ଚର୍ଚ୍ଚାରେ ରୂପକ୍ ପଟେଲଙ୍କ ବ୍ୟାଟେରୀ ଚାଳିତ ସାଇକେଲ, ଏକ ଘଣ୍ଟା ଚାର୍ଜ କଲେ ଦୌଡୁଛି ୧୫ ରୁ ୨୦ କିମି ବାଟ

ସୁନ୍ଦରଗଡର : ଇଚ୍ଛା ଶକ୍ତି ଦେଖାଇଲେ, ବ୍ୟାଟେରୀ ସାଇକେଲ ନିର୍ମାଣ କଲେ। ଏ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ଲଂକାହୁଡା ଗାଁର ରୂପକ ପଟେଲ। ଘରେ ଥିବା ପୁରୁଣା ସାଇକେଲକୁ ଏପରି ରଂଗ ଦେଲେ ଯେ, ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ସାଧାରଣ ଭାବରେ ଆପଣମାନେ ବ୍ୟାଟେରୀ ଗାଡି ଓ ସାଇକେଲ ବଡବଡ ସୋରୁମରେ ଦେଖିଥିବେ। କିନ୍ତୁ ଘରେ ଥିବା ପୁରୁଣା ସାଇକେଲକୁ ଖତ ନକରି କେମିତି ବ୍ୟାଟେରୀ ଚାଳିତ ସାଇକେଲରେ ତାହା ପରିଣତ ହେଉଛି ତାହା ଉପରେ ଥରେ ନଜର ପକାନ୍ତୁ।

ଦେଖନ୍ତୁ କେମିତି ତିଆରି ହୋଇଛି ଏହି ସାଇକେଲ। ଏହାକୁ କେହି ବଡ ବୈଜ୍ଞାନିକ ବି ତିଆରି କରିନାହାନ୍ତି। ଆଜ୍ଞା ହିଁ, ବିଶ୍ୱାସ ହେଉନଥିଲେ ବି ସତ। ବ୍ୟାଟେରୀ ସାଇକେଲର ନିର୍ମାତା ହେଉଛନ୍ତି ଏହି ଯୁବକ। ପାରିବାରିକ ସମସ୍ୟା ଲାଗି ବେଶି ପାଠ ବି ପଢିନାହାନ୍ତି। ମାତ୍ର ଯୁକ୍ତ୨ ପାଠ ପଢିବା ପରେ ସେ ଯେଉଁ ସାମଗ୍ରୀର ଉଦ୍ଭାବନ କରିଛନ୍ତି ତାହାକୁ ଦେଖିଲେ ସମସ୍ତେ ଚକିତ ଓ ବିସ୍ମିତ ହେଉଛନ୍ତି।

ଚର୍ଚ୍ଚାରେ ସୁନ୍ଦରଗଡର ବ୍ୟାଟେରୀ ସାଇକେଲ। ମାତ୍ର ଯୁକ୍ତ୨ ପାଠ ପଢିଥିବା ଯୁବକ ନିଜର ବୁଦ୍ଧି ଖଟାଇ ତିଆରି କରିଛନ୍ତି ଏହି ଅତ୍ୟାଧୁନିକ ସାଇକେଲ। ସାଇକେଲ ନିର୍ମାତା ରୂପକ ପଟେଲ ଖଣ୍ଡେ ଛୋଟ ଦୋକାନ କରି ମେଂଟାନ୍ତି ପରିବାର ଗୁଜୁରାଣ। ତେଣୁ ଅନେକ ଚିନ୍ତା କରିବା ପରେ ଘରେ ଥିବା ପୁରୁଣା ସାଇକେଲକୁ ନୂଆ ରୂପ ଦେବାକୁ ଅଂଟା ଭିଡିଲେ। ପୁରୁଣା ସାଇକେଲକୁ ବାଲି କାଗଜରେ ସଫା କରି ରଂଗ କରିବା ସହ ସାଇକେଲ ଚେନର ପଛପଟେ ଫିଟ କଲେ ଏକ ମଟର। ବ୍ୟାଟେରୀ ଲାଗିବା ପରେ ଚମକି ଉଠିଲା ସାଇକେଲ। ଏହି ସ୍ୱତନ୍ତ୍ର ସାଇକେଲକୁ ତିଆରି କରିବାକୁ ଲାଗିଛି ୧୫ ଦିନର ସମୟ। ସାଇକେଲଟିକୁ ଗୋଟିଏ ଘଂଟା ଚାର୍ଜ କଲେ ଦୌଡୁଛି ୧୫ ରୁ ୨୦ କିମି ବାଟ।ଏହି ବ୍ୟାଟେରୀ ସାଇକେଲ ନିର୍ମାଣ କରିବା ପରେ ଗାଡିପରି ଏହାକୁ ବ୍ୟବହାର କରୁଛନ୍ତି ରୂପକ। ପୂରା ସାଇକେଲଟିକୁ ନିର୍ମାଣ କରିବାକୁ ଲାଗିଛି ୧୧ ରୁ ୧୨ ହଜାର ଟଙ୍କା । ତେବେ ଆପଣ ଯଦି କମ ଭୋଲ୍ଟର ବ୍ୟାଟେରୀ ଓ ମଟର ଲଗାଇଲେ ମାତ୍ର ୪ ରୁ ୫ ହଜାର ଟଂକାରେ ନିର୍ମାଣ ହୋଇଯିବ ଆପଣଙ୍କ ବ୍ୟାଟେରୀ ସାଇକେଲ।

ବ୍ୟାଟେରୀ ସାଇକେଲ ନିର୍ମାଣ କରିବା ପରେ ବେଶ ଖୁସି ଅଛନ୍ତି ରୂପକ। ବିନା କୌଣସି ମେକାନିକ ସାହାର୍ଯ୍ୟରେ ଯେପରି ଭାବରେ ସାଇକେଲ ନିର୍ମାଣ କଲେ ତାହାକୁ ନେଇ ଗ୍ରାମବାସୀ ବି କରୁଛନ୍ତି ଢେର ପ୍ରଂଶାସ। କେବଳ ଏତିକି ନୁହେଁ ଏପରି ସାଇକେଲକୁ ଦେଖିବା ଲାଗି ଲୋକଙ୍କର ବି ଜମୁଛି ଭିଡ। ରୂପକ ପ୍ରମାଣ କରି ଦେଖାଇଛନ୍ତି ମଣିଷର ଇଚ୍ଛା ଶକ୍ତି ଥିଲେ ଯେକୌଣସି କାମ ବି କରିବା ହେବ ଅତି ସହଜ।

ସମ୍ବନ୍ଧିତ ଖବର