୧୯ ତାରିଖରେ ବଙ୍ଗୋପସାଗରେ ସୃଷ୍ଟି ହେବ ଲଘୁଚାପ; ସେପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟକୁ ମୌସୁମୀ ସ୍ପର୍ଶ କଲା ପରେ ଶନିବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅନ୍ୟପକ୍ଷରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟଟି ଏବେ ପୂର୍ବ ମଧ୍ୟପ୍ରଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ରହିବା ସହ ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତୃତ ହୋଇଛି। ସେହିପରି ସମୁଦ୍ର ପତ୍ତନଠାରୁ ୯ କିଲୋମିଟର ଉଚ୍ଚତାରେ ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ପୂର୍ବ ରାଜସ୍ଥାନ, ଉତ୍ତର ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ଏହାର ପ୍ରଭାବରେ ଆସନ୍ତା ଜୁନ୍‌ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ଏହି ସମୟ ମଧ୍ୟରେ ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲା ପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

MetWeather

ଏଥିସହ ୧୬ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର ଓ କେନ୍ଦୁଝର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୭ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୮ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳ ବର୍ଷା ଏବଂ ୧୯ ତାରଖ ଦିନ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ସୋନପୁର ଓ ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଜାରି ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସମ୍ବନ୍ଧିତ ଖବର