ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସି ଫସିଲେ: ଅଭିଭାବକଙ୍କୁ ମାମଲାରେ ଛନ୍ଦିଲା ପୁଲିସ

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍‌ ଡିମିରିମୁଣ୍ଡା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସି ଥାନାରେ ଅଟକ ରହିଥିବା କେନ୍ଦୁଝର ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲୀପ ବେହେରାଙ୍କ ସମେତ ୫ଜଣଙ୍କ ନାମରେ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ଦୁଇଦିନ ପରେ ଅର୍ଥାତ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ହେବା ପରେ ୪ ତାରିଖରେ ଅଭିଭାବକଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି।

କେନ୍ଦୁଝର ଟାଉନ ଥାନାରେ କେସ୍‌ ନମ୍ବର ୧୪୬/୪/୫/୨୦୨୨ରେ ଏସ୍‌ଆଇ ଦିଲୀପ କୁମାର ମୁର୍ମୁଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। କେନ୍ଦୁଝର ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲୀପ କୁମାର ବେହେରା, ଡିମିରିମୁଣ୍ଡା ଗ୍ରାମର ରୋହିତ କୁମାର ମହାନ୍ତ, ଯୋଗେନ୍ଦ୍ର ମୁଣ୍ଡା, ଗୋବର୍ଦ୍ଧନ ମହାନ୍ତ, ଗୌତମ କୁମାର ମହାନ୍ତ ପ୍ରମୁଖ ଅଭିଭାବକ, ଶିକ୍ଷା କମିଟି କର୍ମକର୍ତ୍ତା ଓ ବିଦ୍ୟାଳୟର ୧୪ଜଣ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିଲେ। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ। ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ଶୁଣାଣିକୁ ଆଣି ଆସିଥିବାରରୁ ସେମାନଙ୍କ ବିରୋଧରେ ଜୁଭେନାଇଲ ଆକ୍ଟ ୭୫ ଅନୁସାରେ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ଡିମିରିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ସ୍ଥାୟୀ ଶିକ୍ଷକ ନାହାନ୍ତି। ନିକଟସ୍ଥ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଏଠାରେ ଅସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ସୁଯୋଗ ପାଉନାହାନ୍ତି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ବିଫଳ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିଲେ।

ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ଶୁଣାଣିକୁ ଆଣିଥିବାରୁ ପ୍ରଶାସନିକ ଅଧିକାରୀମାନେ ଅଭିଭାବକଙ୍କ ଉପରେ ବିରକ୍ତ ହୋଇଥିଲେ। ତୁରନ୍ତ ପୁଲିସ ଆସି କେନ୍ଦୁଝର ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମେତ ଅଭିଭାବକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଉଠାଇ ନେଇ କେନ୍ଦୁଝର ଟାଉନ ଥାନାରେ ଅଟକ ରଖିଥିଲା। ୪ ଘଣ୍ଟା ଧରି ଅଟକ ରଖିବା ପରେ ଅପରାହ୍‌ଣ ୩ଟାବେଳେ ପୁଲିସ ସେମାନଙ୍କୁ ଅଣ୍ଟରଟେକିଂ ଲେଖାଇ ଛାଡ଼ିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କେନ୍ଦ୍ରାପଡ଼ାର ମାନବାଧିକାର କର୍ମୀ ପ୍ରତାପ ମହାନ୍ତି ଏବଂ କେନ୍ଦୁଝରର ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରିଛନ୍ତି।

ମାଗଣା ମାମଲା ଲଢ଼ିବି : ଆଶିଷ

ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସି ଥାନାରେ ଅଟକ ଥିଲେ କେନ୍ଦୁଝର ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲୀପ ବେହେରାଙ୍କ ସମେତ ୫ଜଣ ଅଭିଭାବକ। ସେମାନଙ୍କ ନାମରେ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ଅଭିଭାବକଙ୍କ ପାଇଁ ମାଗଣ‌ାରେ ମାମଲା ଲଢ଼ିବେ ବୋଲି ଘୋଷଣା କରିଛନ୍ତି ବିଜେଡି ନେତା ତଥା ବରିଷ୍ଠ ଆଇନଜୀବୀ ଆଶିଷ ଚକ୍ରବର୍ତ୍ତୀ।

ଶ୍ରୀ ଚକ୍ରବର୍ତ୍ତୀ ଏ ସମ୍ପର୍କରେ ସେ କହିଛନ୍ତି, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇବା ଏକ ସ୍ବଭାବିକ କଥା। ମାତ୍ର ଅଭିଭାବକଙ୍କ ସହିତ ସେମାନଙ୍କ ‌ପିଲାମାନେ ଆସିବା ଘଟଣାକୁ ନେଇ ପୁଲିସ ଯେଭଳି ଭାବେ ମାମଲା ରୁଜୁ କରିଛି ତାହା ଗ୍ରହଣୀୟ ନୁହେଁ। ଏହି ଅଭିଭାବକମାନେ ଅତ୍ୟନ୍ତ ଗରିବ ‌ହୋଇଥିବାରୁ କୋର୍ଟ ଏବଂ ଥାନାକୁ ବାରମ୍ବାର ଆସି ମାମଲା ଲଢ଼ିବା ସମ୍ଭବ ନୁହେଁ। ଏଥିପାଇଁ ସେ ଏହି ମାମଲାର ସମସ୍ତ ଖର୍ଚ୍ଚ ସହିତ ଅଭିଭାବକଙ୍କ ପାଇଁ ନିଜେ କୋର୍ଟରେ ମାମଲା ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି।

ସମ୍ବନ୍ଧିତ ଖବର