୮ରେ ବଙ୍ଗୋପସାଗରରେ ଲଘୁଚାପ, ୧୦ରୁ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର : ଆସନ୍ତା ୮ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଏହା ଫଳରେ ଓଡ଼ିଶାରେ ଜୁନ  ୧୦ ତାରିଖ ଠାରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଲଘୁଚାପ ଜନିତ ବର୍ଷା ଓଡ଼ିଶାରେ ମୌସୁମୀ ପ୍ରବେଶକୁ ସୁଗମ କରିବ । ଦକ୍ଷିଣ-ପଶ୍ଚିମ ମୌସୁମୀ ଗତ ଜୁନ ୧ରେ କେରଳ ଛୁଇଁଥିଲା । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ଆସିଥାଏ । ଏଣୁ ଆସନ୍ତା ୧୦ ତାରିଖ ବେଳକୁ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବା ନିଶ୍ଚିତ ଜଣାପଡ଼ୁଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଗୁରୁବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର କେରଳରେ ପହଞ୍ଚିବା ସହ କେନ୍ଦ୍ରୀୟ ଆରବ ସାଗର ଓ କର୍ଣ୍ଣାଟକ ତଥା ତାମିଲନାଡ଼ୁର କିଛି ଅଂଶରେ ପହଞ୍ଚିଛି । ଆଗାମୀ ୨-୩ ଦିନ ମଧ୍ୟରେ ଏହା ଆହୁରି ଆଗକୁ ବଢି ସଂପୂର୍ଣ୍ଣ କର୍ଣାଟକ, ପୁଡୁଚେରୀ, ତାମିଲନାଡ଼ୁ, କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହାର ପରବର୍ତ୍ତି ଦୁଇଦିନରେ ଏହା ଆନ୍ଧ୍ର ପ୍ରଦେଶ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଏଥର ସାରା ଦେଶରେ ମୌସୁମୀ  ବର୍ଷା ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବରୁ କହିସାରିଛି ।

 

 

ସମ୍ବନ୍ଧିତ ଖବର