ସୁବ୍ରତ ସ୍ବାଇଁ
କେନ୍ଦୁଝର: କିଏ ବିପଦରୁ ଉଦ୍ଧାର ପାଇଁ ତ, ଆଉ କିଏ ପୁଅଟିଏ ଜନ୍ମ ପାଇଁ ଅଥବା ଝିଅ ବାହାଘର ଲାଗି ମା’ଙ୍କ ପାଖରେ ମାନସିକ କରିଥାନ୍ତି। ଏସବୁ ପୂରଣ ହେଲେ ମା’ଙ୍କୁ ଦେଇଥାନ୍ତି ନଡ଼ିଆ। ହଁ, ଆମେ ଓଡ଼ିଶା ପ୍ରସିଦ୍ଧ ଘଟଗାଁ ତାରିଣୀଙ୍କ କଥା ହିଁ କହୁଛୁ। ରାଜ୍ୟ ଓ ରାଜ୍ୟ ବାହାରୁ ଏହିଭଳି ହଜାର ହଜାର ମାନସିକ ନଡ଼ିଆ ପ୍ରତ୍ୟହ ଆସୁଛି ମା’ଙ୍କ ପାଖକୁ। ଗୋଟିଏ ବେସରକାରୀ ହିସାବ କହୁଛି, ଦୈନିକ ଏହାର ପରିମାଣ ପାଖାପାଖି ୩୦ ହଜାର ହେବ। ଏହି ତଥ୍ୟକୁ ବିଶ୍ବାସ କଲେ, ବାର୍ଷିକ କୋଟିଏ ନଡ଼ିଆ ଘଟଗାଁ ପୀଠକୁ ଆସି ମା’ଙ୍କ ପୂଜାରେ ଲାଗିଥାଏ। ହେଲେ ଏହି ଲାଗି ନଡ଼ିଆ କେଉଁ କାମରେ ଲାଗେ? ନଡ଼ିଆରୁ ବାହାରୁଥିବା କତା, ସଢ଼େଇକୁ କେଉଁଭଳି ଭାବେ ବ୍ୟବହାର କରାଯାଏ? ଏତେ ବିପୁଳ କଞ୍ଚାମାଲ ଥାଇ କିଛି ପ୍ରକ୍ରିୟାକରଣ ପ୍ରକଳ୍ପ କରାଯାଇଛି କି? ଓଡ଼ିଶାର ଘଟଗାଁ ପୀଠ ଓ ମାନସିକ ନଡ଼ିଆକୁ ନେଇ ଏମିତି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି। କୌତୂହଳ କଥା ହେଉଛି, ଏ ନେଇ କୌଣସି ଯୋଜନା କରାଯାଇନାହିଁ। ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ପ୍ରସଙ୍ଗକୁ ଯେତିକି ଗମ୍ଭୀରତାର ସହିତ ନେବା କଥା ତାହା ପରିଲକ୍ଷିତ ହେଉନାହିଁ। ଆହୁରି କୌତୂହଳ କଥା ହେଉଛି, ଖଣି ଖାଦାନରେ ସମୃଦ୍ଧ କେନ୍ଦୁଝର ଜିଲ୍ଲା ଉପରେ ଘରୋଇ ଶିଳ୍ପପତିମାନଙ୍କର ଆଖି ରହିଥିଲେ ହେଁ, ଏ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କେହି ଆଗ୍ରହ ଦେଖାଇନାହାନ୍ତି। ଏପରିକି ସରକାରୀ-ଘରୋଇ ଭାଗିଦାରୀରେ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ନେଇ କୌଣସି ଯୋଜନା ହୋଇନାହିଁ।
ତଥ୍ୟ ଅନୁସାରେ, ୨୦୧୦ ମସିହାରେ ଜିଲ୍ଲା ପ୍ରଶାସନ ଘଟଗାଁରେ ଏକ ନଡ଼ିଆତେଲ କାରଖାନା ପ୍ରତିଷ୍ଠା କରିଥିଲେ। ମୁକୁନ୍ଦପୁରପାଟଣାରେ ଆରମ୍ଭ ହୋଇଥିବା ଏହି କାରଖାନାରେ ବହୁ ସଂଖ୍ୟାରେ ମହିଳା କର୍ମଚାରୀ କାମ କରି ସେବେ ଜୀବିକା ନିର୍ବାହ କରୁଥିଲେ। ଏହି କାରଖାନା ଏବେ ବନ୍ଦ ହୋଇପଡ଼ିଛି। କେବଳ ସ୍ଥାନୀୟ ଅଞ୍ଚଳର କିଛି ମହିଳା ନଡ଼ିଆଲଡ଼ୁ ପ୍ରସ୍ତୁତ କରୁଛନ୍ତି। ହେଲେ ସମ୍ପୂର୍ଣ୍ଣ ଘରୋଇ ଉପାୟରେ ପ୍ରସ୍ତୁତ ଏହି ଲଡ଼ୁ ଏଯାଏଁ ଯେତିକି ଲୋକପ୍ରିୟତା ହାସଲ କରିବା କଥା, ତାହା ପରିଲକ୍ଷିତ ହେଉନାହିଁ।
ପ୍ରଚଳିତ ବ୍ୟବସ୍ଥା ହେଲା- କର୍ତ୍ତୃପକ୍ଷ ମା’ଙ୍କ ଲାଗି ନଡ଼ିଆ ପାଇଁ ଗୋଟିଏ ଟେଣ୍ଡର ଡାକନ୍ତି। ଯେଉଁ ସଂସ୍ଥା ଟେଣ୍ଡର ନେଇଥାଏ, ସେ ପ୍ରତ୍ୟହ ମା’ଙ୍କ ନଡ଼ିଆକୁ ନେଇଯାଇଥାନ୍ତି। ଏଥିରୁ ସିଂହଭାଗ ନଡ଼ିଆ ଅନ୍ୟ ରାଜ୍ୟକୁ ତେଲ ଆଦି ପାଇଁ ଯାଇଥାଏ। ଅତଏବ ଓଡ଼ିଶାର ଏ ବିପୁଳ କଞ୍ଚାମାଲ ଅନ୍ୟ ରାଜ୍ୟର ଶିଳ୍ପ ବିକାଶର ମୁଖ୍ୟ ଆଧାର ଅଟେ।
ଅର୍ଥନୀତିଜ୍ଞମାନଙ୍କର କହିବା କଥା, ଖଣି ଖାଦାନ ପାଇଁ ପ୍ରସିଦ୍ଧ କେନ୍ଦୁଝର ଉପରେ ବିଶ୍ବର ନଜର ରହିଛି। ହେଲେ ନଡ଼ିଆକୁ ନେଇ ଆଉ ଗୋଟିଏ ଶିଳ୍ପ ସହର ଏଠାରେ ପରିକଳ୍ପନା କରାଯାଇପାରେ। ନଡ଼ିଆ କତା, ସଢ଼େଇ, ନଡ଼ିଆ ତେଲ ଠାରୁ ଆରମ୍ଭ କରି ନଡ଼ିଆକୁ ନେଇ ଅନ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମଧ୍ୟ କରାଯାଇପାରେ। କେରଳ ଭଳି ରାଜ୍ୟ ଏ କ୍ଷେତ୍ରରେ ଦି’ ପାଦ ଆଗରେ ଅଛି। ଏସବୁ ପ୍ରକଳ୍ପକୁ ପ୍ରୋତ୍ସାହିତ କରାଗଲେ, ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ନିଯୁକ୍ତି ପାଇପାରିବେ। କିଛି ଯୁବ ଉଦ୍ୟୋଗୀଙ୍କ ମତରେ ନଡ଼ିଆ ସଢ଼େଇରୁ ବିଭିନ୍ନ ପ୍ରକାର ଖେଳଣା ଓ ଚା’ କପ୍ ଆଦି ସାମଗ୍ରୀ ତିଆରି ହୋଇ ଆମାଜନ୍, ଫ୍ଲିପ୍କାର୍ଟରେ ବିକ୍ରି ହେଉଛି। ଏହା ପଛରେ ଗୋଟିଏ ବଡ଼ ଅର୍ଥନୀତି ଯୋଡ଼ି ହୋଇରହିଛି। ଏଠାରେ ଦୈନିକ ୩୦ ହଜାର ନଡ଼ିଆରୁ ବାହାରୁଥିବା ସଢ଼େଇକୁ ବ୍ୟବହାର କରି ଏଭଳି ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଅନେକ ବେକାରୀଙ୍କ ହାତକୁ କାମ ଯୋଗାଇ ଦିଆଯାଇପାରିବ। ସେହିପରି ନଡ଼ିଆ କତାରୁ ଦଉଡ଼ି, ପାପୋଛ, ଖତ ଆଦି ପ୍ରସ୍ତୁତ ହେଉଛି। ନଡ଼ିଆକତାକୁ ନେଇ ଯଦି ଶିଳ୍ପାନୁଷ୍ଠାନଟିଏ ପ୍ରତିଷ୍ଠା ହେବ ତେବେ ଓଡ଼ିଶା ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିପାରିବ। ଉଦ୍ବେଗର ବିଷୟ ହେଲା, ଏଠାରୁ ନଡ଼ିଆ ନେଇ ବାହାର ରାଜ୍ୟର କମ୍ପାନିମାନେ ନଡ଼ିଆ ତେଲ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ମାତ୍ର ପର୍ଯ୍ୟାପ୍ତ କଞ୍ଚାମାଲ ଥିବା ସତ୍ତ୍ବେ ଓଡ଼ିଶା ପଛରେ ପଡ଼ିଛି।
ଉଲ୍ଲେଖଥାଉକି, ଘଟଗାଁ ମା’ ତାରିଣୀ ପୀଠକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି। ଏହାଛଡ଼ା ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ସେମାନଙ୍କ ମାନସିକ ନଡ଼ିଆ ମା’ଙ୍କ ପାଖକୁ ପଠାଇଥାନ୍ତି। କେହି ବସ୍ରେ ନଡ଼ିଆ ପଠାଇଥାଏ ତ ଆଉ କିଏ ନିକଟସ୍ଥ ନଡ଼ିଆ ହୁଣ୍ଡିରେ ନଡ଼ିଆ ପକାଇଥାଏ। ବାଲେଶ୍ବର, ବାରିପଦା, ରାଇରଙ୍ଗପୁର, ସୋରୋ, ଭଦ୍ରକ, ଚରମ୍ପା, ଚାନ୍ଦବାଲି, ବନ୍ତଛକ, ଭଣ୍ଡାରିପୋଖରୀ, କୁଆଖିଆ, ମଙ୍ଗୁଳି, କଟକ କଲେଜଛକ, କଟକ ପାଲାମଣ୍ଡପ, ବରମୁଣ୍ଡା, ଶୈଳଶ୍ରୀବିହାର, ରସୁଲଗଡ଼, ବ୍ରହ୍ମପୁର, ଚଢ଼େଇଧରା, ଯାଜପୁରରୋଡ, ଆନନ୍ଦପୁର, ଢେଙ୍କିକୋଟ, ହରିଚନ୍ଦନପୁର, କେନ୍ଦୁଝର ପଞ୍ଜାବୀଛକ, ପୋଷ୍ଟ୍ଅଫିସ, ଡିଏଫ୍ଓ ଛକ, ପୁରୁଣାବଜାର, ରିମୁଳି, ଚମ୍ପୁଆ, ଝୁମ୍ପୁରା, ବଡ଼ବିଲ, ରାଉରକେଲା, କରଞ୍ଜିଆ ଆଦି ସ୍ଥାନରେ ମା’ଙ୍କ ନଡ଼ିଆ ହୁଣ୍ଡି ସ୍ଥାପନ କରାଯାଇ ମାନସିକ ନଡ଼ିଆ ସଂଗ୍ରହ କରଯାଉଛି। ଏସବୁ ହୁଣ୍ଡିରୁ ଦୈନିକ ପ୍ରାୟ ୧୫ ହଜାର ନଡ଼ିଆ ମା’ଙ୍କ ପାଖକୁ ଆସୁଛି। ଏହାଛଡ଼ା ବସ୍ ଯୋଗେ ହଜାର ହଜାର ନଡ଼ିଆ ମଧ୍ୟ ମା’ଙ୍କ ପୀଠରେ ସିଧାସଳଖ ପହଞ୍ଚୁଛି। ସେହିପରି ଶ୍ରଦ୍ଧାଳୁ ମାନସିକ ପୂରଣ ହେବା ପରେ ତାରିଣୀ ପୀଠକୁ ଆସି ମା’ଙ୍କ ପାଖରେ ୧୦୧ କିମ୍ବା ୧୦୦୧ ନଡ଼ିଆ ଭୋଗଲାଗି କରିଥାନ୍ତି।