କଣ୍ଟାବାଞ୍ଜି/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ହାଇସ୍କୁଲରେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁଇଦିନିଆ ବିଶାଳ ସ୍ବାସ୍ଥ୍ୟ ଶିବିର ଆରମ୍ଭ ହୋଇଛି। ଶିବିରରେ ଅତିଥି ଭାବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଜଷ୍ଟିସ୍ ସିଆର୍ ଦାଶ, ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଲୋକସେବକ ମଣ୍ଡଳର ଓଡ଼ିଶା ସଭାପତି ତଥା ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ତଥା ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଅରୁଣ ପରିଚ୍ଛା, ଶଙ୍କରା ବାଗଚୀ କ୍ୟାନ୍ସର୍ ହସ୍ପିଟାଲର ଅଧ୍ୟକ୍ଷ ଡା. ବିଧୁଭୂଷଣ ମହାନ୍ତି, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ଗୁରୁ, ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ, ପ୍ରଫେସର ମଧୁସୂଦନ ପତି ଓ ଡା. ଜ୍ୟୋତ୍ସ୍ନାମୟୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ତଥା ୟୁରୋଲୋଜି ବିଶେଷଜ୍ଞ ଡା. ପ୍ରଫେସର୍ ଦତ୍ତେଶ୍ବର ହୋତା, ଟ୍ରଷ୍ଟର ଅଧ୍ୟକ୍ଷ ଅବସରପ୍ରାପ୍ତ ପ୍ରଶାସକ ଗୋଧନେଶ୍ୱର ହୋତା ଓ ସଂପାଦକ ରାଜେଶ୍ୱର ହୋତା ଯୋଗ ଦେଇଥିଲେ। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ଗୁରୁ, ପ୍ରଫେସର ମଧୁସୂଦନ ପତି ଓ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା, ବଲାଙ୍ଗୀର ଓ ସମ୍ବଲପୁର ତଥା ରାଜ୍ୟ ବାହାରର ବିଭିନ୍ନ ବିଭାଗର ଖ୍ୟାତନାମା ୫୫ଜଣ ବିଶେଷଜ୍ଞ ଚିକିତ୍ସକଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ଓ ଚଷମା ବଣ୍ଟନ କରାଯାଇଛି।
ଟ୍ରଷ୍ଟ ପକ୍ଷରୁ ରାଜ୍ୟର ଦୁର୍ଗମ, ଅନୁନ୍ନତ, ଆଦିବାସୀ ଅଧ୍ୟୁଷିତ ଏବଂ ବିଶେଷ କରି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସହଜରେ ପହଞ୍ଚି ପାରୁନଥିବା ଅଞ୍ଚଳରେ ମୁଖ୍ୟତଃ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଆସିଛି। ରାଜ୍ୟର ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍ର ଯେଉଁ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ବା ଦିନ ଦିନ ଲାଗି ଯାଇଥାଏ, ସେହିଭଳି ଡାକ୍ତରଙ୍କୁ ନେଇ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଦ୍ୱାରଦେଶରେ ଟ୍ରଷ୍ଟ ପହଞ୍ଚାଇ ମାଗଣା ସେବା ଓ ଔଷଧ ଯୋଗାଇଥାଏ। ୨୦୦୪ରେ ଆରମ୍ଭ ହୋଇଥିବା ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ଲଗାତାର ଭାବରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି। ଖପ୍ରାଖୋଲରେ ଅନୁଷ୍ଠିତ ୫୦ତମ ଶିବିରରେ ୧୫୦୦ରୁ ଅଧିକ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଛି। ରବିବାର ମଧ୍ୟ ଏହି ଶିବିର ଅନୁଷ୍ଠିତ ହେବ। ଶିବିରରେ ଡା. ସିଦ୍ଧାର୍ଥ ମହାନ୍ତି, ଡା. ଦତ୍ତେଶ୍ବର ହୋତା, ପ୍ରସନ୍ନଜିତ୍ ମହାନ୍ତି, ରାମନାଥ ମିଶ୍ର, ଶ୍ରଦ୍ଧା ମହାନ୍ତି, ସତ୍ୟ ରାଉତରାୟ, ପ୍ରଶାନ୍ତ ମିଶ୍ର, ଡା. ସୁଜିତ ବ୍ରହ୍ମା, ଡା. ସୁଜାତା ପୂଝାରୀ, ଡା. ବିଶ୍ବଜିତ ଦାସ, ଡା. ବିଶ୍ବରଂଜନ ମହାନ୍ତିଙ୍କ ସମତେ ୫୫ ଜଣ ଡାକ୍ତର ରୋଗୀଙ୍କ ଚିକିତ୍ସା କରିଛନ୍ତି। ‘ସମ୍ବାଦ’ ଫିଚର ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଡ.ଗୌରହରି ଦାସ, ବରିଷ୍ଠ ସାମ୍ବାଦିକ ବିପିନ ସିଂ, ଯୁଗଳ କିଶୋର ମିଶ୍ର, ଫୁଲକିମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଏଥିରେ ସହଯୋଗ କରିଥିଲେ। ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ଆଇନ ବିଭାଗର ଅତିରିକ୍ତ ସଚିବ ଗୋଧନେଶ୍ବର ହୋତାଙ୍କ ପୁସ୍ତକ ‘ଧର୍ମ, ଆଇନ୍ ଓ ସମାଜ’ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।