ବେତନଟୀ/ବେତନଟୀ ସଦର: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି-ରୂପସା ରେଳ ଲାଇନ୍‌ର ବେତନଟୀ ‌ଷ୍ଟେସନ ନିକଟରେ ଆଜି ପୂର୍ବାହ୍ନରେ ଏକ ବିରାଟକାୟ ଶାଳଗଛ ଉପୁଡ଼ି ପଡ଼ିଥିଲା। ଗଛଟି ଧାରଣା ଉପରେ ପଡ଼ିଥିବାରୁ ଦିନ ୧୦.୪୦ରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଖଡଗପୁର୍‌ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ରେଳ କର୍ମଚାରୀମାନେ ପହଞ୍ଚି ଧାରଣା ସଫା କରିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି।

Advertisment

ସୂଚନାଯୋଗ୍ୟ; ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ ପ୍ରାୟ ୬୦ ବର୍ଷର ପୁରୁଣା ଏହି ବିରାଟ ଗଛ ମୂଳରୁ ମାଟି ଧୋଇ ଯାଇଥିଲା। ମୂଳ ଦୁର୍ବଳ ହୋଇ ପଡ଼ିଥିବ‌ାରୁ ଗଛଟି ଆଜି ହଠାତ୍‌ ଗଡ଼ି ପଡ଼ିଥିଲା। ଭାଗ୍ୟକୁ ରୂପ୍‌ସାରୁ ବାଙ୍ଗିରିପୋଷି ଯାଉଥିବା ଟ୍ରେନ୍‌ଟି ସେତେବେଳକୁ ବେତନଟୀ ଷ୍ଟେସନ୍‌ ଛାଡ଼ି କୃଷ୍ଣଚନ୍ଦ୍ରପୁର ୨୫ ନମ୍ବର ଗେଟ୍‌ ନିକଟରେ ପହଞ୍ଚିଥିଲା। ଗଛ ପଡ଼ି ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିବାରୁ ଟ୍ରେନ୍‌ଟି ଆଗକୁ ବଢ଼ି ପାରିନଥିଲା। ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ କୃଷ୍ଣଚନ୍ଦ୍ରପୁର ଛକରୁ ବସ୍‌ ଯୋଗେ ନିଜ ନିଜ ଗନ୍ତବ୍ୟସ୍ଥଳୀକୁ ଯାଇଥିଲେ। ଏପଟେ ତାର ଛିଣ୍ଡି ପଡ଼ିବାରୁ ବେତନଟୀ ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ସ୍ଥାନୀୟ ଇନ୍ଦିରାନଗର ଅଞ୍ଚଳର ଦୁର୍ଗା ହେମ୍ବ୍ରମ୍‌ଙ୍କ ପତ୍ନୀ ସୁଆଗି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବେତନଟୀ ଓ ପରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରେଳ କର୍ମଚାରୀମାନେ ଟ୍ରାକ୍‌ରୁ ଗଛ ହଟାଇବା ସହ ବିଦ୍ୟୁତ୍‌ ସରବରାହ ମରାମତି କରିବା ପରେ ଉକ୍ତ ଲାଇନ୍‌ରେ ପୂର୍ବ ପରି ରେଳ ଚଳାଚଳ କରିଛି।