ଶାଶୂ ଘରକୁ ଆସି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଜ୍ବାଇଁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଲୋଇସିଂହା ଥାନା ବୁର୍ଡା ଗାଁ ନିକଟସ୍ଥ ରେଳ ଧାରଣାରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ବିବାହିତା ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଗୁର୍ଜିଭଟା ଗାଁର ସନ୍ତୋଷ ସାହୁ ବୋଲି ଜଣାପଡ଼ିଛି। ସେ ଦେଢ଼ବର୍ଷ ତଳେ ବୁର୍ଡା ଗାଁରେ ବାହା ହୋଇଥିଲେ। ତାଙ୍କର ଏକବର୍ଷର ଝିଅଟିଏ ମଧ୍ୟ ଅଛି। ଗତକାଲିଠୁ ସନ୍ତୋଷ ଶାଶୂଘରକୁ ଆସିଥିଲେ। ଶନିବାର ସକାଳୁ ରେଳ ଧାରଣାକୁ ଯାଇ ସମ୍ବଲପୁର-ରାୟଗଡ଼ା ତପସ୍ୱିନୀ ଏକ୍ସପ୍ରେସ ଆଗକୁ ଡେଇଁ ପଡ଼ିଥିଲେ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଲୋକୋ ପାଇଲଟ ବଲାଙ୍ଗୀର ଷ୍ଟେସନ ମ୍ୟାନେଜରଙ୍କୁ ସୂଚନା ଦେଇଥିଲେ। ଜିଆର୍‌ପି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କେଉଁ କାରଣରୁ ସନ୍ତୋଷ ଆତ୍ମହତ୍ୟା କଲେ ଜଣାପଡ଼ିନାହିଁ। କିଛି ଦିନ ହେଲା ସନ୍ତୋଷ ମାନସିକ ଅବସାଦରେ ଥିବା ଏବଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର