ରାଉରକେଲା: କରୋନାର ସ୍ମୃତି ଲୋକଙ୍କ ମନରୁ ହଜିବା ଆରମ୍ଭ କରୁଥିବାବେଳେ ଏହି କରୋନା ଆଉ ଏକ ଜୀବନ ନେବା ବାସ୍ତବରେ ଚିନ୍ତାଜନକ। କରୋନା ସଂକ୍ରମଣର ନୂଆ ଲହର ବିଶେଷ ବିପଦଜନକ ବୋଲି ସାଧାରଣରେ ଗ୍ରହଣ କରା ଯାଉଥିବାବେଳେ ଏହାଦ୍ବାରା ଆକ୍ରାନ୍ତ ରାଉରକେଲାର ଜଣେ ଯୁବକଙ୍କ ମୃତ୍ୟୁହେବା ଚିନ୍ତାଜନକ। ମୃତକ ହେଉଛନ୍ତି, ରାଉରକେଲା ସେକ୍ଟର-୬ ଏ/୪୭ କ୍ବାର୍ଟର୍ସର ପ୍ରଦୀପ ପାଲ (୩୯)। ଗତ ମାସ ୩୧ ତାରିଖରେ ପ୍ରଦୀପଙ୍କ ଦେହ ଅସୁସ୍ଥ ହେବାରୁ ଇସ୍ପାତ ଜେନେରାଲ ହସପିଟାଲ (ଆଇଜିଏଚ୍‌)ରେ କରୋନା ଟେଷ୍ଟ କରା ଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ତାଙ୍କୁ ଆର୍‌ଜିଏଚ୍‌ରେ କୋଭିଡ଼୍ କକ୍ଷକୁ ସ୍ଥାନାନ୍ତର କରାଯାଇଥିଲା। ଗତ ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କୁ ଏ ସମ୍ପର୍କିତ ରିପୋର୍ଟ ମାଗିଛନ୍ତି l ଆସନ୍ତାକାଲି ( ସୋମବାର ) ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜକାନ୍ତି ମିଶ୍ର କହିଛନ୍ତି l ମିଳିଥିବା ସୂଚନା ମୁତାବକ, ରାଉରକେଲା ଇସ୍ପାତ କାରଖାନାରେ ଚାକିରି କରୁଥିବା ପ୍ରଦୀପ ଦେହ ଅସୁସ୍ଥ ହେବାରୁ ମାର୍ଚ୍ଚ ଶେଷ ସପ୍ତାହରେ ସେ ଆଇଜିଏଚ୍‌ରେ ଭର୍ତି ହୋଇଥିଲେ। ନିମୋନିଆ ଥିବାରୁ ତାଙ୍କର ଥଣ୍ଡା କମି ନ ଥିଲା। ୩୧ ତାରିଖରେ କରୋନା ପାଇଁ ତାଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଇଥିଲା। ସେହିଦିନ ସନ୍ଧ୍ୟାରେ ରିପୋର୍ଟ କୋଭିଡ ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ ଆଇଜିଏଚ୍‌ରୁ ରାଉରକେଲା ସରକାରୀ ହସପିଟାଲ (ଆରଜିଏଚ)ର କୋଭିଡ ସେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୫ ତାରିଖରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।