ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଅପରାହ୍ଣ ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ, ତତ୍ସଂଲଗ୍ନ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଅବସ୍ଥିତ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ୨୪ ତାରିଖ ସକାଳ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।
ବାଲେଶ୍ବର, ଭଦ୍ରକରେ ୨୫ ଓ ୨୬ରେ ବର୍ଷା
୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଆଗକୁ ବଢ଼ିଲା ମୌସୁମୀ, ଜୁନ୍ ୧୦ ପରେ ଓଡ଼ିଶା ଛୁଇଁବ
ଏହାର ପ୍ରଭାବରେ ୨୩ ତାରିଖ ସକାଳ ବେଳକୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ମଝିରେ ମଝିରେ ୬୦ କିମିରେ ଝଟ୍କା ଦେବ। ୨୪ ତାରିଖ ସକାଳେ ଅବପାତଟି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିଲା ବେଳକୁ ପବନର ବେଗ ୭୦ କିମିରେ ପହଞ୍ଚିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନେ ଗୁରୁବାରଠାରୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗର ଏବଂ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଉପକୂଳ ଓଡ଼ିଶା ଉପରୁ ଝଡ଼ ବର୍ଷା ଟଳିଥିଲେ ମଧ୍ୟ ୨୫ ଓ ୨୬ ତାରିଖରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେପଟେ ଗୁରୁବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୁଳୁଗୁଳି ସହ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେଉଛି। ମୌସୁମୀ ଆଜି ଦକ୍ଷିଣ ଆରବସାଗରର କିଛି ଅଞ୍ଚଳ ସମେତ ମାଲଦୀପ, କୋମରିନ, ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଛୁଇଁଛି। ମେ’ ୩୧ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଓଡ଼ିଶାରେ ଜୁନ୍ ୧୦ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ସ୍ପର୍ଶ କରିପାରେ।