ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ଠାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ ୨୦୧୮-୧୯ ମସିହାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଅସୁରଗଡ଼ ଦୁର୍ଗରୁ ସଂଗୃହୀତ ବିଭିନ୍ନ ସାମଗ୍ରୀର ରେଡିଓ କାର୍ବନ ଡେଟିଙ୍ଗ ଦ୍ବାରା ପରୀକ୍ଷା ହୋଇ ଗବେଷଣା କରାଯାଇଥିଲା। ଏହି ରିପୋର୍ଟ ଜର୍ଣ୍ଣାଲ ଅଫ ମଲ୍ଟିଡିସିପ୍ଲିନାରି ଷ୍ଟଡିଜ୍ ଇନ୍ ଆର୍କିଓଲୋଜିରେ ପ୍ରକାଶ ପାଇଛି। ଏଥିରେ ଅସୁରଗଡ଼ ଦୁର୍ଗ ଖ୍ରୀ.ପୂ. ନବମ ଶତାବ୍ଦୀରୁ ଆରମ୍ଭ ହୋଇ ତୃତୀୟ ଶତାବ୍ଦୀ ପର୍ଯ୍ୟନ୍ତ ସଭ୍ୟତା ଥିବା ପ୍ରମାଣ ମିଳିଛି। ଏଠାରେ ସହରୀ ସଭ୍ୟତାର ସମସ୍ତ ପ୍ରମାଣ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଦୁର୍ଗର ଅଧିକ ଗବେଷଣା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ ୨୦୧୮-୧୯ ମସିହାରେ ଖନନ କାର୍ଯ୍ୟ ଦ୍ବିତୀୟ ଥର ପାଇଁ କରାଯାଇଥିଲା। ଏଏସ୍ଆଇର ଦିବିସାଦା ବ୍ରଜସୁନ୍ଦର ଗଡ଼ନାୟକଙ୍କ ନେତୃତ୍ବରେ ଏହି ଖନନ ହୋଇଥିଲା। ଅସୁରଗଡ଼ ଦୁର୍ଗରେ ସହରୀ ବସତି ଥିବା ଠୋସ୍ ପ୍ରମାଣ ରହିଛି। ଯୁଦ୍ଧ ନିମନ୍ତେ ଲୁହାରେ ତିଆରି ଅସ୍ତ୍ରଶସ୍ତ୍ରର ନିର୍ମାଣ ହେଉଥିଲା। ଖ୍ରୀ.ପୂ. ଅଷ୍ଟମ ଓ ନବମ ଶତାବ୍ଦୀରେ ଏହି ସଭ୍ୟତା ଗଢ଼ି ଉଠିଥିଲା। ଅସୁରଗଡ଼ ଦୁର୍ଗ ଖନନ ସମୟରେ ୧୦ ମିଟର ଓସାର ଓ ୧୦ ମିଟର ଚଉଡ଼ାର ୨୦ଟି ଗାତ ଖୋଳା ଯାଇଥିଲା। ଏହି ଖନନ ସମୟରେ ରତ୍ନ ପଥର, କାଚ, ଚୁଡି, ମାଟିପାତ୍ର, ପଥର ଖୋଦିତ ସାମଗ୍ରୀ, ଇଟା, ଲୁହା ଅସ୍ତ୍ରଶସ୍ତ୍ର ସାମଗ୍ରୀ, ତମ୍ବା ନିର୍ମିତ ସିଂହ, ରୈାପ୍ୟମୁଦ୍ରା, ମାଟି ଖପର ସମେତ ବହୁ ସାମଗ୍ରୀ ମିଳିଥିଲା। ଏହି ସାମଗ୍ରୀ ଗୁଡ଼ିକୁ କାର୍ବନ ଡେଟିଙ୍ଗ ପାଇଁ ଏୟୁଏସି ନୂଆଦିଲ୍ଲୀରେ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷା ପରେ ଅସୁରଗଡ଼ ଦୁର୍ଗ ଓଡ଼ିଶାର ଭୁବନେଶ୍ବର ନିକଟରେ ଥିବା ଶିଶୁପାଳଗଡ଼ ଠାରୁ ମଧ୍ୟ ବହୁ ପୁରୁଣା ଅଟେ। ଅସୁରଗଡ଼ ଦୁର୍ଗ ଖ୍ରୀ.ପୂ. ନବମ ଶତାବ୍ଦୀରେ ଆରମ୍ଭ ହୋଇ ତୃତୀୟ ଶତାବ୍ଦୀରେ ଧ୍ବଂସ ହୋଇଥିଲା। ପ୍ରଥମଥର ପାଇଁ ଓଡ଼ିଶାରେ ଅସୁରଗଡ଼ ଦୁର୍ଗ ଖନନ ସମୟରେ ସୁନା ଚେନ, ରୋଷେଇ ଶାଳ, ଇଟା ଓ ପଥରରେ ନିର୍ମିତ ରାସ୍ତାର ଭଗ୍ନାବଶେଷ ମିଳିଛି। ଅସୁରଗଡ଼ ଦୁର୍ଗ ଲୈାହ ପ୍ରସ୍ତର ଯୁଗର ବୋଲି ଜଣାପଡ଼ିଛି। ଏହି ଦୁର୍ଗକୁ ଆଦିବାସୀମାନେ ନିର୍ମାଣ କରିଥିବା ଜଣାପଡ଼ିଛି। ଏହା ମୈାର୍ଯ୍ୟ ଶାସନ ସମୟର ବୋଲି ପ୍ରମାଣ ମିଳିଛି। ମିଳିଥିବା ତଥ୍ୟକୁ ନେଇ ଭାରତର ଐତିହାସିକମାନେ ବହୁ ଗବେଷଣା କରିପାରିବେ ଏବଂ ଗବେଷଣା କଲେ ଅସୁରଗଡ଼ ଦୁର୍ଗରୁ ପ୍ରାକ୍ ଇତିହାସର ବହୁ ପ୍ରମାଣ ମିଳିପାରିବ ବୋଲି ଐତିହାସିକମାନେ ମତ ପ୍ରକାଶ କରିଛନ୍ତି।