ରାଜ୍ୟ ସାରା ଦିଶିଲା ଚନ୍ଦ୍ର ଚାରିପାଖରେ ଆଲୋକ-ବଳୟ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଫଟୋ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଚନ୍ଦ୍ର ଚାରିପାଖେ ଏକ ବଳୟ ସୃଷ୍ଟି ହୋଇଥିଲା । ଇନ୍ଦ୍ରଧନୁ ରଙ୍ଗର ଏହି ବଳୟ ରାଜ୍ୟର ଅନେକ ସ୍ଥାନରେ ଦେଖାଯିବାର ଖବର ମିଳିଛି । ଏହା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି । ଏହି  ସମୟର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଏହି ଦୃଶ୍ୟ କାହିଁକି ଘଟୁଛି? ଏହା ପଛରେ କଣ ରହିଛି କାରଣ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ?

ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ୱାରା ଏକ ଅସାଧାରଣ ଦୃଶ୍ୟ । ଯାହାକୁ ଆମ ଆଖିର ଏକ ଦୃଷ୍ଟି ଭ୍ରମରୁ ସୃଷ୍ଟି ହୁଏ ବୋଲି କୁହାଯାଇପାରେ। ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ । ଏପରିକି ବେଳେବେଳେ ଚନ୍ଦ୍ର ଓ ସୂର୍ଯ୍ୟ ଚାରିପାଖେ ଏପରି ବଳୟ ସୃଷ୍ଟି ହୋଇଥାଏ।

ଆମ ବାୟୁମଣ୍ଡଳରେ ଥିବା ମେଘ ଗୁଡିକ ଛୋଟ ଛୋଟ ବରଫ ସ୍ଫଟିକରେ ତିଆରି । ବରଫ ସ୍ଫଟିକ ଗୁଡ଼ିକ ଖୁବ ପତଳା ଓ ଷଡଭୁଜ ଆକାରର । ଏହି ଷଡଭୁଜ ସ୍ଫଟିକ ଗୁଡିକ ଯୋଡି ହୋଇ ରହିଥିବା ଦୁଇଟି ପ୍ରିଜିମ୍ ଭଳି କାର୍ଯ୍ୟ କରେ । ଫଳରେ ଏହି ବରଫ ସ୍ଫଟିକ ମାଧ୍ୟମରେ ସୂର୍ଯ୍ୟ ଆଲୋକ ଗତି କଲାବେଳେ ପ୍ରତିଶରିତ ହୋଇ ୨୨ ଡିଗ୍ରୀ କୋଣରେ ବାଙ୍କି ହୋଇଯାଇଥାଏ । ଏଥିସହ ଆଲୋକ ସାତ ରଙ୍ଗରେ ବିଭାଜିତ ହୋଇଥାଏ ।

ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡେନାହିଁ । କିନ୍ତୁ ସାଧାରଣତଃ ବାୟୁମଣ୍ଡରେ ଝଡ ପୂର୍ବରୁ ମେଘ ପତଳା ହୋଇ ଖୁବ ଉପରକୁ ଉଠିଯାଏ ଓ ଗୋଟିଏ ଦିନ ପରେ ଏହା ତଳକୁ ଆସି ବହୁତ ବର୍ଷା କରିଥାଏ । ତେଣୁ ଚନ୍ଦ୍ର ବା ସୂର୍ଯ୍ୟ ଚାରିପାଖେ ବଳୟ ଦେଖାଗଲେ ପରବର୍ତ୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ ।

ସମ୍ବନ୍ଧିତ ଖବର