ଯାଜପୁର: ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ସୀମାନ୍ତରେ ଥିବା ୫ ତହସିଲ ଅଞ୍ଚଳ ପଥରମାଫିଆଙ୍କ କରିଡ଼ର ପାଲଟିଛି। କାଳିଆପାଣିର କ୍ରୋମାଇଟ୍, ତାଳଚେରର କୋଇଲା ଚୋରାଚାଲାଣ ଏହି ଅଞ୍ଚଳ ବାଟେ ହେଉଥିବାବେଳେ ମାଙ୍କଡ଼ାପଥର, ଗ୍ରାନାଇଟ୍(କଳାପଥର), ମୋରମ ପ୍ରଭୃତି ଲଘୁ ଖଣିଜ ବ୍ୟାପକ ଖନନ ଓ ଚୋରାଚାଲାଣ ଚାଲିଛି। ମାଫିଆଙ୍କ ଏହି ଧ୍ବଂସଲୀଳାରେ ପାହାଡ଼ ପର୍ବତ ସହିତ ବଣଜଙ୍ଗଲ ସତ୍ତା ହରାଇଲାଣି। ଏପରିକି ଶହ ଶହ ଫୁଟ ଉଚ୍ଚ ପାହାଡ଼ଗୁଡ଼ିକ ସ୍ଥାନରେ ଶହେରୁ ଦେଢ ଶହ ଫୁଟ୍ ଗଭୀର ବାମ୍ଫି ସୃଷ୍ଟି ହୋଇଛି। ଯାଜପୁର-ଢେଙ୍କାନାଳ ସୀମାନ୍ତରେ ଥିବା ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ସୃଷ୍ଟି ହୋଇଥିବା ଶତାଧିକ ଗହ୍ବର ବନ୍ୟପ୍ରାଣୀ, ଗୃହପାଳିତ ପଶୁ ଓ ମଣିଷଙ୍କ ପାଇଁ ମୃତ୍ୟୁକୁଣ୍ଡ ପାଲଟିଛି। ତହସିଲ, ବନବିଭାଗ, ପୁଲିସ ଓ ଖଣି ବିଭାଗ ଅଧିକାରୀଙ୍କ ସହଯୋଗରେ ବର୍ଷ ବର୍ଷ ଧରି ଧ୍ବଂସଲୀଳା ଚାଲିଛି।
ପ୍ରକାଶଥାଉକି, ଯାଜପୁର ଜିଲ୍ଲାର ଧର୍ମଶାଳା, ବଡ଼ଚଣା, ସୁକିନ୍ଦା ତହସିଲ ସହିତ ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ଓ ଭୁବନ ତହସିଲ ଅଞ୍ଚଳରେ ଥିବା ଶତାଧିକ ଛୋଟବଡ଼ ପାହାଡ଼ ଓ ହୁଡ଼ିଗୁଡ଼ିକ ପଥରମାଫିଆଙ୍କ ବେଆଇନ୍ ୱାଗନ୍ ବ୍ଲାଷ୍ଟିଂ ଓ ବ୍ୟାପକ ଖନନ ଯୋଗୁଁ ସତ୍ତା ହରାଇବାକୁ ବସିଲାଣି। ବଡ଼ଚଣା ସୀମାନ୍ତରେ ମାଙ୍କଡ଼ା ପଥର ମାଫିଆ ମାତିଥିବାବେଳେ ଧର୍ମଶାଳା ସୀମାନ୍ତରେ ଗ୍ରାନାଇଟ୍ ପଥର ମାଫିଆ ରାଜ୍ ଚଳାଇଛନ୍ତି। ସେହିପରି ସୁକିନ୍ଦା ତହସିଲରେ ମାଙ୍କଡ଼ା ପଥର ଓ କ୍ରୋମାଇଟ୍ ଚୋରା ଚାଲାଣ ପାଇଁ ଭୁବନ ତହସିଲ ପ୍ରଶାସନ ସହଯୋଗ ଦେଇଆସୁଛି। ଗତ ସପ୍ତାହରେ ‘ସମ୍ବାଦ’ରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଢେଙ୍କାନାଳ ଜିଲ୍ଲାର ଏକାଧିକ ଅଧିକାରୀ ସୀମାନ୍ତ ବିଭିନ୍ନ ଅଞ୍ଚଳ ଗସ୍ତ କରି ଫେରିଯାଇଥିଲେ। ସେହିପରି. ଯାଜପୁର ପ୍ରଶାସନ ତହସିଲରରୁ ରିପୋର୍ଟ ମାଗିଥିଲେ ମାତ୍ର ତା’ପରେ ଚୁପ୍ ହୋଇ ବସିଛନ୍ତି।
ଏବେ ଅନୁସନ୍ଧାନରୁ ଜଣାପଡ଼ିଛି, ଧର୍ମଶାଳା ତହସିଲର ଆରୁହା ପାହାଡ଼ର ମାତ୍ର ୩ଏକର ଲିଜ୍ ହୋଇଥିବା ହୋଇଥିବା ୧୫୩ ଏକର ପାହାଡ଼କୁ ମାଫିଆମାନେ ନିଜ ନିୟନ୍ତ୍ରଣରେ ରଖି ଶହ ଶହ କୋଟି କୋଟି ଟଙ୍କାର କଳାପଥର ଚୋରା ଚାଲାଣ କରୁଛନ୍ତି। ପ୍ରଭାବଶାଳୀଙ୍କ ନେତୃତ୍ବରେ ଏହି କଳାପଥର କାରବାର ଚାଲିଛି। ସେହିପରି ଡଙ୍କାରୀରେ ୧୪୪ଜାରି ସତ୍ତ୍ବେ ୱାଗନ୍ ବ୍ଲାଷ୍ଟିଂ କରି କଳାପଥର କାରବାର ଚାଲିଛି। ରାହାଡ଼ପୁରରେ ଚୋରା କାରବାର ସହିତ ବରଡ଼ା, ଲୁଣିଘର, ପାଇକରାପୁର ଡ୍ୟାମ, ବିଛାଖଣ୍ଡିରୁ ବ୍ୟାପକ କଳାପଥର ଚୋରାଚାଲାଣ ଚାଲିଛି। ରାହାଡ଼ପୁରରେ ଲିଜ୍ ନଥିବା ସ୍ଥାନରେ ଖନନ କରି ଢେଙ୍କାନାଳ ଜିଲ୍ଲା ସୀମାନ୍ତ ପର୍ଯ୍ୟନ୍ତ ନିଶ୍ଚନ୍ତା ପାହାଡ଼ରେ ବେଆଇନ୍ ଖନନ ଚାଲିଛି। ଧର୍ମଶାଳାକୁ ଲାଗିଥିବା ଢେଙ୍କନାଳର ଗଁନ୍ଦିଆ ତହସିଲର ନିହାଲପ୍ରସାଦ ଆରଆଇ ସର୍କଲ ପଥରମାଫିଆଙ୍କ ଆଡ଼ାରେ ପରିଣତ ହୋଇଛି। ନିହାଲପ୍ରସାଦ ଆରଆଇ ସର୍କଲ ଅଧୀନରେ ଥିବା ରାୟଗଡ଼ା ପାହାଡ଼ରେ ୧୪୪ଜାରି ସତ୍ତ୍ବେ ଖନନ ଜାରି ରହିଛି। ଖାତା ନମ୍ବର ୧୫୧୩ର ପ୍ଲଟ୍ ନମ୍ବର ୬୨୩୨ର ୧୧ଏକର ଓ ପ୍ଲଟ୍ ନମ୍ବର ୬୧୬୮ରେ ୧୦.୫ଏକରରୁ ବେଆଇନ୍ କଳାପଥର ଖନନ କରି ବିରାଟ ବିରାଟ ଗର୍ତ୍ତ କରାଯାଇଛି। ମେଟାଲ କ୍ବାରି ନମ୍ବର ୧ ସୈରାତ କେସ ନମ୍ବର୭/୨୦୧୫-୧୬ ଖାତା ନମ୍ବର ୧୫୧୩ ପ୍ଲଟ୍ ନମ୍ବର ୨୧୦୧ରେ ବ୍ୟାପକ ବେଆଇନ୍ ଖନନ କରାଯାଇ ଶହେ ଫୁଟର ବାମ୍ଫି ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ, ସୀମାନ୍ତ ଚଡ଼କମରା ମୈାଜାରେ ବେଆଇନ୍ ଖାଦାନ ସାଙ୍ଗକୁ ବେଆଇନ୍ କ୍ରସରଗୁଡ଼ିକ ସେମାନଙ୍କର ରାଜ ଜାରି ରଖିଛନ୍ତି। ଫଳରେ, ଏହି ଅଞ୍ଚଳରେ ଥିବା ଭାଗଲପୁର ପାହାଡ଼ ସତ୍ତା ହରାଇଲାଣି। ଲାଗୁଛି, ଯେମିତି ସରକାର ଲଘୁ ଖଣିଜ ସମ୍ପଦ ସୁରକ୍ଷା ପାଇଁ କରିଥିବା ଆଇନକୁ ମାଫିଆ ନିୟନ୍ତ୍ରଣ କରୁଛନ୍ତି! ଗତ ୫ବର୍ଷ ମଧ୍ୟରେ ଏହି ଅଞ୍ଚଳରୁ ପ୍ରାୟ ହଜାର କୋଟିରୁ ଅଧିକ ରାଜସ୍ବ ସରକାର ହରାଇଥିବା ଏକ ହିସାବରୁ ଜଣାପଡ଼ିଛି।