ପୁରୀ/ଡେଲାଙ୍ଗ: ଅଙ୍ଗନବାଡ଼ି କେନ୍ଦ୍ର ବିଲ୍ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେଲାଙ୍ଗ ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି। ସେହିପରି ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ନେଇ ଭିଜିଲାନ୍ସ ବିଭାଗ ତଦନ୍ତ ଚଳାଇଥିବା ସୂଚନା ମିଳିଛି।
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଞ୍ଚ ପଞ୍ଚାୟତ ଅଧୀନପିଢ଼ପାଟଣା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି ଗୃହ ନିର୍ମାଣ କରୁଥିବା ଠିକାଦାରଙ୍କ ଫାଇନାଲ୍ ବିଲ୍ ପାସ୍ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ମାଝି ଲାଞ୍ଚ ଦାବି କରିଥିଲେ। ଏନେଇ ସମ୍ପୃକ୍ତ ଠିକାଦାର ଭୁବନେଶ୍ବରସ୍ଥିତ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଚଢଉ ଯୋଜନା ହୋଇଥିଲା। ପୂର୍ବରୁ ଫୋନ୍ରେ ବାର୍ତ୍ତାଳାପକୁ ଆଧାର କରି ଠିକାଦାର ଆଜି ଏହି ଟଙ୍କାକୁ ନେଇ ଶ୍ରୀ ମାଝିଙ୍କୁ ଡେଲାଙ୍ଗ ଷ୍ଟେସନ୍ ବଜାରଠାରେ ଦେଉଥିବା ବେଳେ ସେଠାରେ ସାଦାପୋଷାକରେ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ଶ୍ରୀ ମାଝିଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି ଭୁବନେଶ୍ବର ନେଇଯାଇଛି। ଶ୍ରୀ ମାଝିଙ୍କର କାର୍ଯ୍ୟାଳୟ ସମେତ ପୈତୃକ ଘର, ସରକାରୀ କ୍ବାଟର ଆଦିରେ ମଧ୍ୟ ଏକକାଳୀନ ଚଢ଼ଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।