ସୋର: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିରୋଧର ସମ୍ମୁଖୀନ ହେଉଛନ୍ତି। ନେତା ଓ କର୍ମୀମାନେ ପ୍ରାର୍ଥୀ ବଦଳାଇବା ପାଇଁ ଅଡ଼ି ବସିଛନ୍ତି। ଏପରିସମୟରେ ଟିକେଟରୁ ବଞ୍ଚିତ ହୋଇ ବିଜେଡି ଛାଡ଼ିଥିବା ବିଧାୟକ ପର୍ଶୁରାମ ଧଡ଼ା ଅନ୍ୟ ଉପାୟ ନପାଇ ବିଜେପି ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିବାର ଏକ ଚିଠି ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

Advertisment

ଶ୍ରୀ ଧଡ଼ା ସୋର ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥରକ ମଧ୍ୟ ଟିକେଟ ପାଇବା ନେଇ ସେ ଅଶାବାଦୀ ଥିଲେ। ହେଲେ, ତାଙ୍କ ବଦଳରେ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ାଙ୍କୁ ଦଳ ପ୍ରାର୍ଥୀ କରିବାପରେ ସେ ଗତ ୩ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ। ସେତେବେଳକୁ ବିଜେପି ପ୍ରାର୍ଥୀ ଭାବେ ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା କରିସାରିଥିଲା। ତେଣୁ ପର୍ଶୁରାମ କଂଗ୍ରେସ ଟିକେଟରୁ ଲଢ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ମାତ୍ର, ଗତ ୧୪ ତାରିଖ ଦିନ କଂଗ୍ରେସ ପ୍ରାର୍ଥୀ ଭାବେ ସୁବ୍ରତ ଧଡ଼ାଙ୍କ ନାମ ଘୋଷଣା କରିବାପରେ ଉକ୍ତ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଏବେ ପୁଣି ଏକ ନୂଆ ଚର୍ଚ୍ଚା ଚାଲିଛି।

କୁହାଯାଉଛି, ବିଜେପିର ନେତା ଓ କର୍ମୀମାନେ ପ୍ରାର୍ଥିତ୍ବ ବଦଳାଇବା ପାଇଁ ଅଡ଼ି ବସିଥିବା ବେଳେ ସେ ଦଳୀୟ ଟିକେଟରେ ଲଢ଼ିବା ପାଇଁ ଇଚ୍ଛା କରୁଛନ୍ତି। ଏହି ଚର୍ଚ୍ଚାର ନିଆଁରେ ଘିଅ ଢାଳିବା ପରି ଗତକାଲିଠାରୁ ସୋସିଆଲ୍‌ ମିଡିଆରେ ପର୍ଶୁରାମଙ୍କ ଏକ ଚିଠି ଭାଇରାଲ୍‌ ହେଉଛି। ସେଥିରେ ଲେଖାଅଛି, ‘ବିଜେପି ମୋତେ ପ୍ରାର୍ଥୀ ଭାବେ ଗ୍ରହଣ କରୁ।’ ଏନେଇ ନିଜର ପ୍ରତିକ୍ରିୟା‌ରେ କହିଛନ୍ତି, ‘ମୋର ନକଲି ଦସ୍ତଖତରେ ମିଛ ଚିଠି ଭାଇରାଲ୍‌ କରି ବିରୋଧୀମାନେ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି। ମୁଁ ଏଯାଏ ବିଜେପିରେ ଯୋଗଦେବା ନେଇ କିଛି ଚିନ୍ତା କରିନି।’