ପଶ୍ଚିମବଙ୍ଗରୁ ଛୁଟି ଆସିଲେ ବାପା, ଶବ ଭିତରୁ ବାହାରିଲା ଜୀବନ୍ତ ପୁଅ

ବାଲେଶ୍ବର : କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ପୁଅ ମରିଥିବା ଖବରକୁ ବିଶ୍ବାସ କରିପାରିଲେନି ବାପା। ପଶ୍ଚିମବଙ୍ଗରୁ ଆମ୍ବୁଲାନ୍‌ସ ଧରି ୨୩୦ କିଲୋମିଟର ଦୂର ବାଲେଶ୍ବରକୁ ଛୁଟି ଆସିଲେ। ବାହାନଗା ହାଇସ୍କୁଲ ପରିସର ଅସ୍ଥାୟୀ ଶବାଗାରରେ ଗଦା ହୋଇଥାଏ କୁଢ଼କୁଢ଼ ଶବ। ଧଳା ଚାଦର ଉଠାଇ ତା’ ଭିତରୁ ପୁଅକୁ ଚିହ୍ନଟ କଲେ, କିନ୍ତୁ ସମ୍ପୂର୍ଣ୍ଣ ଜୀବିତ ଅବସ୍ଥାରେ। ଚକିତ କଲା ଭଳି ଏହି ଘଟଣା ବର୍ତ୍ତମାନ ସାମ୍‌ନାକୁ ଆସିଛି। ବାଲେଶ୍ବର ଡାକ୍ତରଖାନାରେ ଆଶୁ ଚିକିତ୍ସା ପରେ ଗୁରୁତର ପୁଅକୁ ଉନ୍ନତ ଚିକିତ୍ସା ପାଇଁ କୋଲ୍‌କାତା ନେଇ ଯାଇଛନ୍ତି ପଶ୍ଚିମବଙ୍ଗ ହାୱାଡ଼ା ଜିଲ୍ଲାର ହେଳାରାମ ମଲିକ।

ମିଳିଥିବା ସୂଚନା ଅନୁସାରେ, ମୃତ ଘୋଷଣା କରାଯାଇଥିବା ପୁଅ ହେଉଛନ୍ତି ୨୪ ବର୍ଷୀୟ ବିଶ୍ବଜିତ ମଲିକ। ଜୁନ୍ ୨ ତାରିଖ ଶୁକ୍ରବାର ଅପରାହ୍ନ ୩ଟା ୩୫ରେ କୋଲକାତା ଶାଲିମାର୍‌ ଷ୍ଟେସନ୍‌ରେ ପୁଅ ବିଶ୍ବଜିତଙ୍କୁ ଛାଡ଼ି ଆସିବାର କିଛିସମୟ ପରେ ହାୱାଡ଼ାରେ ନିଜ ଦୋକାନ ଖୋଲିଥିଲେ ହେଳାରାମ। ଆଉ ଏତିକି ବେଳେ ତାଙ୍କୁ ମିଳିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ଖବର। ବିଚଳିତ ଅବସ୍ଥାରେ ପୁଅ ବିଶ୍ବଜିତଙ୍କ ମୋବାଇଲ୍‌ ଫୋନ୍‌କୁ କଲ୍‌ କଲେ ହେଳାରାମ।
ସେପଟୁ କ୍ଷୀଣ ସ୍ବରରେ ଜବାବ ମିଳିଲା, ବାପା ମୁଁ ବଞ୍ଚିଛି, କିନ୍ତୁ ଖୁବ୍‌ କଷ୍ଟ ହେଉଛି। ଅଗତ୍ୟା ଆଉ କିଛି ନ ବିଚାରି ହେଳାରାମ ସ୍ଥାନୀୟ ଅଞ୍ଚଳର ଜଣେ ଆମ୍ବୁଲାନ୍ସ ଡ୍ରାଇଭର୍‌ ପଳାଶ ପଣ୍ଡିତଙ୍କୁ ଡାକି ଶାଳକ ଦୀପକ ଦାସଙ୍କୁ ସାଥୀରେ ନେଇ ରାତାରାତି ବାହାରି ଆସିଲେ ବାଲେଶ୍ବର। କିନ୍ତୁ, ବାଲେଶ୍ବରର କୌଣସି ଡାକ୍ତରଖାନାରେ ସେମାନେ ବିଶ୍ବଜିତଙ୍କ ସନ୍ଧାନ ପାଇନଥିଲେ।

ତେବେ, ନିରାଶ ନ ହୋଇ ହେଳାରାମ ଓ ତାଙ୍କ ଶାଳକ ଦୀପକ ସ୍ଥାନୀୟ ଲୋକମାନଙ୍କୁ ପଚାରିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଲେ, ଯଦି ଡାକ୍ତରଖାନାରେ ପାଉନାହଁ, ବାହାନଗା ହାଇସ୍କୁଲକୁ ଯାଅ। ସେଠାରେ ସବୁ ଶବ ରଖାଯାଇଛି। ବାଟଘାଟ କିଛି ଜାଣିନଥିଲେ ବି ସ୍ଥାନୀୟ ଲୋକଙ୍କୁ ପଚାରି ପଚାରି ହେଳାରାମ ବାହାନଗା ଗଲେ। ପ୍ରଥମେ ତାଙ୍କୁ ଶବ ଦେଖିବାକୁ ଛଡ଼ା ଗଲାନାହିଁ। ପରେ ଶବ ରଖାଯାଇଥିବା ଘରେ ପଶିଥିଲେ ହେଳାରାମ। ଚାଦର ଉଠାଇ ଜଣକ ପରେ ଜଣକୁ ଦେଖିଥିଲେ। ଚଟାଣରେ ଧାରଧାର ରକ୍ତ। କାହାର ଆଖି ବାହାରି ପଡ଼ିଥିଲା ତ କାହାର ଜିଭ ବାହାରି ଆସିଥିଲା। ଅତି ବୀଭତ୍ସ ଥିଲା ସେ ଦୃଶ୍ୟ। ସତେଯେମିତି ଶବଗୁଡ଼ିକ ତାଙ୍କୁ କଟମଟ ଚାହିଁ ରହିଛନ୍ତି। ହେଲେ, ବାପା ମନ ବୁଝିଲାନି। ଭୟ ଓ ଆଶଙ୍କାରେ ଶବ ପାହାଡ଼ ଭିତରେ ଖୋଜି ଚାଲିଥିଲେ ପୁଅକୁ। ଏହିସମୟରେ ଜଣକର ହାତ ଥରୁଥିବା ସେଠାରେ କେହି ଜଣେ ଦେଖିବା ପରେ ଚହଳ ପଡ଼ିଗଲା। ହେଳାରାମ ସେହି ଶବ ପାଖକୁ ଯାଇ ହାତଟି ତାଙ୍କ ପୁଅ ବିଶ୍ବଜିତଙ୍କ ବୋଲି ଚିହ୍ନିଥିଲେ। ଭୀଷଣ ଆହତ ହୋଇ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ହେଳାରାମ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ବାଲେଶ୍ବର ଡାକ୍ତରଖାନା ନେଇଗଲେ। ସେଠାରେ ତାଙ୍କୁ କିଛି ଇଞ୍ଜେକ୍‌ସନ୍‌ ଦିଆଗଲା। ତାଙ୍କ ଅବସ୍ଥା ଦେଖି ଡାକ୍ତର କଟକ ବଡ଼ ମେଡିକାଲ୍‌କୁ ରେଫର୍‌ କରିଥିଲେ। କିନ୍ତୁ, ବଣ୍ଡ୍‌ରେ ଦସ୍ତଖତ କରି ତାଙ୍କୁ ବାଲେଶ୍ବର ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଇ ଆଣିଥିଲେ ବାପା ହେଳାରାମ। ନିସ୍ତେଜ ହୋଇ ପଡ଼ିଥିବା ବିଶ୍ବଜିତଙ୍କୁ ଆମ୍ବୁଲାନ୍ସରେ ନେଇ କୋଲ୍‌କାତା ଫେରିଯାଇଛନ୍ତି। ‘ସକାଳ ୮.୩୦ରେ ଏସ୍‌‌ଏସ୍‌କେଏମ୍‌ ହସ୍ପିଟାଲ୍‌ରେ ପହଞ୍ଚିଲୁ,’ ବୋଲି କହିଛନ୍ତି ବିଶ୍ବଜିତଙ୍କ ମାମୁ ଦୀପକ ଦାସ।

କୋଲ୍‌କାତାର ଏସ୍‌ଏସ୍‌କେଏମ୍‌ ହସ୍ପିଟାଲର ଟ୍ରମା କେୟାର୍‌ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ବିଶ୍ବଜିତଙ୍କର ଚେତା ଏଯାଏ ଫେରିନାହିଁ। ରବିବାର ଦିନ ତାଙ୍କ ପାଦଗଣ୍ଠିରେ ଅସ୍ତ୍ରୋପଚାର କରାଯାଇଛି। ଆଉ ଗୋଟିଏ ଗୋଡ଼ରେ ଅସ୍ତ୍ରୋପଚାର କରାଯିବ। ଲାସ୍‌ଖାନାରେ ଥରୁଥିବା ତାଙ୍କ ଡାହାଣ ହାତର ହାଡ଼ ଏକାଧିକ ସ୍ଥାନରେ ଭାଙ୍ଗିଯାଇଛି। ତେବେ ସାଙ୍ଘାତିକ ଆହତ ହୋଇଥିଲେ ବି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି।

ସମ୍ବନ୍ଧିତ ଖବର