ବ୍ୟାଗ୍‌ ସିମେଣ୍ଟ୍‌ ଦୁଇଚକିଆ ଓ ଅଟୋ ରିକ୍ସାରେ ପରିବହନ କରାଯାଇଥିଲା ଯାହାର ମୂଲ୍ୟ ଥିଲା ୧୧.୦୨ ଲକ୍ଷ ଟଙ୍କା। ତେଣୁ ଠିକାରଦାରଙ୍କୁ ପ୍ରଦାନ କରିଥିବା ସିମେଣ୍ଟ୍‌ର ମୂଲ୍ୟ ୨.୪୫ କୋଟି ଟଙ୍କା ଆଦାୟ କରିବାର ଥିଲା। କିନ୍ତୁ ସେହି ଟଙ୍କା ଆଦାୟ କରାଯାଇନଥିଲା। ଏକ୍ଷେତ୍ରରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିଲା ବୋଲି ସିଏଜି କହିଛନ୍ତି। ଏ ସଂକ୍ରାନ୍ତରେ ସରକାର ଯେଉଁ ଉତ୍ତର ଦେଇଥିଲେ, ତାହା ଗ୍ରହଣୀୟ ନଥିଲା। ଯାନବାହନ ସମ୍ପର୍କରେ ସରକାର କହିଛନ୍ତି ଯେ ସିମେଣ୍ଟ ପରିବହନ ଲାଗି ବ୍ୟବହାର କରାଯାଇଥିବା ଯାନଗୁଡ଼ିକର ଯାଞ୍ଚ୍‌ କରିବା ଲାଗି କୌଣସି ବ୍ୟବସ୍ଥା ନଥିଲା। ୮୮ ହଜାର ୭୦୦ ବସ୍ତା ସିମେଣ୍ଟ ବ୍ୟବହାର ହୋଇନଥିବାରୁ କାର୍ଯ୍ୟର ଗୁଣବତ୍ତା ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର