ଗୋଟିଏ ଘରେ ୬୦ ଯୁବତୀଙ୍କୁ ତାଲା! ଘର ସହ ‌କଥା ହେବାକୁ ଦିଆ ଯାଉନି

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଗୋଟିଏ କୋଠାରେ ପ୍ରାୟ ୬୦ ଜଣ ଯୁବତୀଙ୍କୁ ତାଲା ବନ୍ଦ କରି ରଖାଯାଇଛି। ନା’ ବାହାରକୁ ଯିବାକୁ ଅନୁମତି ଅଛି, ନା ଘର ସହ କଥା ହେବାକୁ ଦିଆଯାଉଛି। ଚାକିରି ଦେବା ନାଁରେ ଏହି ଯୁବତୀ ମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଡକା ହୋଇ ଅଣା ହୋଇଛି। ତେବେ ଏତେ ସଂଖ୍ୟାରେ ଝିଅଙ୍କୁ ଏଭଳି ଅବସ୍ଥାରେ ରଖାଯିବା ପଛରେ ଉଦ୍ଦେଶ୍ୟ କଣ ଏହାକୁ ନେଇ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ଘରୁ ୨ ଜଣ ଯୁବତୀ କୌଣସି ପ୍ରକାରେ ଖସି ଆସି ଏ ସଂପର୍କରେ ଅଭିଯୋଗ କରିବାକୁ ଧନୁପାଲି ଥାନାରେ ପହଞ୍ଚିଥିଲେ। ଅଭିଯୋଗ ବଦଳରେ କିନ୍ତୁ ସେମାନଙ୍କୁ ଆପୋଷ ବୁଝାମଣା କରିବାକୁ ପୁଲିସ୍‌ ପକ୍ଷରୁ କହା ଯାଇଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ ପୁଲିସ ବାବୁ ସେମାନଙ୍କୁ ଆପୋଷ ବୁଝାମଣା ପାଇଁ ପ୍ରବର୍ତ୍ତାଉଥିଲେ ତାଙ୍କ ପାଖରେ ଆଗରୁ ଏହି ଯୁବତୀ ମାନଙ୍କୁ ବନ୍ଦୀ କରି ରଖିଥିବା ସଂପୃକ୍ତ ବ୍ୟକ୍ତିଙ୍କ ନମ୍ବର ଥିଲା। ତାଙ୍କୁ ଥାନାକୁ ଡାକି ଦେଉଛି, ମିଶିକି କଥା ହୋଇ ସମାଧ‌ାନ କରିଦେବା ବୋଲି ସେ କହିଥିଲେ ଓ ତାଙ୍କୁ ଥାନାକୁ ମଧ୍ୟ ଡକାଇଥିଲେ। ଏହାପରେ ମାମଲା ନହୋଇ ଆପୋଷ ବୁଝାମଣା କରା ଯାଇଥିବା ଜଣାପଡ଼ିଛି। ତେଣୁ ଏଥିରେ ପୁଲିସର ଭୂମିକା ବି ସନ୍ଦେହ ଘେରକୁ ଆସିଛି।

ଜିଲ୍ଲା ବାହାର ଯୁବତୀଙ୍କୁ ଟାର୍ଗେଟ୍‌
କିଛି ଦିନ ତଳେ ମାନେଶ୍ବରଠାରେ ଜଣେ ବ୍ୟକ୍ତି ଯୁବତୀ ମାନଙ୍କୁ ଚାକିରି ଦେବା ନାଁରେ ଯୌନ ନିର୍ଯାତନା ଦେବା ସହ ବହୁ ଯୁବକଯୁବତୀଙ୍କ ଠାରୁ ଟଙ୍କା ହଡ଼ପ କରି ଜେଲ୍ ଯାଇଥିଲା। ବର୍ତ୍ତମାନ ଦେଶରେ ବଢ଼ି ଚାଲିଥିବା ବେକାରି ସମସ୍ୟାର ଫାଇଦା ଉଠାଉଛନ୍ତି କିଛି ଖଳ ପ୍ରକୃତିର ବ୍ୟକ୍ତି। ସୁନାପାଲିରେ ଚାଲିଥିବା ଏହି ତଥାକଥିତ ତାଲିମ କେନ୍ଦ୍ରକୁ ଜିଲ୍ଲା ବାହାରୁ ଝିଅମାନଙ୍କୁ ଟାର୍ଗେଟ୍‌ କରି ଅଣାଯାଇଛି। ୧୦ମ ପାସ୍‌ ଯୁବତୀଙ୍କୁ ଚାକିରି ଦିଆଯିବ କହି ପ୍ରଲୋଭିତ କରିବା ପରେ ସେମାନଙ୍କୁ ଏହି କୋଠାକୁ ଅଣାଯାଉଛି। ଆଣିବା ବେଳେ ଯେମିତି ସେମାନେ ରାସ୍ତା, ଠିକଣା କିଛି ଜାଣି ନ ପାରିବେ ତା’ର ମଧ୍ୟ ବ୍ୟବସ୍ଥା କରାଯାଉଛି। ତା’ପରେ ଆରମ୍ଭ ହେଉଛି ଫୁଲ୍‌ ଡ୍ରାମା। ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ତାଲା ପକାଇ ୩ଟି ରୁମ୍‌ରେ ରଖାଯାଉଛି। ଯଦି ଦୁଇ ଭଉଣୀ ଥିବେ ତେବେ ସେମାନଙ୍କୁ ଏକାଠି ରଖାଯାଉ ନାହିଁ। ଫୋନ୍‌ ମଧ୍ୟ ସେମାନଙ୍କଠାରୁ ଛଡ଼ାଇ ନିଆ ଯାଇଥିବା ଜଣାପଡ଼ିଛି। ଘର ସହ ଯେଭଳି କୌଣସି ସମ୍ପର୍କ ରଖି ପାରିବେ ନାହିଁ ସେ ନେଇ ସବୁ ବ୍ୟବସ୍ଥା କରାଯାଉଛି। ଏହି କେନ୍ଦ୍ରରେ ବିଶେଷ କରି ପୂର୍ବ ଉପକୂଳ ଓଡ଼ିଶାର ଯୁବତୀ ମାନେ ଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ କେବଳ ଭଦ୍ରକ ଜିଲ୍ଲାରୁ ୨୦ରୁ ଅଧିକ ଝିଅ ଅଛନ୍ତି।

ପଢ଼ା ଯାଉଛି ପ୍ରେମ ପାଠ
ଝିଅମାନଙ୍କୁ ଚାକିରି ଦିଆଯିବ ବୋଲି କହି ଏହି ସେଣ୍ଟରକୁ ଅଣାଯାଉଛି। ସେମାନଙ୍କ ଠାରୁ ପ୍ରଶିକ୍ଷଣ ପାଇଁ ଅଗ୍ରୀମ ୮ ହଜାର ଟଙ୍କା ଲେଖାଏଁ ମଧ୍ୟ ନିଆଯାଉଛି। ତେବେ ଲକ୍‌ଡାଉନ୍‌ ପାଇଁ କମ୍ପାନି ସବୁ ବନ୍ଦ ଥିବାରୁ ଖୋଲିବା ପରେ ଚାକିରି ଦିଆଯିବ ବୋଲି କହି ସେହି ସେଣ୍ଟରରେ ରଖାଯାଉଛି। ସେମାନଙ୍କୁ ପ୍ରଶିକ୍ଷଣରେ ଯେଉଁ ପାଠ ପଢ଼ାଯାଉଛି ତାହା ଆଶ୍ଚର୍ଯ୍ୟ କରିବା ଭଳି। ଝିଅମାନଙ୍କୁ ସକାଳ ୬ଟାରୁ ସକାଳ ୯ଟା ୩୦ ଯାଏ ମନୋବିଜ୍ଞାନ ଓ ପ୍ରେମ ବ୍ୟାପାର ପାଠ ପଢ଼ାଯାଉଛି। ୨୫ ଦିନର ପ୍ରଶିକ୍ଷଣ ନେବାକୁ କହାଯାଉଛି। ତା’ପରେ କୋଭିଡ୍ ପାଇଁ କମ୍ପାନି ବନ୍ଦ ଥିବାରୁ ନିଯୁକ୍ତି ଦିଆଯିବ ନାହିଁ ବୋଲି କହାଯାଉଛି। ଏହାପରେ ବି ସେମାନଙ୍କୁ ଘରକୁ ନଛଡ଼ା ତାଲା ପକାଇ ରଖାଯାଉଛି। ବୃତ୍ତିଗତ ଜୀବନରେ ସଫଳ ହେବା ପାଇଁ ଘରଠାରୁ ଦୂରେଇ ରହିବା ଶିଖାଇବା ପାଇଁ ତାଲିମ ସମୟରେ ଘର ସହ‌ ଯୋଗାଯୋଗ କରିବାକୁ ଦିଆଯାଉ ନାହିଁ ବୋଲି ବୁଝାଯାଉଛି।

କୋଭିଡ୍‌ ସମୟରେ କେମିତି ଚାଲିଛି ଏହି କେନ୍ଦ୍ର?
କୋଭିଡ୍ ସଂକ୍ରମଣର ବ୍ୟାପକତାକୁ ନଜରରେ ରଖି ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରି ସାରିଲେଣି। କୌଣସି ଛାତ୍ରାବାସରେ ପିଲା ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ଏସବୁ ଭିତରେ ବି ଏହି ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ଜାରି ରହିଛି। ପୁଅମାନଙ୍କୁ ମାର୍କେଟିଂ ଆଉ ଝିଅ ମାନଙ୍କୁ ଅଫିସ୍‌ ଚାକିରି ଦେବାକୁ କହି ଏହି ପ୍ରଶିକ୍ଷଣ କେନ୍ଦ୍ର ଚାଲୁ ରଖାଯାଇଛି। ଏଠାରେ ୬୦ରୁ ଅଧିକ ଝିଅଙ୍କୁ ରଖିବାକୁ କିଏ ଅନୁମତି ଦେଇଛି ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ପୁଲିସ ଜ୍ଞାତସାରରେ ଏହା ଚାଲିଥିବାରୁ ପୁଲିସ୍‌ର ଭୂମିକା ଅଧିକ ସନ୍ଦେହ ଘେରରେ ରହିଛି।

ସମ୍ବନ୍ଧିତ ଖବର