ଭଦ୍ରକ: ବିଜେପି ନେତା ତଥା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଡ. ସୁଧାଂଶୁ ଶେଖର ନାୟକ ୨୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ନିର୍ବାଚନ ସମୟରେ ୧କୋଟି ଟଙ୍କା ସହାୟତା ଯୋଗାଇବା ଲୋଭ ଦେଖାଇ ଜଣେ ମହିଳା ତାଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଶ୍ରୀ ନାୟକ ବନ୍ତ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗତ ମେ ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରର ଜଣେ ମହିଳା ଆଉ ଜଣେ ମହିଳାଙ୍କ ସହ ତାଙ୍କ ଘରକୁ ଆସିଥିଲେ। ତାଙ୍କର ଜଣେ ପ୍ରଶଂସକ ବୋଲି କହିବା ସହିତ ଫାଇନାନ୍ସରଙ୍କ ମାଧ୍ୟମରେ କୋଟିଏ ଟଙ୍କାର ସହାୟତା କରିପାରିବେ ବୋଲି କହିଥିଲେ। ଏଥିସହିତ, ଯୋଗେନ୍ଦ୍ର ନାଥ ନାମକ ଜଣେ ବ୍ୟକ୍ତିଙ୍କୁ ଫୋନ କରି ଆର୍ଥିକ ସହାୟତା ଦେବାକୁ କହିଥିଲେ। ଯୋଗେନ୍ଦ୍ରଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ଦେଇଥିଲେ। ସେହିଦିନ ମହିଳା ଜଣକ ଡ. ନାୟକଙ୍କ ସହ କିଛି ସଭାରେ ଉପସ୍ଥିତ ରହି ରାତିରେ ଭଦ୍ରକ ଫେରି ଯାଇଥିଲେ।

ଡ. ନାୟକ ୨ ଦିନ ପରେ ଯୋଗେନ୍ଦ୍ରଙ୍କୁ ଟଙ୍କା ପାଇଁ ଫୋନ୍‌ କରିଥିଲେ। ତୁମେ ବିଳମ୍ବ କରିଦେଲ ବୋଲି କହିବା ସହ ସାହାଯ୍ୟ କରିବାକୁ ଚେଷ୍ଟା କରିବି ବୋଲି ଯୋଗେନ୍ଦ୍ର କହିଥିଲେ। ତା’ ପରଦିନ ମହିଳା ଜଣକ ଡ. ନାୟକଙ୍କୁ ଫୋନ୍‌କରି ତୁରନ୍ତ ୨ଟି ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା ପରେ ତୁମକୁ ଦିନ ଦୁଇଟା ସୁଦ୍ଧା ୧ କୋଟି ଟଙ୍କା ମିଳିଯିବ ବୋଲି ଡ. ନାୟକଙ୍କୁ କହିଥିଲେ। ଏଥିସହିତ, ଦୁଇଟି ଆକାଉଣ୍ଟ୍ ନମ୍ୱର୍ ମଧ୍ୟ ପଠାଇଥିଲେ। ନିର୍ବାଚନ ଚାପ ମଧ୍ୟରେ ବେଶି କିଛି ବିଚାର ନ କରି ଟଙ୍କା ଯୋଗାଡ କରି ମହିଳା ଦେଇଥିବା ଦୁଇଟି ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଜମା କରିଥିଲେ। କିନ୍ତୁ ତାଙ୍କ ପାଖକୁ ୧ କୋଟି ଟଙ୍କା ଆସି ନ ଥିଲା। ଡ. ନାୟକ ଟଙ୍କା ଜମା କରିବା ପରେ ମହିଳା ଜଣକ ଚତୁରତାର ସହ ହ୍ୱାଟ୍ସଆପ୍‌ରୁ ମେସେଜ୍ ଡିଲିଟ୍‌ କରିଦେଇଥିଲେ ଓ ନମ୍ବରକୁ ବ୍ଲକ୍ କରିଦେଇଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ଡ. ନାୟକ ଗତକାଲି ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଠକେଇର ଶିକାର ହୋଇଥିବା କଥାକୁ ଡ. ନାୟକ ସ୍ୱୀକାର କରିଛନ୍ତି। ଡ. ନାୟକ ମଧ୍ୟ ଜଣେ ସୁପ୍ରସିଦ୍ଧ ନାଟ୍ୟକାର।