ଭଞ୍ଜନଗର : ଏପ୍ରିଲ୍ରୁ ହିଁ ଗ୍ରୀଷ୍ମର ପ୍ରକୋପ ବଢ଼ିବା ସାଙ୍ଗକୁ ମାତ୍ରେ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ନେଇସାରିଛି। ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥିତି ଶୋଚନୀୟ। ତେବେ ଗ୍ରୀଷ୍ମରେ ଗଞ୍ଜାମରେ ପିଇବା ପାଣି ସମସ୍ୟା ଦେଖାଦେବା କିଛି ନୂଆ କଥା ନୁହେଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ସରକାର ଆଗ୍ରହ ଦେଖାଉନାହାନ୍ତି। ବିଶୁଦ୍ଧ ପାଣି ଯୋଗାଣ ପାଇଁ ରାଜ୍ୟ ସରକାର ବସୁଧା ଯୋଜନା ଓ କେନ୍ଦ୍ର ସରକାର ଜଳ ଜୀବନଜୀବିକା ମିସନ୍ ଜରିଆରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।
କିନ୍ତୁ ଏହାର ୫୦ ପ୍ରତିଶତ ଲକ୍ଷ୍ୟ ବି ହାସଲ ହୋଇପାରୁନି। ଏପରିକି ଅନେକ ମେଗା ପ୍ରକଳ୍ପ କେବଳ ପ୍ରସ୍ତାବରେ ଓ ଫାଇଲ୍ର ନାଲିଫିତା ତଳେ ସୀମିତ ହୋଇରହିଯାଇଛି। ଏହାର ଜ୍ବଳନ୍ତ ଉଦାହରଣ ହେଲା, ଭଞ୍ଜନଗର ଗ୍ରାମ୍ୟ ପାଇପ୍ ଜଳଯୋଗାଣ ବିଭାଗ ଅଧୀନରେ ଥିବା ୧୧ଟି ବ୍ଲକର ୧୩୦୨ଟି ଗାଁ ଓ ୩ଟି ଏନ୍ଏସିକୁ ମହାନଦୀ ପାଣି ଯୋଗାଣର ପରିକଳ୍ପନା। ଏହି ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୨୨ ଶହ କୋଟି ଟଙ୍କା ବ୍ୟୟଅଟକଳ ମଞ୍ଜୁର କରିଛନ୍ତି। ୨୦୨୪ ପୂର୍ବରୁ ଏହି ପ୍ରକଳ୍ପ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହୋଇ ନଥିବାରୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭଞ୍ଜନଗର ଆରଡବ୍ଲୁଏସ୍ଏସ୍ ବିଭାଗ ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା ,ଜଗନ୍ନାଥପ୍ରସାଦ, ସୋରଡ଼ା, ଆସିକା, ପୋଲସରା, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, ବୁଗୁଡ଼ା ଧରାକୋଟ ଓ ପୁରୁଷୋତ୍ତମପୁର ବ୍ଲକ୍ ୨୫୮ ପଞ୍ଚାୟତର ୧୩୦୨ଟି ଗ୍ରାମ ରହିଛି। ପ୍ରାୟ ୩ ଲକ୍ଷ ଘରେ ପାଖାପାଖି ୧୪ ଲକ୍ଷ ଲୋକ ବସବାସ କରୁଛନ୍ତି। ଆଗାମୀ ୩୦ ବର୍ଷକୁ ନଜରରେ ରଖି ନୟାଗଡ଼ ଜିଲ୍ଲା ଗଣିଆ ନିକଟ ମହାନଦୀରୁ ପାଣି ଆଣି ସମସ୍ତ ୧୧ଟି ବ୍ଳକ୍ ସହ କୋଦଳା, ବୁଗୁଡ଼ା ଓ ବେଲଗୁଣ୍ଠା ଏନ୍ଏସିରେ ଯୋଗାଣ ପାଇଁ ଏହି ମେଗା ପ୍ରକଳ୍ପର ପରିକଳ୍ପନା କରାଯାଇଛି।
ପାଇପ୍ ଦ୍ବାରା ନିରନ୍ତର ପାଣି ଯୋଗାଇଦିଆଯିବ। ଏଥିପାଇଁ ଦଶପଲ୍ଲା ଓ ଜଗନ୍ନାଥପ୍ରସାଦର ସୀମାନ୍ତ ଅଞ୍ଚଳ ରୁଢ଼ାପଦର ନିକଟରେ ଜଳ ବିଶୋଧାନାଗାର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ଅନ୍ୟ ସବୁଠି ଓଭର୍ହେଡ୍ ଟାଙ୍କି ନିର୍ମାଣ ଓ ପାଇପଲାଇନ୍ ବିଛାଯିବା କାର୍ଯ୍ୟ ଉକ୍ତ ପ୍ରକଳ୍ପ ଅଧୀନରେ କରାଯିବ। କିନ୍ତୁ ଟେଣ୍ଡର୍ ପ୍ରକ୍ରିୟା ଏଯାଏ ଆରମ୍ଭ ହୋଇ ନଥିବାରୁ ଏହି ପ୍ରକଳ୍ପ କେବେ ବାସ୍ତବ ରୂପ ନେବ ଏହା ଆଲୋଚନାର ପ୍ରସଙ୍ଗ ପାଲଟିଛି।
ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି, ଏହି ମେଗା ପ୍ରକଳ୍ପର ଡିପିଆର୍ ଶେଷ ହୋଇଛି। ବିଭାଗରୁ ସବୁଜ ସଙ୍କେତ ଆସିବା ପରେ ଆଗାମୀ ଦିନରେ ଟେଣ୍ଡର୍ ପ୍ରକ୍ରିୟା ଶେଷ କରାଯାଇ କାର୍ଯ୍ୟ ଆରମ୍ଭ ହେବ।
ଅନ୍ୟପକ୍ଷରେ ଭଞ୍ଜନଗର ଡିଭିଜନ୍ ଅଧୀନରେ ୬୪୨ଟି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିସହ ପାହାଡ଼ିଆ ଇଲାକାରେ ୧୮୩ ଗୋଟି ସୋଲାର୍ ପ୍ରକଳ୍ପ ରହିଥିବା ବେଳେ ଆଗାମୀ ଦିନରେ ୨୫୦ଟି ନୂଆ ସୋଲାର୍ ପ୍ରକଳ୍ପ ନିର୍ମାଣ ନେଇ ପ୍ରସ୍ତାବ ରହିଛି। କିନ୍ତୁ ଦୁର୍ଗମ ଇଲାକାର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ୨୦୨୦-୨୧ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ୩୦ଟି ପ୍ରକଳ୍ପର ଟେଣ୍ଡର୍ ପ୍ରକ୍ରିୟା ଶେଷ ହୋଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତଥାପି ଏହି ପ୍ରକଳ୍ପ ପିଇବା ପାଣି ସମସ୍ୟାକୁ ଦୂର କରିବାରେ ସଫଳ ହୋଇନି।