ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ବିଭାଗ ପ୍ରସୂତୀ ୱାର୍ଡର ପାଇଖାନାରେ ଜଣେ ନାବାଳିକା କନ୍ୟା ସନ୍ତାନକୁ ପ୍ରସବ କରି ପ୍ରମାଣ ଲୁଚାଇବା ପାଇଁ ପାଇଖାନା ପ୍ୟାନ୍ ଭିତରେ ପୁରାଇଦେବାକୁ ଚେଷ୍ଟାକରି ବିଫଳ ପରେ ଧରା ପଡ଼ିଛନ୍ତି ।
ସୂଚନା ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ ସିଡିପିଓ , ଥାନା ଅଧିକାରୀଙ୍କୁ ଏନେଇ ଖବର ଦେବା ସହ ପାଇଖାନା ପ୍ୟାନ୍ରୁ ଶିଶୁଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଡାକିଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପାଇଖାନା ପ୍ୟାନ୍କୁ ଭାଙ୍ଗି ଶିଶୁଟିକୁ ଉଦ୍ଧାର କରିଥିଲେ । ହେଲେ କନ୍ୟା ସନ୍ତାନ ମୃତ ହୋଇଥିବା ଓ ନାବାଳିକାଟି ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ବୋଲି ଡାକ୍ତରଙ୍କଠାରୁ ସୂଚନା ମିଳିଛି ।
ଡାକ୍ତରଙ୍କ ସୂଚନା ଅନୁସାରେ, ବୁଧବାର ସକାଳେ ନାବାଳିକା ଓ ତାଙ୍କ ମା’ ମେଡିକାଲ ଆସିଥିଲେ । ହେଲେ କ’ଣ ପାଇଁ ଆସିଥିଲେ କୌଣସି ସୂଚନା କାହାରି ପାଖରେ ନଥିଲା । ମା’ଓ ନାବାଳିକା ଝିଅ ପ୍ରସୂତୀ ୱାର୍ଡର ପାଇଖାନାକୁ ଯାଇଥିଲେ । କିଛି ସମୟ ପରେ ନାବାଳିକା ଝିଅର ମା’ ଆସି ମେଡିକାଲ କର୍ମଚାରୀଙ୍କ ସମ୍ମୁଖରେ ଝିଅକୁ ଗାଳିଦେବା ସହ ପାଇଖାନାରେ ପ୍ରସବ କରିଥିବା ଓ ଶିଶୁ ପାଇଖାନା ପ୍ୟାନ୍ ଭିତରେ ଲାଗି ଯାଇଥିବା ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ: କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ହବ୍କୁ ପଠାଗଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର
ଆଲୋଚନା ହେଉଛି ଯେ, ପ୍ରକୃତରେ ଯୋଜନାବଦ୍ଧ ଭାବେ ମା’ ଓ ନାବାଳିକା ଝିଅ ଆସି ପ୍ରମାଣ ନଷ୍ଟକରିବା ପାଇଁ ଚେଷ୍ଟା କରୁଥିଲେ ନା ସେମାନଙ୍କର ଉଦ୍ଦେଶ୍ୟ ଅନ୍ୟକିଛି ଥିଲା। ନାବାଳିକା ଜଣକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵିତୀୟ ବର୍ଷର ଛାତ୍ରୀ ଥିବା ଜଣା ପଡ଼ିଛି । ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ କୁମାର ମାଝିଙ୍କ ନେତୃତ୍ବରେ ତଦନ୍ତ ଚାଲିଥିବା ଜଣା ପଡ଼ିଛି ।
ଅଧିକ ପଢ଼ନ୍ତୁ: ଔଷଧର ନାଁ ଆଲିଙ୍ଗନ ! ଜୀବନରେ ଆଲିଙ୍ଗନ କେତେ ଜରୁରୀ ? ଜାଣନ୍ତୁ ଦିନକୁ କେତେ ଥର ଆଲିଙ୍ଗନ କରିବା ଦରକାର...